ନବରଙ୍ଗପୁର: ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଗୋ ମାଫିଆ ଘରେ ରେଡ୍। ନବରଙ୍ଗପୁର ସହରର ଗାଦବାଗୁଡ଼ାର ମହମ୍ମଦ ଆଜିଜଙ୍କ ଘରେ ସେମଳିଗୁଡ଼ା ଓ ନବରଙ୍ଗପୁର ପୋଲିସ ମିଳିତ ଭାବରେ ଚଢ଼ାଉ କରିଛନ୍ତି। ଚଢ଼ାଉରେ ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ବରେ ୩ ଜଣ ଇନ୍ସପେକ୍ଟର,୨ ଜଣ ସବ୍-ଇନ୍ସପେକ୍ଟରଙ୍କ ସମେତ ୨ ସେକ୍ସନ୍ ପୋଲିସ୍ ଫୋର୍ସ ସାମିଲ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଚଢ଼ାଉରେ ମହମ୍ମଦଙ୍କ ଘରୁ ଗୋ-ଚାଲାଣ ସମ୍ପର୍କିତ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମିଳିଛି। ସେହିଭଳି ୨୦ରୁ ଉର୍ଦ୍ଧ୍ଵ ବ୍ୟାଙ୍କ ପାସବୁକ୍, ଗୋଟିଏ ଇନୋଭା, ଦୁଇଟି ସ୍କୁଟି, ଜମି ପଟ୍ଟା ଓ ବିଭିନ୍ନ ଦସ୍ତାବିଜ, ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ ୨୩ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଏସ୍ଡିପିଓ ସୁମିତ୍ରା ଜେନା କହିଛନ୍ତି।

Also Read: ଟ୍ରେନରୁ ନେଇଯାଇଥିଲେ ଭ୍ୟାନିଟି ବ୍ୟାଗ୍, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ସହ ୨ ଗିରଫ

ଏହା ପୂର୍ବରୁ ଶନିବାର ଗୋ-ଚାଲଣ ମାମଲାରେ ସେମଳିଗୁଡ଼ା ପୋଲିସ୍ ମହମ୍ମଦ ଆଜିଜଙ୍କୁ ଗିରଫ କରିଥିଲା। ବୁଧବାର କୋର୍ଟରୁ ଅନୁମତି ଆଣି ପୋଲିସ୍ ତାଙ୍କ ଘରେ ରେଡ୍ କରିଛି। ଆଜିଜ ନାଁରେ ନବରଙ୍ଗପୁର- କୋରାପୁଟ ଅଞ୍ଚଳରୁ ଆନ୍ଧ୍ର ଅଞ୍ଚଳକୁ ବ୍ୟାପକ ପରିମାଣର ଗୋ-ଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ସେ ରାଇଘର ପୋଲିସ ଦ୍ୱାରା ଗିରଫ ହୋଇ ବେଲରେ ଆସିଥିଲେ। ହେଲେ ଏବେ ପୁଣି ଗିରଫ ହୋଇଛନ୍ତି।