ନୂଆଦିଲ୍ଲୀ: ଦୁଲୀପ ଟ୍ରଫି ୨୦୨୬ ଅଗଷ୍ଟ ୨୩ରୁ ଆରମ୍ଭ ହେବାକୁ ଯାଉଛି। ଇଷ୍ଟ ଜୋନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜର ଦଳ ଘୋଷଣା କରିଛି। ଓ୍ଵିକେଟ୍ କିପର ବ୍ୟାଟର ଇଶାନ କିଷନଙ୍କୁ ଅଧିନାୟକ କରାଯାଇଥିବା ବେଳେ ଯୁବ ଉଦୀୟମାନ ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି। ସୂର୍ଯ୍ୟବଂଶୀ ନିକଟରେ ଜିମ୍ବାଓ୍ଵେ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟର ୩ଟି ମ୍ୟାଚରେ ୧୫୧ ରନ କରି ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ। ସୂର୍ଯ୍ୟବଂଶୀଙ୍କୁ ଏବେ ନେତୃତ୍ଵ ଭୂମିକା ପାଇଁ ପ୍ରସ୍ତୁତ କରାଯାଉଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ୟୁଥ ସିରିଜରେ ଦଳର ନେତୃତ୍ଵ ନେଇ ସାରିଛନ୍ତି। ସୂର୍ଯ୍ୟବଂଶୀ ଚଳିତ ବର୍ଷ ଆରମ୍ଭରେ ଆୟୋଜିତ ୧୯ ବର୍ଷରୁ କମ ଦିନିକିଆ ବିଶ୍ଵକପରେ ଦଳର ଉପଅଧିନାୟକ ଥିଲେ।

ଆହତ କାରଣରୁ ରିୟାନ ପରାଗ ବାହାର

୨୦୨୫ ସିଜିନରେ ଦଳର ନେତୃତ୍ଵ ନେଇଥିବା ରିୟାନ ପରାଗ ମାଂସପେଶୀ ଆଘାତ କାରଣରୁ ଦଳରୁ ବାହାରେ ଅଛନ୍ତି। ଆଇପିଏଲ୍ ୨୦୨୬ ସମୟରେ ପରାଗଙ୍କୁ ଆଘାତ ଲାଗିଥିଲା ଏବଂ ଜୁନରେ ତାଙ୍କର ସର୍ଜରୀ ହୋଇଥିଲା।। ସଂପ୍ରତି ସେ ଖେଳରୁ ଦୂରରେ ଅଛନ୍ତି ଏବଂ କେବେ ପ୍ରତ୍ୟାବର୍ତ୍ତନ କରିବେ ତାହା ଜଣା ପଡ଼ିନାହିଁ। ପ୍ରଥମେ ଫିଟ୍ ହେବା ପରେ ସେ ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେସ(ସିଓଇ)ରେ ଉପସ୍ଥିତ ହେବେ। ସେଠାରୁ ସବୁଜ ସଙ୍କେତ ମିଳିବା ପରେ ହିଁ ସେ ପେଶାଦାର କ୍ରିକେଟକୁ ଫେରିବେ।ଏହି ଦଳରେ ଅଭିମନ୍ୟୁ ଈଶ୍ଵରନ, ଶାହବାଜ ଅହମ୍ମଦଙ୍କ ପରି ଖେଳାଳିଙ୍କୁ ସାମିଲ୍ କରାଯାଇଛି।

ଦଳରେ ସାମିଲ୍ ମହମ୍ମଦ ଶାମି

ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଭାରତୀୟ ଦଳରେ ତାଙ୍କୁ ଲଗାତାର ଅଣଦେଖା କରାଯାଉଛି। ୩୫ ବର୍ଷୀୟ ଏହି ଦ୍ରୁତ ବୋଲରଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ଚୟନ କରାଯାଇ ନାହିଁ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର ଶାମିଙ୍କ ଫିଟନେସକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ମାତ୍ର ଗତ ରଣଜୀ ଟ୍ରଫିରେ ସେ ଦମଦାର ପ୍ରଦର୍ଶନ କରିଥିଲେ। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଶାମିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରାୟତଃ ସମାପ୍ତ ହୋଇ ସାରିଛି।ଏବେ ଚୟନକର୍ତ୍ତା କେବଳ ନୂଆ ବୋଲରଙ୍କ ଉପରେ ଗୁରୁତ୍ଵ ଦେଉଛନ୍ତି। ତଥାପି ଏସବୁ ପରେ ବି ଶାମି ପୁଣି ଥରେ ରେଡ୍ ବଲ୍ ଫର୍ମାଟରେ ନିଜକୁ ସାବ୍ୟସ୍ତ କରିବା ପାଇଁ ବ୍ୟାକୁଳ।

ଦ୍ରୁତ ବୋଲର ମୁକେଶ କୁମାରଙ୍କ ନିକଟରେ ନିଜକୁ ସାବ୍ୟସ୍ତ କରିବାର ସୁଯୋଗ ରହିଛି। ସେ ଇଂଲଣ୍ଡ ସିରିଜ୍ ପରଠୁ ଭାରତୀୟ ଦଳରୁ ବାହାରେ ଅଛନ୍ତି। ଆହତଜନିତ ସମସ୍ୟା କାରଣରୁ ଆକାଶ ଦୀପଙ୍କୁ ଦଳରେ ସ୍ଥାନ ମିଳିନି। ତାଙ୍କ ସ୍ଥାନରେ ସୂରଜ ସିନ୍ଧୁ ଜୟସ୍ଵାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ସେ ୨୦୨୫-୨୬ ସିଜନରେ ଦମଦାର ପ୍ରଦର୍ଶନ କରିଥିଲେ।

ଦୁଲୀପ ଟ୍ରଫି ୨୦୨୬ ପାଇଁ ଇଷ୍ଟ ଜୋନର ସ୍କ୍ଵାଡ୍

ଇଶାନ କିଷନ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ(ଉପଅଧିନାୟକ), ଅଭିମନ୍ୟୁ ଈଶ୍ଵରନ, ସୁଦୀପ କୁମାର ଘରାମୀ, ଶାହବାଜ ଅହମ୍ମଦ, ସୂରଜ ସିନ୍ଧୁ ଜୟସ୍ଵାଲ, ମହମ୍ମଦ ଶାମି, ମୁକେଶ କୁମାର, କୁମାର କୁଶାଗ୍ର, ଡେନିଶ ଦାସ, ଅଭିଜିତ ସରକାର, ଶିଖର ମୋହନ, ଅନୁକୂଲ ରୟ, ବିରାଟ ସିଂ ଓ ସୁଭ୍ରାଂଶୁ ସେନାପତି।