ଗଞ୍ଜାମ : ବନ୍ୟା ଆସିଲେ ଲୋକଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ସାଜିଥାଏ ବିଦ୍ୟାଳୟ। ହେଲେ ବିପଦ ସମୟରେ ଯଦି ବିଦ୍ୟାଳୟରେ ଝୁଲୁଥାଏ ତାଲା, ତେବେ ସାଧାରଣ ଲୋକ ଯିବେ କୁଆଡ଼େ ? ସଥିପାଇଁ ଗଞ୍ଜାମ ଜିଲ୍ଲାରେ ରବିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଦ୍ୟାଳୟ ଖୋଲା ରଖିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶକୁ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକରେ ଅବମାନନା କରାଯାଉଥିବା ଅଭିଯୋଗ ହୋଇଛି। ଅନେକ ବିଦ୍ୟାଳୟର ମୁଖ୍ୟ ଫାଟକରେ ଏବେ ବି ଝୁଲୁଛି ତାଲା।

​​​​​​​

ବନ୍ୟା ଓ ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପ୍ରଶାସନର ପ୍ରଥମ ଦାୟିତ୍ୱ । ଆଉ ଏଥିପାଇଁ ବିଦ୍ୟାଳୟଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ ରଖିବାକୁ ରହିଛି ସ୍ୱତନ୍ତ୍ର ନିର୍ଦ୍ଦେଶ। ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ରବିବାର ଉପସ୍ଥିତ ରହିବା ସହ ବିଦ୍ୟାଳୟ ଖୋଲା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । କିନ୍ତୁ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶର ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ଲୋକେ ଆଶ୍ରୟ ନେବାକୁ ବିଦ୍ୟାଳୟରେ ପହଞ୍ଚୁଥିବା ବେଳେ ମୁଖ୍ୟ ଫାଟକରେ ଝୁଲୁଛି ତାଲା। ଡେଙ୍ଗାଡ଼ି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଦ୍ଧେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷ୍ମୀନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନରେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଛି। ଏହାସହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ସମତେ 27 ଜଣ କର୍ମଚାରୀ ରହୁଥିବା ବେଳେ ମାତ୍ର 4 ଜଣ ଶିକ୍ଷକ ବିଦ୍ୟାଳୟକୁ ଆସିଛନ୍ତି।

Also Read- ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍ ଖୋଲାଗଲା: ବୃଦ୍ଧି ପାଉଛି ଜଳସ୍ତର, ନଦୀକୂଳିଆ ଅଞ୍ଚଳକୁ ସତର୍କ ସୂଚନା

 ଏବେ ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଖୋଲାଯାଇ ନାହିଁ ବିଦ୍ୟାଳୟ ? ବିପଦ ସମୟରେ ଯଦି ଲୋକେ ଆଶ୍ରୟ ନ ପାଇବେ, ତେବେ ଏଥିପାଇଁ ଦାୟୀ କିଏ ? ନିର୍ଦ୍ଦେଶକୁ ଅବମାନନା କରିଥିବା ଦାୟିତ୍ୱହୀନ କର୍ମଚାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ବିପର୍ଯ୍ୟୟ ସମୟରେ ଏଭଳି ଅବହେଳା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।