ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଆକଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଏକ ୮ ଜଣିଆ ଆନ୍ତଃମନ୍ତ୍ରଣାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ। ଏହି ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବେ ।

କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର । ସେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଟିମ୍‌ର ଅନ୍ୟ ସଦସ୍ୟମାନେ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା କିମ୍ବା ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ।

ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁ କୃଷି, ଭିତ୍ତିଭୂମି, ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ଏଥିସହିତ ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ।

Also Read: ବାତ୍ୟା ‘ଅର୍ଣ୍ଣବ’ ପରେ ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା, ପ୍ରତି ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା​​​​​​​

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଟିମ୍‌ର ଗସ୍ତ ନିମନ୍ତେ ଆବଶ୍ୟକୀୟ ରହଣି, ପରିବହନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି ।