ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବିଭିନ୍ନ ଅଞ୍ଚଳରେ ଜଳପ୍ରଳୟ ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆହୁରି ମଧ୍ୟ ଘୋଷଣା ଅନୁଯାୟୀ, ବନ୍ୟା ପାଣିରେ ଘର ବୁଡ଼ିଥିବା ପରିବାରକୁ ପୋଷାକ କିଣିବା ପାଇଁ ଆର୍ଥିକ ସହାୟତା ସହ ବାସନକୁସନ କିଣିବା ବାବଦରେ ୨୫୦୦ ଟଙ୍କା ମିଳିବ। ସେହିପରି ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତ ପରିବାରଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯିବ। ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ମିଳିବ।

ଚାଷୀଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା

ବନ୍ୟାରେ ଚାଷଜମି ଓ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ। ଅଣଜଳସେଚିତ ଜମିରେ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୧୮ ହଜାର ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ମିଳିବ।

ସେହିପରି ବାରମାସୀ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ଏବଂ ଚାଷଜମିରୁ ପଟୁ ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ।

Also Read: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ, ବ୍ରହ୍ମପୁରରେ ନିୟୋଜିତ ହେଲେ ଆଉ ୫ ଯନ୍ତ୍ରୀ

କ୍ଷୟକ୍ଷତି ଆକଳନ ପରେ ବଢ଼ିପାରେ ସହାୟତା

ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁ ହୋଇଥିବା ସମସ୍ତ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ହୋଇନାହିଁ। କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସହାୟତା ରାଶି ବୃଦ୍ଧି କରାଯାଇପାରେ ବୋଲି ଜଣାପଡ଼ିଛି। ଏହାଦ୍ୱାରା ବନ୍ୟାରେ ଘରଦ୍ୱାର, ଜୀବିକା ଓ ଫସଲ ହରାଇଥିବା ପ୍ରଭାବିତ ପରିବାର ଏବଂ ଚାଷୀଙ୍କୁ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି ।