ନୂଆଦିଲ୍ଲୀ:ଅଶାନ୍ତ ମଧ୍ୟପ୍ରାଚ୍ୟ । ସାରା ବିଶ୍ୱକୁ ଘାରିଛି ସଂକଟ । ହାଟରୁ ହାଣ୍ଡିଶାଳ ସବୁଠି ଇଫେକ୍ଟ । ପ୍ରଭାବିତ ଖାଦ୍ୟ, ପରିବହନ ବାଧାପ୍ରାପ୍ତ । ଯୁଦ୍ଧ ବନ୍ଦ ଲାଗି ସବୁଆଡୁ ପ୍ରଚେଷ୍ଟା । ତଥାପି କେହି କାହା କଥା ମାନିବାକୁ ନାରାଜ । ଜାରି ରହିଛି ଘମାଘୋଟ ଲଢେଇ । ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ବ୍ୟାପିଲାଣି । ଓ୍ୱାର ଏବେ କେବଳ ରଣକ୍ଷେତ୍ର ନୁହେଁ, ଜେଣ୍ଟେଲମ୍ୟାନ୍ କ୍ରିକେଟ ମୈଦାନକୁ ବ୍ୟାପିଛି ।

କ୍ରିକେଟ ପଡିଆକୁ ଛୁଇଁଛି ଅଶାନ୍ତ ସ୍ଥିତି । ଇଂଲଣ୍ଡ କ୍ରିକେଟ ପାଇଁ ଚିନ୍ତା ବଢାଇଛି ବଲ୍ । କାରଣ ମାର୍କେଟରେ ଏବେ ଡ୍ୟୁକ୍ ବଲ୍ର ଘୋର ଅଭାବ । ବିମାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ଠିକ୍ ସମୟରେ ଇଂଲଣ୍ଡରେ ପହଞ୍ଚିପାରୁ ନାହିଁ ବଲ୍ ସବୁ। ସ୍ଥିତି ଏପରି ଯେ, ଆବଶ୍ୟକ ମୋଟ ବଲ୍ ସଂଖ୍ୟାର ମାତ୍ର ଅଧା ମହଜୁଦ୍ ଅଛି ଇଂଲିସ୍ କ୍ରିକେଟ୍ ବୋର୍ଡ ପାଖରେ ।

ମ୍ୟାଚ୍ ପୂର୍ବରୁ ମୁଣ୍ଡବ୍ୟଥା:

ଏପ୍ରିଲ ୩ ତାରିଖରୁ ଆରମ୍ଭ ହେବ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ସିଜିନ୍ । ହେଲେ ମ୍ୟାଚ୍ ପୂର୍ବରୁ ବଢିଛି ମୁଣ୍ଡବ୍ୟଥା । ଖେଳ ପାଇଁ ଜରୁରୀ ଜିନିଷ ‘ଡ୍ୟୁକ୍ ବଲ୍’ର ଘୋର ଅଭାବ ଦେଖାଦେଇଛି । ତେବେ ପରିସ୍ଥିତିକୁ ଅଧିକ ଜଟିଳ କରିଛି ଇସିବିର ନୂତନ ନିୟମ । ନିୟମ ମୁତାବକ ଚଳିତ ସିଜିନ୍‌ରୁ ସମସ୍ତ କାଉଣ୍ଟି କ୍ରିକେଟ୍ ଲିଗ୍‌ରେ ‘କୋକାବୁରା’ ବଲ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ ।

ଏହା ବଦଲରେ କେବଳ ‘ଡ୍ୟୁକ୍’ କମ୍ପାନି ଦ୍ୱାରା ନିର୍ମିତ ବଲ୍ ବ୍ୟବହାର କରିବାକୁ ନିଷ୍ପତ୍ତି । କାରଣ ଡ୍ୟୁକ୍ ବଲ୍ ନିଜର ସ୍ୱତନ୍ତ୍ର ସିମ୍ ଏବଂ ସ୍ୱିଙ୍ଗ୍ ପାଇଁ ଜଣାଶୁଣା । ଯାହା ଇଂଲଣ୍ଡର ପରିବେଶରେ ବହୁତ ପ୍ରଭାବଶାଳୀ ହୋଇଥାଏ । ମାତ୍ର ବଲ୍‌ର ଅଭାବକୁ ଦେଖି ଇସିବି ଏବେ ସୀମିତ ସଂଖ୍ୟକ ବଲ୍ରେ କୌଣସି ପ୍ରକାରେ ଖେଳ ପରିଚାଳନା କରିବାକୁ କାଉଣ୍ଟି କ୍ଲବ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଯାହା ଖେଳର ଗୁଣବତ୍ତା ଉପରେ ପକାଇପାରେ ପ୍ରଭାବ ।

​​​​​​​ଆକାଶଛୁଆଁ ପରିବହନ ଖର୍ଚ୍ଚ:

ସେପଟେ ଏହି ସଂକଟ ଉପରେ ମତ ରଖିଛନ୍ତି ଡ୍ୟୁକ୍ ବଲ୍ ଉତ୍ପାଦନ କରୁଥିବା କମ୍ପାନି ‘ବ୍ରିଟିଶ କ୍ରିକେଟ୍ ବଲ୍ସ ଲିମିଟେଡ୍’ର ମୁଖ୍ୟ ତଥା ପ୍ରବାସୀ ଭାରତୀୟ ବ୍ୟବସାୟୀ ଦିଲ୍ଲୀପ ଜାଜୋଡିଆ । ତାଙ୍କ କହିବା କଥା ଭାରତୀୟ ଉପମହାଦେଶରେ ଥିବା କାରଖାନାଗୁଡ଼ିକରେ ବଲ୍‌ର କୌଣସି ଅଭାବ ନାହିଁ । ମାତ୍ର ସେଗୁଡ଼ିକୁ ରପ୍ତାନି କରିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ମଧ୍ୟପ୍ରାଚ୍ୟ ଦେଇ ଯାଉଥିବା ବିମାନ ଚଳାଚଳ ରୁଟ୍ ଯୁଦ୍ଧ କାରଣରୁ ଅସ୍ଥିର ରହିଥିବାରୁ ଆକାଶଛୁଆଁ ହୋଇଛି ପରିବହନ ଖର୍ଚ୍ଚ । ପୂର୍ବରୁ ୧୨୦ଟି ବଲ୍ ଥିବା ବାକ୍ସର ପରିବହନ ଖର୍ଚ୍ଚ କିଲୋଗ୍ରାମ ପିଛା ଥିଲା ୫ ଡଲାର । ଯାହା ୩ ଗୁଣା ବଢି ଏବେ ପହଞ୍ଚିଛି ୧୫ ଡଲାରରେ ।

ବଲ୍ ଯୋଗାଣ ବାଧାପ୍ରାପ୍ତ:

କେବଳ ଭାରତ ନୁହେଁ, ବରଂ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବଲ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଇଂଲଣ୍ଡରୁ ପଠାଯାଇଥିବା ଉଚ୍ଚମାନର ଚମଡ଼ାରୁ ଦକ୍ଷିଣ ଆଫ୍ରିକାରେ ପ୍ରସ୍ତୁତ ହେଉଥିବା ବଲ୍‌ଗୁଡିକ ମଧ୍ୟ ସମାନ ପରିବହନ ସମସ୍ୟା ଯୋଗୁଁ ଅଟକି ରହିଛି । ସାଧାରଣତଃ ଡ୍ୟୁକ୍ ବଲ୍ ହାତରେ ସିଲେଇ କରାଯାଉଥିବାରୁ ଏହା ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ଲାଗିଥାଏ । ତେଣୁ ଶେଷ ମୁହୂର୍ତ୍ତରେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିବା ମଧ୍ୟ କଷ୍ଟକର । ଯଦି ଯୁଦ୍ଧ ସ୍ଥିତିରେ ସୁଧାର ନଆସେ, ତେବେ ଇଂଲଣ୍ଡର ଘରୋଇ କ୍ରିକେଟ୍ କ୍ୟାଲେଣ୍ଡର ଗମ୍ଭୀର ଭାବେ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି ।

​​​​​​​