ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ଯୁଦ୍ଧ ଶେଷ ହେବାର ନାଁ ଧରୁନାହିଁ। ଯୁଦ୍ଧର ତୀବ୍ରତା ଆହୁରି ବଢ଼ିବ ବୋଲି ସଂକେତ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଉଛନ୍ତି । ଏହାରି ମଧ୍ୟମରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ଇରାନ ବିରୁଦ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ‘ଅଲ ଜଜିରା’ ଖବର ପ୍ରକାଶ କରିଛି ଯେ, ଟୋମାହକ୍ କ୍ଷେପଣାସ୍ତ୍ରରେ ସଜ୍ଜିତ ଏକ ବ୍ରିଟିଶ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ HMS Anson ହର୍ମୁଜ୍ ପ୍ରଣାଳୀ ନିକଟରେ ପହଞ୍ଚିଛି। ବ୍ରିଟିଶ ବୁଡ଼ାଜାହାଜର ମୁତୟନ ଏପରି ଏକ ସମୟରେ ହୋଇଛି, ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ବ୍ରିଟିଶ ବୁଡ଼ାଜାହାଜଟି ମାର୍ଚ୍ଚ ୬ରେ ଅଷ୍ଟ୍ରେଲିଆର ପର୍ଥରୁ ବାହାରିଥିଲା ।

Also Read: ଇରାନ ଯୁଦ୍ଧକୁ ନେଇ ପୋପ ଲିଓଙ୍କ ଉଦବେଗ, କହିଲେ- ମାନବତା ନିମନ୍ତେ ଏହା ଲଜ୍ଜାଜନକ

କେତେ ଶକ୍ତିଶାଳୀ ବ୍ରିଟିଶ ବୁଡ଼ାଜାହାଜ ?

ଏହି ବ୍ରିଟିଶ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜଟି ବିଭିନ୍ନ ପ୍ରକାରର ଉଚ୍ଚମାନର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ଏଥିରେ ୧୬୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ଟୋମାହକ୍ କ୍ଷେପଣାସ୍ତ୍ର ଏବଂ ସ୍ପିୟରଫିସ୍ ହେଭିୱେଟ୍ ଟର୍ପେଡୋ ଖଞ୍ଜା ଯାଇଛି । ଏସବୁ ଯୁଦ୍ଧାସ୍ତ୍ର ଏହାକୁ ଏକ ଅତ୍ୟନ୍ତ ଘାତକ ବୁଡ଼ାଜାହାଜ ଭାବରେ ପରିଣତ କରେ ।

ଇରାନ ଯୁଦ୍ଧରେ ବ୍ରିଟେନ ସାମିଲ

ଆରବ ସାଗରର ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ବ୍ରିଟିଶ ବୁଡ଼ାଜାହାଜ ମୁତୟନ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ବ୍ରିଟେନ ଏବେ ଇସ୍ରାଏଲ ଏବଂ ଆମେରିକା ସହିତ ଇରାନ ଯୁଦ୍ଧରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି। ପୂର୍ବରୁ, ବ୍ରିଟେନ ଆମେରିକାକୁ ଇରାନ ବିରୁଦ୍ଧରେ ବ୍ରିଟିଶ ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେଇସାରିଛି।