ନୂଆଦିଲ୍ଲୀ, ୧୨/୧୦ :ଓମାନ ଉପକୂଳରେ ତୈଳ ଟ୍ୟାଙ୍କରକୁ ଆକ୍ରମଣ । ଭାରତୀୟ ନାବିକ ନିଖୋଜ । କିଛି ଏମିତି ଘଟଣା ଏବେ ଭାରତୀୟ ନାବିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମଟି ପେଟ୍ରୋ ଡଲଫିନ୍ ନାମକ ଏକ ଟ୍ୟାଙ୍କର ଉପରେ ଆଟାକ୍ କରାଯାଇଛି । ଏଥିରେ ୧୧ ଜଣ ଭାରତୀୟ ନାବିକ ଥିଲେ । ଆକ୍ରମଣ ପରେ ୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେବି ୨ ଜଣ ନିଖୋଜ ରହିଛନ୍ତି । ସ୍ଥାନୀୟ ତଟରକ୍ଷୀ ବାହିନୀ ଉଭୟଙ୍କ ସନ୍ଧାନ ପାଇଁ ଅପରେସନ ଜାରି ରଖିଛି ।

କେନ୍ଦ୍ର ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲ କହିଛନ୍ତି ଯେ, ଅକ୍ଟୋବର ୧୧ ତାରିଖରେ ସୋହର ଆଙ୍କରେଜ୍ ନିକଟରେ ଏକ ଟ୍ୟାଙ୍କରକୁ ଟାର୍ଗେଟ୍ କରାଯାଇଛି । ଟ୍ୟାଙ୍କରରେ ଡ୍ରୋନ୍ ଆକ୍ରମଣ ହୋଇଛି । ଉଦ୍ଧାର ହୋଇଥିବା ସମସ୍ତ ୯ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି । ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଜାରି ରହିଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତୀୟ ଅଧିକାରୀ ଉଦ୍ଧାରକାରୀ ଟିମ୍ ସହ ଲଗାତାର ଯୋଗାଯୋଗ କରୁଛନ୍ତି । ଓମାନସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ଘଟଣା ଉପରେ ନଜର ରଖିଛି । ଖୁବ୍ ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।

Also Read :- କମ୍ପାନୀ ଉପରେ ମହଙ୍ଗା ମାଡ଼ : ବଢୁଛି ଉତ୍ପାଦନ ଖର୍ଚ୍ଚ, କମିବ ଲାଭ

ତେବେ ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ଜାହାଜର ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ଏହାପୂର୍ବରୁ ଇରାନର ଆଇଆରଜିସି ଏକ ଭିଡିଓ ଜାରି କରିଥିଲା । ଏଥିରେ ହର୍ମୋଜ୍ ଅତିକ୍ରମ ବେଳେ ଏକ ବାରୁଦ ବିସ୍ଫୋରଣ ହୋଇଥିଲା । ଫଳରେ ଏକ ଜାହାଜରେ ନିଆଁ ଲାଗିଯାଇଥିଲା ବୋଲି ଆଇଆରଜିସି ଦାବି କରିଥିଲା ।