ନ୍ୟୁୟର୍କ,୧୧/୦୮: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢ଼ିଚାଲିଛି। ଇପ୍ସସ୍ -ଏଏପିଆଇ ସର୍ଭେ ଅନୁସାରେ,ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପରାଜୟ ସମ୍ଭାବନା ୬୫ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ମିଡ୍ ଟର୍ମ ବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଆସନ୍ତା ନଭେମ୍ବରରେ ଭୋଟିଂ ହେବାର ଅଛି । ଏହି ନିର୍ବାଚନ ଟ୍ରମ୍ପଙ୍କ ୪ ବର୍ଷ କାର୍ଯ୍ୟକାଳ ଭିତରେ ହେବାକୁ ଥିବା ସବୁଠୁ ବଡ଼ ରାଜନୈତିକ ପରୀକ୍ଷା। ଏଥିରେ ଆମେରିକୀୟ ସଂସଦ ବା କଂଗ୍ରେସ ସମେତ ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ଭୋଟିଂ ହେବ। ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ପାର୍ଟିର ପ୍ରାୟ ୮୦ ପ୍ରତିଶତ ପ୍ରାର୍ଥୀ ପୂର୍ବରୁ ହିଁ ଚୂଡ଼ାନ୍ତ ହୋଇଛନ୍ତି।

ମିଡ୍ ଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ହାରିଲେ ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ରହିବେ। କିନ୍ତୁ କଂଗ୍ରେସରେ ବହୁମତ ହରାଇବା ଯୋଗୁ ତାଙ୍କୁ ନିଷ୍ପତ୍ତି ନେବା ସହଜ ହୋଇ ନ ପାରେ। ଟାରିଫ୍,ଭିସା ଏବଂ ଅନ୍ୟ ବଡ଼ ନୀତିଗତ ନିଷ୍ପତ୍ତିକୁ ଲାଗୁ କରିବାରେ ଟ୍ରମ୍ପଙ୍କୁ ଡେମୋକ୍ରାଟ୍ସ ବିରୋଧର ସାମନା କରିବାକୁ ପଡ଼ିପାରେ। କାର୍ଯ୍ୟକାଳର ବାକି ୨ ବର୍ଷ ତାଙ୍କୁ କଂଗ୍ରେସ ସହ ଅଧିକ ତାଳମେଳ ରଖି ଚାଲିବାକୁ ପଡ଼ିବ। ଆମେରିକା ଭୋଟରଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ଦରଦାମ ବୃଦ୍ଧି । ଇପସୋସ୍ ସର୍ଭେରେ ୫୪% ଲୋକ ଦରବୃଦ୍ଧି ଏବଂ ଅର୍ଥବ୍ୟବସ୍ଥାକୁ ସବୁଠୁ ବଡ଼ ପ୍ରସଙ୍ଗ ବୋଲି କହିଛନ୍ତି।

Also Read :- ଇନସ୍ୟୁରାନ୍ସ ନଥିଲେ ସିଜ୍ ହେବ ଗାଡ଼ି : ରାସ୍ତାରେ ଅଟକାଇ ଜବତ କରିବ ପରିବହନ ବିଭାଗ

କେବଳ ୩୨% ଲୋକଙ୍କ ଅନୁସାରେ ଟ୍ରମ୍ପ୍ ଅର୍ଥବ୍ୟବସ୍ଥାକୁ ଭଲ ଭାବେ ସମ୍ଭାଳିଛନ୍ତି। ୬୯% ଆମେରିକୀୟଙ୍କୁ ଏବେର ଆର୍ଥିକ ସ୍ଥିତି ଖରାପ ଲାଗୁଛି। ଆଗକୁ ଆର୍ଥକ ଅବସ୍ଥା ଆହୁରି ଅଧିକ ଖରାପ ହୋଇପାରେ ବୋଲି ୪୮% ଲୋକ ଆଶଙ୍କା ବ୍ୟକ୍ତ କରିଛନ୍ତି।ଇରାନ ଯୁଦ୍ଧ ଏବେ କେବଳ ବିଦେଶ ନୀତି ମାମଲା ନୁହେଁ। ଏହାର ପ୍ରଭାବ ସିଧାସଳଖ ଆମେରିକୀୟଙ୍କ ପକେଟରେ ପଡୁଛି। ଇପସୋସ୍ ସର୍ଭେରେ ୨୦% ଭୋଟର ଇରାନ ଯୁଦ୍ଧକୁ ଆଉ ଏକ ପ୍ରମୁଖ ପ୍ରସଙ୍ଗ ବୋଲି କହିଛନ୍ତି। ଯଦି ଆଗକୁ ଯୁଦ୍ଧ ଲମ୍ବିବ ତେବେ ପେଟ୍ରୋଲ,ଟ୍ରାନ୍ସପୋର୍ଟ ଏବଂ ଦୈନନ୍ଦିନ ସାମଗ୍ରୀ ଆହୁରି ମହଙ୍ଗା ହୋଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି। ଟ୍ରମ୍ପଙ୍କ ଇମିଗ୍ରେସନ ନୀତିକୁ ୬୧% ଆମେରିକୀୟ ନାପସନ୍ଦ କରିଛନ୍ତି। କେବଳ ୩୯% ଏହାକୁ ସମର୍ଥନ କରିଛନ୍ତି। ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳ ଆରମ୍ଭ ବେଳେ ଏହି ନୀତିକୁ ୪୯% ଲୋକଙ୍କ ସମର୍ଥନ ଥିଲା ।

ସେହିପରି ଟ୍ରମ୍ପ୍ କଂଗ୍ରେସରେ ବହୁମତ ହରାଇଲେ ତାଙ୍କ ବିରୋଧରେ ମହାଭିଯୋଗ ବିପଦ ଘନେଇପାରେ। ଡେମୋକ୍ରାଟ୍ସ ଉଭୟ ଗୃହରେ ମଜଭୁତ ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିପାରନ୍ତି। ଇରାନ ଯୁଦ୍ଧ ପାଇଁ ସେ କଂଗ୍ରେସ ଉପରେ ଅଧିକ ପାଣ୍ଠି ଲାଗି ଚାପ ପକାଉଛନ୍ତି। ଯଦି କଂଗ୍ରେସରେ ଟ୍ରମ୍ପ୍ ଙ୍କ ବହୁମତ ନ ରୁହେ ତେବେ ତାଙ୍କ ମନମାନି ଉପରେ ବି ରୋକ ଲାଗିପାରେ ।