ନୂଆଦିଲ୍ଲୀ,/୦୯ : ଆମେରିକାରେ ଗ୍ରୀନ୍ କାର୍ଡକୁ ନେଇ ବିବାଦ ଘନେଇଛି। ଏବେ ଏହା ଆଇନଗତ ଲଢ଼େଇରେ ପରିଣତ ହୋଇଛି। ନ୍ୟୁୟର୍କ ସହରର ମେୟର ଜୋହରାନ ମମଦାନି ଏବଂ ୨୨ ଆମେରିକୀୟ ରାଜ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି। ତାଙ୍କ ଗ୍ରୀନ୍ କାର୍ଡ ନୀତିକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ଏହି ନିୟମ ଆସନ୍ତା ୧୮ ତାରିଖରୁ ଲାଗୁ ହେବାର ଅଛି। ତେବେ ସୋମବାର ଏହା ବିରୋଧରେ ଦୁଇଟି ଅଲଗା ଅଲଗା ମକଦ୍ଦମା ରୁଜୁ ହୋଇଛି। ଗୋଟିଏ ମୋକଦ୍ଦମା ୨୨ ରାଜ୍ୟ ଏବଂ କଲମ୍ବିଆ ଜିଲ୍ଲା ପକ୍ଷରୁ ଦାଖଲ ହୋଇଛି। ଅନ୍ୟଟି ନ୍ୟୁୟର୍କ ସହର ସମେତ ଚିକାଗୋ,ସାନ୍ ଫ୍ରାନସିସ୍କୋ ଏବଂ ସିଏଟଲ ଭଳି ସ୍ଥାନୀୟ ସରକାରମାନେ ଦାଖଲ କରିଛନ୍ତିI

ମମଦାନି ଦ୍ଵିତୀୟ ମଜଦ୍ଦମାର ନେତୃତ୍ବ ନେଉଛନ୍ତି। ରାଜ୍ୟଗୁଡ଼ିକ ଟ୍ରମ୍ପଙ୍କ ଏହି ନୀତିକୁ ବିନାଶକାରୀ ବୋଲି ଅଭିହିତ କରିଛନ୍ତି । ପ୍ରକାଶଥାଉ କି,ଆମେରିକାରେ ସ୍ଥାୟୀ ଭାବେ ରହିବା ଲାଗି ସ୍ୱପ୍ନ ଦେଖୁଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଗ୍ରୀନ୍ କାର୍ଡ ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହା ଅସ୍ଥାୟୀ ଭାବେ କାମ କରିବା,ପାଠପଢ଼ା ଏବଂ ଦୀର୍ଘ ପ୍ରତୀକ୍ଷା ପରେ ସ୍ଥାୟୀ ଭାବେ ବସବାସ କରିବା ଲାଗି ରାସ୍ତା ଖୋଲିଥାଏ। ଗ୍ରୀନ୍ କାର୍ଡ ଧାରକ ଦେଶରେ ସ୍ଥାୟୀ ଭାବେ ରହିବା ସହ କାମ କରିପାରିବେ। ଅନେକ ଲୋକଙ୍କ ପାଇଁ ଏହା ନାଗରିକତା ପାଇବା ଦିଗରେ ବେଶ୍ ମହତ୍ତ୍ଵପୂର୍ଣ୍ଣ ପର୍ଯ୍ୟାୟ । ଭାରତୀୟ ଆବେଦକଙ୍କ ପାଇଁ ଏହା ବେଶ୍ ଗୁରୁତ୍ଵପୂର୍ଣ । କାରଣ ନିଯୁକ୍ତି ଭିତ୍ତିକ ଇମିଗ୍ରେସନ ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । ଅନେକ ଭାରତୀୟ ଦୀର୍ଘ ସମୟ ଧରି ଅସ୍ଥାୟୀ ଭିସରେ ଆମେରିକାରେ ରହିଥାନ୍ତି।

Also Read :- ହୁତି ଆକ୍ରମଣରେ ଛାନିଆ ହୋଇଗଲା ସାଉଦି ଆରବ, ଇସ୍ରାଏଲକୁ ମାଗିଲା ସାହାଯ୍ୟ

ଦାଏର ମକଦ୍ଦମା ଅନୁସାରେ,ଗ୍ରୀନ୍ କାର୍ଡ ନୀତି ପ୍ରବାସୀ ପରିବାରଗୁଡ଼ିକୁ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ସର୍ବସାଧାରଣ ସହାୟତା କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ବାଧ୍ୟ କରିବ ଏବଂ ଭବିଷ୍ୟତରେ ଗ୍ରୀନ୍ କାର୍ଡ ଅଗ୍ରହଣୀୟ ହେବାର ଆଶଙ୍କା ପ୍ରବାସୀ ପରିବାରଗୁଡ଼ିକୁ କ୍ଷତି ପହଞ୍ଚାଇବ । ତେଣୁ ଟ୍ରମ୍ପଙ୍କ ନୀତିକୁ ଡେମୋକ୍ରାଟିକ ପାର୍ଟି ନେତୃତ୍ୱାଧୀନ ରାଜ୍ୟ,ସହର ରୋକିବାକୁ ଚାହୁଁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମମଦାନୀ କହିଛନ୍ତି,କିଛି ପରିବାର ପୂର୍ବରୁ ହିଁ ଖାଦ୍ୟ ସହାୟତା,ସ୍ବାସ୍ଥ୍ୟ ସେବା ଏବଂ ଆବାସ ଭଳି ଲାଭ ଛାଡୁଛନ୍ତି । ଅନେକ ମାମଲାରେ ସେହି ପରିବାରଗୁଡ଼ିକର ଆମେରିକୀୟ ନାଗରିକ ପିଲାମାନେ ଏହି ଯୋଜନାର ଲାଭ ପାଇବାକୁ ଆଇନଗତ ଭାବେ ହକବାର। ଏହା ସତ୍ତ୍ୱେ ଭୟ ଯୋଗୁ ପରିବାର ପରସ୍ପରଠାରୁ ଦୂରେଇ ରହୁଛନ୍ତି। ଏହି ଡର ହିଁ ମକଦ୍ଦମା କରିବାର ମୁଖ୍ୟ କାରଣ।

ଟ୍ରମ୍ପଙ୍କ ଅଧିକାରୀଙ୍କ କହିବା ଅନୁସାରେ, ‘ପବ୍ଲିକ୍ ଚାର୍ଜଭାବେ ଜଣାଶୁଣା ଏହି ନୀତି ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପ୍ରବାସୀମାନେ ନିଜେ ନିଜକୁ ସପୋର୍ଟ କରିବାକୁ ସକ୍ଷମ ହେବା ଉଚିତ। ପବ୍ଲିକ୍ ଚାର୍ଜ ଦ୍ବାରା ସରକାରୀ ସହାୟତା ନେଉଥିବା ବିଦେଶୀ ନାଗରିକଙ୍କ ପାଇଁ ଏଣିକି ଗ୍ରୀନ୍ କାର୍ଡ ପାଇବା କଷ୍ଟକର ହୋଇପଡ଼ିବ। ସ୍ଥାୟୀ ନିବାସୀ ହେବାକୁ ଚାହିଁଥିବା ବ୍ୟକ୍ତି ସରକାରଙ୍କ ଉପରେ ନିର୍ଭର କରିବା ଉଚିତ ନୁହେଁ। ସେମାନଙ୍କୁ ଆତ୍ମନିର୍ଭର ହେବାକୁ ପଡିବ ।