ନୂଆଦିଲ୍ଲୀ: ରାଇଡ୍ ବୁକ୍ କରିବା ସମୟରେ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ବାଧ୍ୟ କରିବା ରାପିଡୋକୁ ମହଙ୍ଗା ପଡ଼ିଛି। ଭ୍ରାମକ ବିଜ୍ଞାପନ, ଅନୁଚିତ ବ୍ୟବସାୟିକ ପ୍ରଥା ଏବଂ ‘ଡାର୍କ ପ୍ୟାଟର୍ନ’ ବ୍ୟବହାର ଅଭିଯୋଗରେ ସେଣ୍ଟ୍ରାଲ୍ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି (CCPA) ରାଇଡ୍-ହେଲିଂ ପ୍ଲାଟଫର୍ମ ରାପିଡୋ ପରିଚାଳନା କରୁଥିବା ରୋପେନ ଟ୍ରାନ୍ସପୋର୍ଟେସନ ସର୍ଭିସ୍ ପ୍ରାଇଭେଟ ଲିମିଟେଡ୍ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। କ୍ୟାବ୍ ଓ ବାଇକ୍-ଟ୍ୟାକ୍ସି ଆଗ୍ରିଗେଟର୍ ପ୍ଲାଟଫର୍ମଗୁଡ଼ିକରେ ଆଡଭାନ୍ସ ଟିପ୍ ଏବଂ ଡାଇନାମିକ୍ ପ୍ରାଇସିଂ ସମ୍ପର୍କିତ ଅଭ୍ୟାସ ଉପରେ ଯାଞ୍ଚ ପରେ ସିସିପିଏ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

‘ଅଧିକ ଟଙ୍କା ଦେଲେ ରାଇଡ୍ ମିଳିବାର ସମ୍ଭାବନା ଅଧିକ’

ଯାଞ୍ଚ ସମୟରେ ରାପିଡୋ ଗ୍ରାହକଙ୍କୁ ବାଧ୍ୟ କଲା ଭଳି ଆପ୍‌ରେ ଏକାଧିକ ବାର୍ତ୍ତା ଦେଉଥିଲା ବୋଲି ସିସିପିଏ ଜାଣିବାକୁ ପାଇଥିଲା ଯେଉଁଥିରେ ଲେଖାଯାଉଥିଲା ଦାମ୍ ଯେତେ ଅଧିକ ହେବ, ଗାଡ଼ି ମିଳିବାର ସମ୍ଭାବନା ସେତେ ଅଧିକ ରହିବ। ଏହା ସହିତ କ୍ୟାପଟେନ୍‌ମାନେ ୬୦ ଟଙ୍କାରେ ଗ୍ରହଣ କରୁନାହାନ୍ତି। ଏଥିରେ +୧୦, +୨୦ କିମ୍ବା +୩୦ ଯୋଡ଼ିବାକୁ ଚେଷ୍ଟା କରନ୍ତୁ। ଭଳି ପ୍ରମ୍ପ୍ଟ ମଧ୍ୟ ଦିଆଯାଉଥିଲା।

ନିୟାମକଙ୍କ ଅନୁସାରେ, ପ୍ରଥମେ ରାପିଡୋ ଏକ ନିର୍ଦ୍ଦିଷ୍ଟ ଭଡ଼ା ଦେଖାଉଥିଲା। ଯାତ୍ରୀ ସେହି ଭଡ଼ାରେ ରାଇଡ୍ ବୁକ୍ କରିବା ପରେ ଡ୍ରାଇଭର ମୂଳ ଭଡ଼ାରେ ରାଇଡ୍ ଗ୍ରହଣ କରୁନଥିବା ଦର୍ଶାଇ ଅତିରିକ୍ତ ଟଙ୍କା ଦେବାକୁ ପ୍ରମ୍ପ୍ଟ କରାଯାଉଥିଲା।

Also Read- ୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ୦.୪୦% ଚାର୍ଜ, ଅକ୍ଟୋବର ୧୫ରୁ ଲାଗୁ

ଏନେଇ ସିସିପିଏ କହିଛି, ଏପରି ବ୍ୟବସ୍ଥା ଯାତ୍ରୀଙ୍କ ମନରେ ଏକ ଭୁଲ ଧାରଣା ସୃଷ୍ଟି କରୁଥିଲା ଯେ ଅଧିକ ଟଙ୍କା ଦେଲେ ହିଁ ରାଇଡ୍ ମିଳିବାର ସମ୍ଭାବନା ବଢ଼ିବ। ବିଶେଷକରି ବୁକିଂ ପାଇଁ ଯାତ୍ରୀ ନିଷ୍ପତ୍ତି ନେଇସାରିବା ପରେ ଏଭଳି ଅତିରିକ୍ତ ଦେୟ ମାଗିବାକୁ ନିୟାମକ ଅନୁଚିତ ବୋଲି କହିଛନ୍ତି।

ବୁକିଂ ପୂର୍ବରୁ ଟିପ୍ ଦେବାକୁ ବାଧ୍ୟ କରାଯାଇପାରିବନି

ସିସିପିଏ କହିଛି, ରାଇଡ୍ ବୁକିଂ ସମୟରେ ଦେଖାଯାଉଥିବା ଭଡ଼ାରେ ଦୂରତା, ସମୟ, ଟ୍ରାଫିକ୍, ଟୋଲ୍ ଏବଂ ଡ୍ରାଇଭରଙ୍କୁ ଦିଆଯିବାକୁ ଥିବା ଟଙ୍କା ଭଳି ବିଭିନ୍ନ ଉପାଦାନ ବିଚାର କରାଯାଏ। ତେଣୁ ରାଇଡ୍ ଆରମ୍ଭ ହେବା ପୂର୍ବରୁ ସେହି ରାଇଡ୍ ପାଇଁ ଅତିରିକ୍ତ ଟଙ୍କା କିମ୍ବା ଟିପ୍ ଦେବାକୁ ସୂଚନା ଦେବାର କୌଣସି ଯଥାର୍ଥତା ନାହିଁ। ସାଧାରଣତଃ ଟିପ୍ ଏକ ସ୍ୱେଚ୍ଛାକୃତ ଦେୟ ଏବଂ ସେବା ମିଳିବା ପରେ ଏହା ଦିଆଯାଏ। ଏହାକୁ ସେବା ପାଇବାର ଶର୍ତ୍ତ ଭାବେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି ସିସିପିଏ କହିଛି।

୨୦୨୫ ଗାଇଡଲାଇନ୍‌ରେ ମଧ୍ୟ ରହିଛି ନିୟମ

ସିସିପିଏ ମୋଟର ଭେହିକଲ୍ ଆଗ୍ରିଗେଟର୍ ଗାଇଡଲାଇନ୍ସ, ୨୦୨୫କୁ ମଧ୍ୟ ଉଲ୍ଲେଖ କରିଛି। ଏହି ନିୟମ ଅନୁସାରେ ଟିପ୍ ଦେବାର ସୁବିଧା ରାଇଡ୍ ସମ୍ପୂର୍ଣ୍ଣ ହେବା ପରେ ଉପଲବ୍ଧ ହେବା ଉଚିତ। ବୁକିଂ ସମୟରେ କିମ୍ବା ରାଇଡ୍ ଚାଲିଥିବା ବେଳେ ଏହାକୁ ପ୍ରୋତ୍ସାହିତ କରାଯିବା ଉଚିତ ନୁହେଁ।

ଏହାପୂର୍ବରୁ ସିସିପିଏ ଉବର, ଓଲା, ରାପିଡୋ ଓ ନାମ୍ମା ଯାତ୍ରୀଙ୍କୁ ନୋଟିସ୍ ଜାରି କରି ୨୦୨୩ ଡାର୍କ ପ୍ୟାଟର୍ନ ଗାଇଡଲାଇନ୍‌ ପାଳନ କରିବାକୁ କହିଥିଲା। ଏହା ସହ କମ୍ପାନୀଗୁଡ଼ିକୁ ନିଜ ଅନୁପାଳନ ସମ୍ପର୍କରେ ସେଲ୍ଫ୍-ଡିକ୍ଲାରେସନ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଉବର ଓ ଓଲା ବିରୋଧରେ ସିସିପିଏର ଯାଞ୍ଚ ଏବେ ବି ଜାରି ରହିଛି।

.