ନୂଆଦିଲ୍ଲୀ: କେନ୍ଦ୍ର ସରକାର ୟୁପିଆଇ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବାକୁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ୟୁପିଆଇ ପରିଚାଳନା କମିଟି ବୈଠକରେ ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୟୁପିଆଇ ଏମଡିଆରକୁ ୪୦ ବିପିଏସ୍ କିମ୍ବା ୦.୪ ପ୍ରତିଶତ କରାଯାଇଛି । ଏହାର ଅର୍ଥ ହେଉଛି ୨,୦୦୦ରୁ ଅଧିକ ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ ।

ଅକ୍ଟୋବର ୧୫, ୨୦୨୬ରୁ କେତେକ ନିର୍ଦ୍ଦିଷ୍ଟ ମର୍ଚାଣ୍ଟ (P2M) ଟ୍ରାଞ୍ଜାକସନ୍ ଉପରେ ୟୁପିଆଇ ମର୍ଚାଣ୍ଟ ଡିସକାଉଣ୍ଟ ରେଟର ନୂଆ ଫ୍ରେମୱାର୍କ ଲାଗୁ ହେବ । ତେବେ ପରସ୍ପର ମଧ୍ୟରେ ୟୁପିଆଇ ଜରିଆରେ ଟଙ୍କା ଟ୍ରାନ୍ସଫର (P2P) କଲେ ବି ଏହି ଚାର୍ଜ ଲାଗିବ ନାହିଁ । ଏହା କେବଳ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ଉପରେ ହିଁ ଲାଗୁ ହେବ । ଏନପିସିଆଇ ଅନୁଯାୟୀ, ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪% ଶୁଳ୍କ ନିଆଯିବ । ୭୫,୦୦୦ କିମ୍ବା ତା'ଠାରୁ ଅଧିକ ଦେୟ ପାଇଁ ସର୍ବାଧିକ ଶୁଳ୍କ ହେଉଛି ୩୦୦ । ଏହି ନୂତନ ଢାଞ୍ଚାର ଲକ୍ଷ୍ୟ ୟୁପିଆଇ ଇକୋସିଷ୍ଟମ ପାଇଁ ଏକ ଅଧିକ ସ୍ଥାୟୀ ବ୍ୟବସାୟ ମଡେଲ ସୃଷ୍ଟି କରିବା ।

କେଉଁ ବ୍ୟବସାୟୀଙ୍କୁ ଏହି ଚାର୍ଜ ଦେବାକୁ ପଡ଼ିବ ନାହିଁ ?

ନୂଆ ନିୟମ ଅନୁଯାୟୀ, କ୍ୟୁଆର୍ କୋଡ୍ ଜରିଆରେ ପ୍ରତି ମାସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଛୋଟ ମର୍ଚାଣ୍ଟଙ୍କୁ କୌଣସି ଏମଡିଆର୍ ଦେବାକୁ ପଡ଼ିବ ନାହିଁ । ରେଳବାଇ ଏବଂ ଫ୍ୟୁଏଲ୍ (ଇନ୍ଧନ) ଭଳି କ୍ୟାଟେଗୋରୀରେ ୨,୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ୫ ଟଙ୍କାର ଫ୍ଲାଟ୍ ଫି' ଲାଗିବ ଏବଂ ଅଧିକ ଭାଲ୍ୟୁ ଥିବା ଅନ୍ୟ ପିଟୁଏମ୍ ଟ୍ରାଞ୍ଜାକସନ୍ ଉପରେ ୦.୪% ଚାର୍ଜ ଲାଗିବ, ଯାହାର ସର୍ବାଧିକ ସୀମା ୩୦୦ ହେବ ।

ଏହାର ଅର୍ଥ ହେଉଛି, ଯଦି ଆପଣ ୨୦୦୦ ଟଙ୍କାରୁ ଅଧିକର ପର୍ସନାଲ୍ ଟୁ ମର୍ଚାଣ୍ଟ ପେମେଣ୍ଟ କରୁଛନ୍ତି, ତେବେ ଟଙ୍କା ଗ୍ରହଣ କରୁଥିବା ବ୍ୟବସାୟୀଙ୍କୁ ସର୍ବାଧିକ ୩୦୦ ଟଙ୍କା ଦେବାକୁ ପଡ଼ିବ । ଏହାଠାରୁ ଅଧିକ ଏମଡିଆର୍ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ ନାହିଁ । ପେଟ୍ରୋଲ ଏବଂ ଡିଜେଲ ଭଳି ଫ୍ୟୁଏଲ୍ ଉପରେ ମର୍ଚାଣ୍ଟଙ୍କୁ ୟୁପିଆଇରେ ଏମଡିଆର ସର୍ବାଧିକ ୫ ଟଙ୍କା ହିଁ ଦେବାକୁ ପଡ଼ିବ ।

 

୨୦୦୦ ଟଙ୍କାରୁ କମ୍ କାରବାର ଉପରେ କୌଣସି ଚାର୍ଜ ନାହିଁ

ନୂଆ ନିୟମରେ କୁହାଯାଇଛି ଯେ, ୨୦୦୦ ଟଙ୍କାରୁ କମ୍ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ୟୁପିଆଇରେ ଏହିପରି ମୋଟ ଟ୍ରାଞ୍ଜାକ୍ସନ ୯୫ ପ୍ରତିଶତ ରହିଛି । ଏହାର ଅର୍ଥ ହେଉଛି କେବଳ ୫ ପ୍ରତିଶତ ମର୍ଚାଣ୍ଟ ବ୍ୟବସାୟୀଙ୍କୁ ଏହି ଚାର୍ଜ ଦେବାକୁ ପଡ଼ିବ । ସରକାରଙ୍କ ଏହି ପଦକ୍ଷେପ ଅଧୀନରେ ଛୋଟ ଭେଣ୍ଡର ଏବଂ ଟାୟାର-୩ ବଜାର ପାଇଁ ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚରକୁ ଅପଗ୍ରେଡ୍ କରିବା ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡ ମଧ୍ୟ ତିଆରି କରାଯିବ ।

ସରକାର କାହିଁକି ଲାଗୁ କଲେ ଏହି ନିୟମ ? 

ସରକାରଙ୍କ କହିବା କଥା ହେଉଛି, ୟୁପିଆଇ ଏବେ ବହୁତ ବଡ଼ ହୋଇସାରିଛି ଏବଂ ଏହାର ସୁରକ୍ଷିତ ପରିଚାଳନା ପାଇଁ ଅର୍ଥର ଆବଶ୍ୟକତା ରହିଛି । ସାଇବର ସିକ୍ୟୁରିଟି ଏବଂ ଠକେଇ ରୋକିବା ସହ ନୂଆ ଇନୋଭେସନ୍ ପାଇଁ କ୍ରମାଗତ ନିବେଶର ଆବଶ୍ୟକତା ରହିଛି । କେବଳ ସରକାରୀ ସବସିଡି ଉପରେ ନିର୍ଭର କରିବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ସରକାର ୟୁପିଆଇ ପେମେଣ୍ଟ ଉପରେ ଏମଡିଆର ଲାଗୁ କରି ଫଣ୍ଡ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ।