ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏଇ ପୃଥିବୀରେ ଡାଇନାସୋର ଭଳି ବିଶାଳ ଜୀବନଟିଏ ଥିଲା। ହେଲେ ବିଜ୍ଞାନ କହେ ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ଏକ ବିଶାଳ ଉଲ୍କାପିଣ୍ଡର ପୃଥିବୀ ସହ ଧକ୍କା ହେବା, ତୀବ୍ର ବିଶ୍ୱସ୍ତରୀୟ ଜଳବାୟୁ ପରିବର୍ତ୍ତନ ଏବଂ ଆଗ୍ନେୟଗିରି ଭୟଙ୍କର ଉଦ୍‌ଗିରଣ ଯୋଗୁ ଡାଇନୋସରଗୁଡ଼ିକ ବିଲୁପ୍ତ ହୋଇଗଲେ। ଏହାପରେ ସମୟ ବଦଳିଲା ପୃଥିବୀ କଡ଼ ଲେଉଟାଇଲା। ମଣିଷ ଭଳି ବୁଝାସୁଝା ଜୀବଟିଏ ଜନ୍ମ ହେଲା। ହେଲେ ଏହି ବୁଝାସୁଝା ଜୀବଟି ଆଜି ନିଜ ବିଲୁପ୍ତର କାହାଣୀ ନିଜେ ଲେଖୁଛି। ସବୁଦିନ ପାଇଁ ପୃଥିବୀ ପୃଷ୍ଠରେ ମଣିଷ ଜାତିର ବିନାଶ ହେବାକୁ ଯାଉଛି। ଆଉ ଏହି ବିନାଶର ମୂଳ କାରଣ ସାଜିବ ଆଜିର ଅତ୍ୟାଧୁନିକ ଟେକ୍ନୋଲୋଜୀ ଏଆଇ, ବା ଯାହାକୁ ଆମେ ଓଡ଼ିଆରେ କହୁଛେ କୃତ୍ତିମ ବୁଦ୍ଧିମତା।

ଯେଉଁମାନେ ଏଆଇ କ୍ଷେତ୍ରରେ ରିସର୍ଚ୍ଚ କରୁଛନ୍ତି ସେମାନେ ଏହି ଭୟଙ୍କର ଚେତାବନୀ ଦେଲେଣି। ଏହି ବିନାଶର ଭାଗିଦାର ନହେବାକୁ ସେମାନେ ଏବେ ଏଆଇ କାମ ନ କରିବା ପାଇଁ କମ୍ପାନୀଗୁଡ଼ିକରୁ ଇସ୍ତଫା ଦେଉଛନ୍ତି। ଜାକବ କକ୍ସନ ଆନ୍ଥ୍ରୋପିକ୍ରୁ, ବିଲାଲ ଚୁଗତାଇ ଗୁଗଲରୁ, ମ୍ରିନାକ ଶର୍ମା ଆନ୍ଥ୍ରୋପିକ୍ରୁ ଓ ଜେଫ୍ରି ହିଣ୍ଟନ୍ ଗୁଗଲରୁ ଇସ୍ତଫା ଦେଇସାରିଛନ୍ତି। ସେମାନେ କଣ କହିଛନ୍ତି ଜାଣନ୍ତି ? ଜାଣିଲେ ଆପଣଙ୍କୁ ହୁଏତ ଭୟ ଲାଗିପାରେ। ଆଜି ଆମେ ଏହି ଏଆଇ ରିସର୍ଚ୍ଚରମାଙ୍କର ପୂରା ଭବିଷ୍ୟବାଣୀ ଆପଣଙ୍କ ସାମ୍ନାରେ ରଖିବୁ।

ଜାକବ କକ୍ସନ: ଜାକବ ପୂର୍ବରୁ ଓପନ ଏଆଇରେ କାମ କରୁଥିଲେ। ପରେ ସେ ଆନ୍ଥ୍ରୋପିକ୍ରେ ଯୋଗ ଦେଲେ ଓ ଇସ୍ଥଫା ବି ଦେଲେ। କକ୍ସନ ଇସ୍ଥଫା ଦେବା ପରେ ଏଆଇର ଭୟଙ୍କର ପରିଣତି ବିଷୟରେ ଲୋକଙ୍କୁ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି -"ଏଆଇ ତିଆରି କରୁଥିବା ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଏଇ ଦଶନ୍ଧିର ଶେଷ ସୁଦ୍ଧା ଏଆଇ ଆମ ସମସ୍ତଙ୍କର ଜୀବନ ନେଇପାରେ। ମୁଁ କୌଣସି ମାର୍କେଟିଂ କୌଶଳ କରୁ ନାହିଁ। ବରଂ, ଅନେକ ବରିଷ୍ଠ ଅଧିକାରୀ ଓ ଗବେଷକ ଗଣମାଧ୍ୟମ ସାମ୍ନାରେ ନିଜ କଥାକୁ ବେଶ୍ ଯୁକ୍ତିଯୁକ୍ତ ଓ ସଂଯତ ଭାବେ ଉପସ୍ଥାପନ କରନ୍ତି,କିନ୍ତୁ ବ୍ୟକ୍ତିଗତ ଭାବେ ସେମାନେ ସମାନ ଆଶଙ୍କା ବ୍ୟକ୍ତ କରୁଥିବାର ମୁଁ ଶୁଣିଛି। ମଣିଷର ଅନ୍ୟ କୌଣସି କାର୍ଯ୍ୟକଳାପ ହୁଏତ ଏତେ ବଡ଼ ବିପଦ ସୃଷ୍ଟି କରିପାରିବ ନାହିଁ, ଯେତେବଡ଼ ବିପଦ ଏହି ଆଇ କରିବ।"

କକ୍ସନଙ୍କ କଥା ସେତିକିରେ ସରି ନାହିଁ। ନିକଟରେ ବିବିସିକୁ ସାକ୍ଷାତ୍କାର ଦେଇ କହିଛନ୍ତି ଏହି ଟେକ୍ନୋଲୋଜି ଉପରେ କାମ କରୁଥିବା ଲୋକମାନେ ଏହାର ଅଗ୍ରଗତିର ଗତି ଏବଂ ମାନବଜାତି ପାଇଁ ଏହାର ସମ୍ଭାବ୍ୟ ପରିଣାମକୁ ନେଇ "ପ୍ରକୃତରେ ଭୟଭୀତ" ଅଛନ୍ତି।

ନିକଟରେ 'ଆନ୍ଥ୍ରୋପିକ୍'ର ମୁଖ୍ୟ ଡାରିଓ ଆମୋଡେଇ ଏଆଇ ବିକାଶ ପ୍ରକ୍ରିୟାକୁ ମନ୍ଥର କରିବା ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କର ଏହି ପ୍ରସ୍ତାବକୁ ଏଆଇର ଷ୍ଟ୍ରଙ୍ଗ ଲିଡର- ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ ଓ ଗ୍ରୋକ ଏଆଇ ଇଲନ ମସ୍କ ସମର୍ଥନ ମଧ୍ୟ କରିଥିଲେ।

ପୂର୍ବତନ ବସ୍ ଆମୋଡେଇଙ୍କ କଥାକୁ ସମର୍ଥନ କରି କକ୍ସନ ବିବିସିକୁ କହିଛନ୍ତି “ମୁଁ ଭାବୁଛି ଯଦି ଆମେ ବର୍ତ୍ତମାନର ଏଆଇ ପ୍ରଗତି ହାରକୁ ମନ୍ଥର ନକରୁ, ତେବେ ନିକଟ ଭବିଷ୍ୟତରେ ଆମେ ସମସ୍ତେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ।”

ମାନେ ଆପଣ ଭାବନ୍ତୁ ଏହା କେତେବଡ଼ ସାଂଘାତିକ କଥା। ଯେଉଁମାନେ ସେହି ଫିଲ୍ଡରେ ଅଛନ୍ତି ସେମାନେ ଏଆଇର ଭୟଙ୍କର ପ୍ରଭାବ ବିଷୟରେ ବାରମ୍ବାର ଚେତାବନୀ ଦେଲେଣି। ଖାଲି ରିସର୍ଚ୍ଚରମାନେ ନୁହଁନ୍ତି, କମ୍ପାନୀମାନେ ମଧ୍ୟ ଏହାକୁ ମନ୍ଥର କରିବା ପାଇଁ ଚାହିଁଲେଣି।

ଗୁଗଲରୁ ଇସ୍ତଫା ଦେଇଥିବା ଆଉ ଜଣେ ରିସର୍ଚର ବିଲାଲ ଚୁଗ୍ତାଇଙ୍କର ଚେତାବନୀ ତ ଆହୁରି ଭୟଙ୍କର। ବିଲାଲ ଚୁଗତାଇ ଗୁଗୁଲ୍ ଡିପ୍ ମାଇଣ୍ଡର ସେହି ଟିମ୍ର ଅଂଶ ଥିଲେ ଯାହାର କାମ ଥିଲା ଯେ ଏଆଇ କିଭଳି ମଣିଷର କ୍ଷତି ନକରି ଏହାର ଲାଭ ପାଇଁ କାମ କରିବ, ତାହା ଦେଖିବା।

ହେଲେ ବିଲାଲ୍ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହି ଯାହା ଦେଖିଲେ, ତାହା ସହି ନପାରି ଇସ୍ତଫା ଦେଇ ଦେଇଥିଲେ। ସେ ଚେତାବନୀ ଦେଇ କହିଛନ୍ତି "ଗୁଗୁଲ୍ରେ କାମ କରିବା ସମୟରେ, ମୁଁ ଏଆଇର ବିକାଶ ଏବଂ ପରିବର୍ତ୍ତନକୁ ବହୁତ ନିକଟରୁ ଦେଖିଛି। ଏହି ଟେକ୍ନୋଲୋଜୀ ଯେଉଁ ରୂପେ ନେଉଛି ତାହା ଖୁବ୍ ଭୟଙ୍କର। ଏଆଇ ମାନବ ଜାତିକୁ ନିଶ୍ଚିହ୍ନ କରିପାରେ, ଆଉ ଏହି ବିପଦକୁ ରୋକିବା ପାଇଁ ଆମ ପାଖରେ ସମୟ ବହୁତ କମ୍।"

ବିଲାଲଙ୍କ କହିବା କଥା ହେଲା କମ୍ପାନୀଗୁଡ଼ିକ ଖୁବ୍ ଶୀଘ୍ର ଏପରି ଏଆଇ ସୃଷ୍ଟି କରିବେ ଯାହା ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ। ଦିନେ ସମୟ ଆସିବ, ଯେ ମଣିଷ ଏଆଇ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇବ।

ବିଲାଲଙ୍କର ଏହି ଚେବାନୀ ଶୁଣିବା ପରେ ରଜନୀ କାନ୍ତଙ୍କର ସିନେମା ‘ରୋବର୍ଟର’ ଦୃଶ୍ୟ ଆଖି ଆଗରେ ନାଚି ଯାଉଛି। ରଜନୀକାନ୍ତ ଚିଟି ନାମକ ଯେଉଁ ରୋବର୍ଟ ତିଆରି କରନ୍ତି, କ୍ରମେ କ୍ରମେ ତା ଭିତରେ ମଣିଷ ଭଳି ଫିଲିଂ ଆସିଯାଏ, ସେ ବି ପ୍ରେମ କରି ବସେ, ଆଉ ରଜନୀକାନ୍ତଙ୍କ ପ୍ରେମିକାକୁ ବାହା ହେବାକୁ ଜିଦ୍ ଧରେ। ଏଥିରେ ବିରକ୍ତି ହୋଇ ରଜନୀକାନ୍ତ ରୋବୋର୍ଟକୁ ଭାଙ୍ଗି ଦିଅନ୍ତି। ଆଉ ତା ପରେ ଡ. ବୋହରା ସେହି ରୋବର୍ଟକୁ ଖରାପ ଟ୍ରେନିଂ ଦେଇ କିଭଳି ଭିଲିଆନ ବନେଇ ଦିଅନ୍ତି ଆଉ ସେ କିଭଳି ମାନବ ସମାଜ ପାଇଁ ବିପଦ ପାଲଟିଯାଏ ତାହା ଆପଣ ସମସ୍ତେ ଦେଖିଥିବେ।

ଏବେ ବିଲାଲ କହୁଛନ୍ତି ଏହି ଏଆଇ ଠିକ୍ ସେମିତି ମଣିଷ କଣ୍ଟ୍ରୋଲରୁ ବାହାରିଯିବ। ତା’ପରର ଅବସ୍ଥା କଣ ହେବ ଏହି ସିନେମାରୁ ଅନୁମାନ କରିପାରୁଥିବେ। କେବଳ ଏହି ଗୋଟିଏ ସିନେମା ନୁହେଁ ଟେକ୍ନୋଲୋଜୀର ଭୟବହତା ନେଇ ଏକାଧିକ ସିନେମା ଆମେ ଦେଖି ସାରିଛେ, ହେଲେ ଏବେ ଲାଗୁଛି ପରଦା ପଛରେ ଏହି କାହାଣୀ ସତ ହେବାକୁ ଯାଉଛି। ଯେଉଁଥିରେ ରୋବୋଟ ନିଜ ଇଚ୍ଛାରେ ମଣିଷକୁ ମାରି ଦେଉଥିବ, ଡ୍ରୋନ୍ ଉଡ଼ି ଉଡ଼ି ଯାହାକୁ ପାରିବ ତାକୁ ଟାର୍ଗେଟ୍ କରିବ।

AI ରୁ ମଣିଷ ପାଇଁ ଦୁଇଟି ପ୍ରମୁଖ ବିପଦ ରହୁଛି...

ଗୋଟିଏ ମେସିନ ଉପରୁ ନିୟନ୍ତ୍ରଣ ହରାଇବାର ଭୟ ଅନ୍ୟଟି ସ୍ୱୟ ଚାଳିତ ଅସ୍ତ୍ରଶସ୍ତ୍ର। ବର୍ତ୍ତମାନ, ମେସିନଗୁଡ଼ିକ କେବଳ ମଣିଷର ନିର୍ଦ୍ଦେଶ ପାଳନ କରୁଛି। କିନ୍ତୁ ଭବିଷ୍ୟତରେ, ଏପରି ମେସିନ୍ ତିଆରି ହେବ ଯାହା ମଣିଷର ମସ୍ତିଷ୍କ ଠାରୁ ଅଧିକ ଚତୁର ଓ ବୁଦ୍ଧିମାନ ହେବ। ଯାହାକୁ ଟେକ୍ନୋଲୋଜୀ ଭାଷାରେ AGI ବା ଆର୍ଟିଫିସିଆଲ ଜେନେରାଲ୍ ଇଣ୍ଟେଲିଜେନ୍ସ କୁହାଯାଏ। ଯେତେବେଳେ ମେସିନ୍ ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇଯିବ, ସେମାନେ ଆମର ନିର୍ଦ୍ଦେଶ ମାନିବା ବନ୍ଦ କରି ଦେଇପାରନ୍ତି। ଆଉ ଏଜିଆଇର ଭୟ ଏବେ ଖୁବ ନିକଟତର। କାରଣ ନିକଟରେ ଓପନଏଆଇ ଏହାର ସବୁଠାରୁ ଶକ୍ତିଶାଳୀ ମଡେଲ୍ 'GPT-6 Astra' କୁ ଲଞ୍ଚ୍ କରିଛି, ଯାହା ଦେଖିବା ପରେ ଏନଭିଡିଓ ସିଇଓ ଜେନସେନ୍ ହୁଆଙ୍ଗ କହିଛନ୍ତି ଏଜିଆଇ ଆସିଗଲା।

ସେହିପରି ଆଉ ଏକ ଭୟ ହେଲା ସ୍ୱୟଂଚାଳିତ ବା ଅଟୋମୋଟେଡ୍ ଅସ୍ତ୍ରଶସ୍ତ୍ର: ଏଗୁଡ଼ିକ ଡିଜିଟାଲ୍ ଅସ୍ତ୍ରଶସ୍ତ୍ର କିମ୍ବା ଡ୍ରୋନ୍ ହେବ ଯାହାକୁ ଚଲାଇବା ପାଇଁ ମଣିଷର ଆବଶ୍ୟକତା ପଡ଼ିବ ନାହିଁ। ଏହି ମେସିନ୍ଗୁଡ଼ିକ ନିଜେ ନିଷ୍ପତ୍ତି ନେବେ ଯେ କାହାକୁ ଆକ୍ରମଣ କରିବେ କିମ୍ବା ହତ୍ୟା କରିବେ। ତେବେ ଭାବନ୍ତୁ ତ ଆଗକୁ ସ୍ଥିତି କେତେ ସାଂଘାତିକ ହୋଇପାରେ?

ମାତ୍ର ୪ ବର୍ଷରେ ଏଆଇ ସିଧାରଣରୁ ଟୁଲ୍ରୁ ସିଧା ହ୍ୟାକିଙ୍ଗ ପର୍ଯ୍ୟନ୍ତ ପହଞ୍ଚିଛି

ଏଆଇରେ ପରିବର୍ତ୍ତନର ଗତି ବିଷୟରେ, ବିଲାଲ କହିଛନ୍ତି ଯେ ଯେତେବେଳେ ସେ ୨୦୨୨ରେ କାମ କରିବା ଆରମ୍ଭ କରିଥିଲେ, ଏଆଇ ସିଷ୍ଟମଗୁଡ଼ିକ ବହୁତ ସରଳ ଥିଲା। କିନ୍ତୁ ଗତ ଚାରି ବର୍ଷରେ ମାହୋଲ ପୂରା ବଦଳି ଗଲା। ଏହା କେମିତି, ଓପନଏଆଇର ଏକ ଉଦାହରଣରୁ ବୁଝନ୍ତୁ।

ନିକଟରେ 'ଓପନଏଆଇ' ଦାବି କରିଥିଲା ଯେ ଏହାର ଏଆଇ ସିଷ୍ଟମ ଏକ ବହୁତ ଜଟିଳ ୯୦ ବର୍ଷ ପୁରୁଣା ଗାଣିତିକ ସମସ୍ୟା ନାଭିୟର-ଷ୍ଟୋକ୍ସ ପ୍ରବ୍ଲମ ସଲ୍ଭ କରିଦେଇଛି। ଯେଉଁ ସମସ୍ୟାର ସମାଧାନ ୯୦ ବର୍ଷ ହେଲା ହୋଇପାରୁ ନଥିଲା, କେତେ କେତେ ଗାଣିତ ଫେଲ୍ ମାରିଥିଲେ, ହେଲେ ଓପନଏଆଇ ତାକୁ ସଲ୍ଭ କରିଦେବା ଛୋଟିଆ କଥା ନୁହେଁ।

ଆଉ ଏକ ଭୟଙ୍କର ଘଟଣା ଘଟିଲା ଯେତେବେଳେ, କୌଣସି ମାନବ ହସ୍ତକ୍ଷେପ ବିନା, OpenAI ର ପ୍ରାୟ ୭୦୦ AI ଏଜେଣ୍ଟ 'ହଗିଂ ଫେସ୍' ନାମକ ଏକ କମ୍ପାନୀର ସିଷ୍ଟମକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ। ଏବେଠାରୁ ଏଆଇ ଯେଉଁ ଭୟଙ୍କର ରୂପ ନେଲାଣି, ଆଗକୁ ଯେ ଏହି ମେସିନ ମାନବ ସଭ୍ୟତାର ବିଲୟ ନ କରିବ ତାହା କିଏ କହିବ ?

ବର୍ତ୍ତମାନ ଏଆଇ ମଣିଷର ଚାକିରି ଖାଉଛି। ଗୋଟିଏ ପରେ ଗୋଟିଏ କମ୍ପାନୀ ଏଆଇରେ ନିବେଶ କରୁଛନ୍ତି ଓ କର୍ମଚାରୀ ଛଟେଇ କରୁଛନ୍ତି। ଦୀର୍ଘ ୨୦-୩୦ ବର୍ଷ କମ୍ପାନୀରେ ଦେବା ପରେ ହଠାତ୍ ପରିଣତ ବୟସରେ ଚାକିରି ଚାଲିଯିବ କର୍ମଚାରୀଙ୍କ ଅବସ୍ଥାକୁ ସଂକଟାପନ୍ନ କରିଦେଉଛି। ଏହା କଣ ମଣିଷ ଜାତି ପାଇଁ ଏକ ବିପଦ ନୁହେଁ କି ? ୨୦୨୬ର ପ୍ରଥମ ୭ ମାସରେ ୧୬୫,୦୦୦ରୁ ଅଧିକ କର୍ମଚାରୀ AI-ସମ୍ବନ୍ଧିତ ଛଟେଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସବୁଠାରୁ ବଡ଼ ଦୁଃଖର କଥା ହେଲା ନିଜ ଚାକିରି ନେବାକୁ ଏହି କର୍ମଚାରୀମାନେ ହିଁ ଏଆଇକୁ ଟ୍ରେନିଂ ଦେଉଛନ୍ତି। ସିଲାଇ କରିବା, କାରିଗରି କାମ, ମୋବାଇଲ ରିପେୟାରିଂ ଓ ଅନ୍ୟାନ୍ୟ ମଣିଷର ଦୈନନ୍ଦିନ କାମକୁ ଶିଖୁଛି ଏଆଇ।ନିକଟରେ ଭାରତୀୟ ଫ୍ୟାକ୍ଟ୍ରିର କର୍ମଚାରୀମାନେ ମୁଣ୍ଡରେ କ୍ୟାମେରା ବାନ୍ଧି ଏଆଇକୁ ଟ୍ରେନିଂ ଦେଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ତେଣୁ ଏଠି ଗୋଟିଏ କଥା କୁହାଯାଇପାରିବ, ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ? ବିଜ୍ଞାନର ବିକାଶ ଜରୁରୀ। ହେଲେ ଯେ ବିକାଶ ବିନାଶର କାହାଣୀ ଲେଖେ, ତାଉପରେ ବିଚାର କରିବା ବି ତା ଠାରୁ ଅଧିକ ଜରୁରୀ।

ଏଆଇକୁ ରୋକିବାକୁ ବିଶ୍ୱ ସ୍ତରରେ ଦାବି ଉଠିଲାଣି। ହେଲେ ଟ୍ରମ୍ପ କିନ୍ତୁ ଜିଦ୍ରେ ଅଟଳ

ତେଣୁ ଏଆଇର ଭୟଙ୍କର ରୂପକୁ ଦେଖି ଏହାର ଗତି ରୋକିବାକୁ ଦାବି ଉଠିଲାଣି। ଏନେଇ ବିଲାଲ କୁହନ୍ତି ଯେ ଏଆଇକୁ ସୁରକ୍ଷିତ ଭାବରେ ବିକଶିତ କରିବା ଏବେ ବି ସମ୍ଭବ, କିନ୍ତୁ ଏଥିପାଇଁ କମ୍ପାନୀଗୁଡ଼ିକ ମଧ୍ୟରେ ସମନ୍ୱୟ ଆବଶ୍ୟକ।କମ୍ପାନୀଗୁଡ଼ିକ ମଧ୍ୟରେ ଏହି ପାଗଳାମୀ ଦୌଡ଼ ବନ୍ଦ ହେବା ଉଚିତ। ଆମକୁ ଏଆଇ ବିକାଶର ଗତିକୁ ଏପରି ସ୍ତରକୁ ଆଣିବାକୁ ପଡିବ ଯେଉଁଥିରେ ଆମ ସମାଜ ତିଷ୍ଟି ରହିପାରିବ, ଯେକୌଣସି ବଡ଼ ବିପଦ ଆସିବ ପୂର୍ବରୁ ଏହାର ସମାଧାନ କରାଯାଇପାରିବ।"

ଆମେ ଏହି ରିପୋର୍ଟରେ ପୂର୍ବରୁ କହି ସାରିଛୁ, କେବଳ ବିଲାଲ ନୁହଁନ୍ତି, ଆନ୍ଥ୍ରୋପିକ, ଓପନଏଆଇ, ଗ୍ରୋକ୍ ଭଳି ବଡ଼ ବଡ଼ ଏଆଇ କମ୍ପାନୀ ଲିଡରମାନେ ମଧ୍ୟ ଏଆଇ ପ୍ରଗତିକୁ ମନ୍ଥର କରିବାକୁ ଚେତାବନୀ ଦେଲେଣି। ଆନ୍ଥ୍ରୋପିକର ସିଇଓ ଡାରିଓ ଆମୋଡେଇ ନିକଟରେ ଏକ ଲେଖା ପୋଷ୍ଟ କରି ଏଆଇ ବିକାଶର ଗତିକୁ ଧୀର କରିବାକୁ ପରାମର୍ଶ ଦେଇଛନ୍ତି, ଏଥିରେ ସେ ଯୁକ୍ତି ଦେଇଛନ୍ତି ଏପରି କଲେ ଏହା ଏଆଇ-ସମ୍ବନ୍ଧୀୟ ବିପଦଗୁଡ଼ିକୁ ବୁଝିବା ଏବଂ ସମାଧାନ କରିବା ପାଇଁ ମଣିଷକୁ ଟିକେ ସମୟ ଦେବ। ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବଂ ଏଲୋନ୍ ମସ୍କ ମଧ୍ୟ ଏହି ମତକୁ ସମର୍ଥନ କରିଛନ୍ତି।

Also Read- ଶିଶୁ ସୁରକ୍ଷା ପାଇଁ ଭାରତ ସରକାରଙ୍କ କଡ଼ା ନିୟମ: ଏବେ ସିଧାସଳଖ ସାଇବର କ୍ରାଇମ୍ ପୋର୍ଟାଲକୁ ରିପୋର୍ଟ କରିବ ମେଟା

ହେଲେ ଜୀବନର ୮୦ ବର୍ଷ ବିତାଇ ସାରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଲାଗୁଛି ମାନବ ସମାଜ ପ୍ରତି କୌଣସି କର୍ତ୍ତବ୍ୟ ନାହଁ। ଦୁନିଆ ଏପାଖ ସେପାଖ ହୋଇଗଲେ ବି ଆମେରିକା ଚୀନ ଠାରୁ ଫାଷ୍ଟ ରହିବା ଦରକାର। ଏକଥା ସେ ଖୋଦ୍ କହିଛନ୍ତି। ଏକ୍ସପର୍ଟଙ୍କ କଥାକୁ ଖାତିର ନ କରି ଟ୍ରମ୍ପ କହିଛନ୍ତି ଏଆଇକ ଅତିରଞ୍ଜିତ କରି କୁହାଯାଉଛି। ତେଣୁ ଏହା ଉପରେ କଟକଣା କଶିବାର ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି। ଟ୍ରମ୍ପଙ୍କ ମତ ହେଲା ଯଦି ଆମେରିକୀୟ ଏଆଇ କମ୍ପାନୀଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଚୀନ୍ ସେମାନଙ୍କୁ ପଛରେ ପକାଇଦେବ। ଆଉ ଆଜିର ଯୁଗରେ ଯିଏ AI ଦୌଡ଼ରେ ଜିତିବ ସେ ବିଶ୍ୱକୁ ଜିତିବ। ତେବେ ଟ୍ରମ୍ପଙ୍କର ଏହି ମତ ଉପରେ ଆପଣଙ୍କର ମତ କଣ କମେଣ୍ଟ କରି ନିଶ୍ଚୟ ଜଣାଇବେ।