ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ସେପ୍ଟେମ୍ୱର ୧୯ ବେଳକୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଫେରିବା ଆରମ୍ଭ କରିପାରେ । ଭାରତୀୟ ପାଣିପାଗ ବିଭାଗ ସୋମବାର ଏହା କହିଛି । ସାଧାରଣତଃ ଏହି ପ୍ରକ୍ରିୟା ସେପ୍ଟେମ୍ବର ୧୭ ଆଖପାଖରେ ଆରମ୍ଭ ହୋଇଥାଏ, କିନ୍ତୁ ଏବର୍ଷ ଏହା ଟିକିଏ ବିଳମ୍ବରେ ହେଉଛି । ଗତବର୍ଷ ସେପ୍ଟେମ୍ବର ୧୪ରୁ ମୌସୁମୀ ଫେରିବା ଆରମ୍ଭ ହୋଇଥିଲା ।

ସାରା ଦେଶରେ ସେପ୍ଟେମ୍ବର ୧୩ ସୁଦ୍ଧା ମୌସୁମୀ ବର୍ଷାରେ ୧୫% ଅଭାବ ରେକର୍ଡ କରାଯାଇଛି । ଜୁନରେ ଏହି ଅଭାବ ୪୦% ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାହା ଜୁଲାଇର ଭଲ ବର୍ଷା ଯୋଗୁଁ କମି ୧୩%କୁ ଆସିଥିଲା । ଅଗଷ୍ଟ ଶେଷସୁଦ୍ଧା ଏହା ୧୪% ଏବଂ ଏବେ ୧୫%ରେ ସ୍ଥିର ରହିଛି । ଏହି ଋତୁରେ ଅଲ୍-ନିନୋର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି, ଯାହା ଅନେକ ଅଞ୍ଚଳରେ ବର୍ଷାକୁ ଦୁର୍ବଳ କରିଦେଇଛି ।

କେଉଁ ରାଜ୍ୟ ଓ ଜିଲ୍ଲାରେ ମରୁଡ଼ିର ଆଶଙ୍କା ଅଧିକ ?

ଦକ୍ଷିଣ ଉପଦ୍ୱୀପରେ ୨୮% ଏବଂ ପୂର୍ବ-ଉତ୍ତରପୂର୍ବ ଭାରତରେ ୨୫% ବର୍ଷାର ଅଭାବ ରହିଛି । ମଧ୍ୟ ଭାରତରେ ୬% ଏବଂ ଉତ୍ତର-ପଶ୍ଚିମରେ ୧୦% ଅଭାବ ରହିଛି । ଅନେକ ପ୍ରମୁଖ କୃଷି ପ୍ରଧାନ ରାଜ୍ୟରେ ଏହି ଅଭାବ ପୂରଣ ହେବାର ଆଶା ଖୁବ୍ କମ୍ । ଏଥି ମଧ୍ୟରେ ମେଘାଳୟ ୫୯%, ଆନ୍ଧ୍ର ପ୍ରଦେଶ ୪୩%, ଅରୁଣାଚଳ ପ୍ରଦେଶ ୪୨%, ପଞ୍ଜାବ ୪୦%, ବିହାର ୩୫%, କର୍ଣ୍ଣାଟକ ୨୯%, କେରଳ ୨୭%, ତାମିଲନାଡୁ ୨୬%, ରାଜସ୍ଥାନ ୨୫%, ହରିୟାଣା ୨୩%, ତେଲଙ୍ଗାନା ୨୦% କମ ବର୍ଷା ରେକର୍ଡ କରାଯାଇଛି ।

ମୌସୁମୀ ଆରମ୍ଭରେ କମ୍ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ୩୧୫ଟି ଜିଲ୍ଲା ପାଇଁ ଆକସ୍ମିକ ଯୋଜନା କାର୍ଯ୍ୟକାରୀ କରିଥିଲେ । ଏଥିମଧ୍ୟରୁ ୧୧୧ଟି ଜିଲ୍ଲା ସବୁଠାରୁ ଅଧିକ ସଂବେଦନଶୀଳ ଥିଲେ, କାରଣ ସେଠାରେ ଜଳସେଚନ ସୁବିଧା ୨୫%ରୁ କମ୍ ଥିଲା । ୭୬ଟି ଜିଲ୍ଲା ମଧ୍ୟମ ସମ୍ୱେଦନଶୀଳ ଏବଂ ୧୨୮ଟି ଜିଲ୍ଲାରେ ଜଳସେଚନ ସୁବିଧା ତୁଳନାତ୍ମକ ଭାବେ ଭଲ ଥିଲା । ଏହି ଜିଲ୍ଲାଗୁଡ଼ିକ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବିସ୍ତୃତ ।

ଅଗଷ୍ଟ ତଥ୍ୟ ଅନୁଯାୟୀ, ଦେଶର ଶହ ଶହ ଜିଲ୍ଲାରେ ବର୍ଷାର ଅଭାବ ଦେଖାଦେଇଥିଲା । ଏକ ରିପୋର୍ଟ ଅନୁସାରେ, ପ୍ରାୟ ୩୧୦ ଜିଲ୍ଲା ମଧ୍ୟରୁ ୩୮ଟି ଜିଲ୍ଲା ଅତ୍ୟଧିକ ଅଭାବ ଶ୍ରେଣୀରେ ରେକର୍ଡ ହୋଇଥିଲେ । ଗତ ୪ ସପ୍ତାହର ତଥ୍ୟ ଅନୁଯାୟୀ ୨୧୮ଟି ଜିଲ୍ଲାରେ ମରୁଡ଼ି ସଦୃଶ ସ୍ଥିତି ଦେଖାଯାଉଛି । ବିହାରର ଅନେକ ଜିଲ୍ଲା, ଆନ୍ଧ୍ରପ୍ରଦେଶର ୨୪ରୁ ଅଧିକ, କର୍ଣ୍ଣାଟକର ପ୍ରାୟ ୨୦, ପଞ୍ଜାବର ୧୪ରୁ ଅଧିକ ଏବଂ ରାଜସ୍ଥାନର ଅନେକ ଜିଲ୍ଲା ବର୍ଷା ଅଭାବର ସାମ୍ନା କରୁଛନ୍ତି । ମେଘାଳୟ ଓ ଅରୁଣାଚଳ ପ୍ରଦେଶର ଅଧିକାଂଶ ଭାଗ ଗମ୍ଭୀର ଅଭାବ ଦେଇ ଗତି କରୁଛି, ଯାହା ଯୋଗୁଁ ଖରିଫ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ମୌସୁମୀ ସମ୍ପୂର୍ଣ୍ଣ ଫେରିବା ପୂର୍ବରୁ କିଛି ଅଞ୍ଚଳରେ ବର୍ଷା ଜାରି ରହିବ । ୧୫ରୁ ୧୭ ସେପ୍ଟେମ୍ବରରେ ଜମ୍ମୁ-କାଶ୍ମୀର ଓ ଲଦାଖରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି । ୧୬ରୁ ୧୭ ସେପ୍ଟେମ୍ବରରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ବର୍ଷା ହୋଇପାରେ । ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ତାମିଲନାଡୁ, ପୁଡୁଚେରୀରେ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ କେରଳରେ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଅନୁମାନ କରାଯାଇଛି । ଓଡ଼ିଶା ଓ ବିହାରରେ ମଧ୍ୟ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

ଏହି ବର୍ଷା ସ୍ଥାନୀୟ ସ୍ତରରେ ସାମାନ୍ୟ ଆଶ୍ୱସ୍ତି ଦେଇପାରେ, କିନ୍ତୁ ବଡ଼ ସ୍ତରରେ ବର୍ଷାର ଅଭାବକୁ ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ । ବର୍ଷା ଅଭାବ ଯୋଗୁଁ ଖରିଫ ଫସଲ ମୁଖ୍ୟତଃ ଧାନ, ମକା, କପା ଓ ଡାଲି ଜାତୀୟ ଫସଲ ଉପରେ ଚାପ ବଢ଼ିପାରେ । କମ୍ ଜଳସେଚନ ଥିବା ଅଞ୍ଚଳରେ ଚାଷୀଙ୍କୁ କମ୍ ପାଣି ଆବଶ୍ୟକ କରୁଥିବା ଫସଲ ଲଗାଇବାକୁ ପରାମର୍ଶ ଦିଆଯାଉଛି ।