ନୂଆଦିଲ୍ଲୀ: ଦେଶର ଅନେକ ଭାଗରେ ବର୍ଷା ଜାରି ରହିଛି । ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଦେଇ ଗୁଜରାଟ ଏବଂ ପଞ୍ଜାବ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଯୋଗୁଁ ଶୁକ୍ରବାର, ୧୧ ସେପ୍ଟେମ୍ବରରେ ମଧ୍ୟ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୭୫ କି.ମି. ପ୍ରତି ଘଣ୍ଟା ବେଗରେ ପବନ ବହିବ । ଆଇଏମଡି କହିଛି ଯେ ଏହି ସମୟରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ମଧ୍ୟ ମାରିବାର ସମ୍ଭାବନା ରହିଛି ।

ଆଇଏମଡି କହିଛି ଯେ ସେପ୍ଟେମ୍ବର ୧୧ରେ ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହା ବ୍ୟତୀତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, ଅସମ, ଅରୁଣାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଣିପୁର, ମେଘାଳୟ, ମିଜୋରାମ, ସିକିମ, ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସମେତ ମୋଟ ୨୫ଟି ରାଜ୍ୟରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଅନେକ ସ୍ଥାନରେ ବିଜୁଳି ମଧ୍ୟ ମାରିପାରେ । ପାଣିପାଗ ବିଭାଗ କହିଛି ଯେ ସେପ୍ଟେମ୍ବର ୧୧ରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉପକୂଳ ଆନ୍ଧ୍ର ପ୍ରଦେଶରେ ମଧ୍ୟ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ।

ପୂର୍ବ ଏବଂ ମଧ୍ୟ ଭାରତରେ ଆଲର୍ଟ ଜାରି

ଆଇଏମଡି କହିଛି ଯେ ଓଡ଼ିଶା ଏବଂ ଛତିଶଗଡ଼ରେ ୧୧ ସେପ୍ଟେମ୍ବରରେ କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବି ଅଧିକ ବର୍ଷାର ପୂର୍ବାନୁମାନ କରାଯାଇଛି । ପୂର୍ବ ମଧ୍ୟ ପ୍ରଦେଶ ଏବଂ ବିଦର୍ଭରେ ମଧ୍ୟ ୧୧ରୁ ୧୪ ସେପ୍ଟେମ୍ବର ମଧ୍ୟରେ ଅଧିକ ବର୍ଷା, ଘଡ଼ଘଡ଼ି ଏବଂ ବିଜୁଳି ମାରିବାର ଆଶଙ୍କା କରାଯାଇଛି । ସେହିପରି ପଶ୍ଚିମ ମଧ୍ୟ ପ୍ରଦେଶ ଏବଂ ବିଦର୍ଭରେ ସେପ୍ଟେମ୍ବର ୧୧ରେ ବିଚ୍ଛିନ୍ନ ସ୍ଥାନଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଭାରତରେ ପ୍ରବଳ ପବନ

ପାଣିପାଗ ବିଭାଗ କହିଛି ଯେ ଉପକୂଳ ଆନ୍ଧ୍ର ପ୍ରଦେଶ ସେପ୍ଟେମ୍ବର ୧୧ରେ ବିଚ୍ଛିନ୍ନ ସ୍ଥାନଗୁଡ଼ିକରେ ବର୍ଷା ସହିତ ୫୦-୬୦ କିମି ବେଗରେ ପବନ ବହିବାର ଚେତାବନୀ ଦିଆଯାଇଛି । ଏହା ବ୍ୟତୀତ ତେଲେଙ୍ଗାନାରେ ମଧ୍ୟ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦର୍ଶାଯାଇଛି । କେରଳ ଏବଂ ମାହେରେ ମଧ୍ୟ ସେପ୍ଟେମ୍ୱର ୧୧ ଏବଂ ୧୨ରେ ବିଚ୍ଛିନ୍ନ ସ୍ଥାନଗୁଡ଼ିକରେ ଅଧିକ ବର୍ଷାର ଅନୁମାନ କରାଯାଇଛି ।