ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ଉପରେ କେନ୍ଦ୍ର ସରକାର ଫିସ୍ ଲାଗୁ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ୟୁପିଆଇ ପେମେଣ୍ଟ ସିଷ୍ଟମରେ ଫିସ୍ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଗଳାବାଟ ଖୋଜୁଛନ୍ତି ବୋଲି ରାହୁଲ କହିଛନ୍ତି।

ମଙ୍ଗଳବାର ଅର୍ଥମନ୍ତ୍ରଣାଳୟ ଏ ନେଇ ଗେଜେଟ୍ ନୋଟିଫିକିସେନ ଲାଗୁ କରିଥିଲା। ଏଥିରେ ୨୦୦୦ ଟଙ୍କା ଭିତରେ ୟୁପିଆଇ ହେଉ ବା ରୁପେ କାର୍ଡ ଟ୍ରାଞ୍ଜାକ୍ସନ, କୌଣସି ଚାର୍ଜ ଲାଗିବ ନାହିଁ। ହେଲେ କେତେ ଟଙ୍କା ଟ୍ରାଞ୍ଜାକ୍ସନ କଲେ କେତେ ଚାର୍ଜ ଲାଗିବ ସେ ନେଇ ସରକାର କୌଣସି ସ୍ପଷ୍ଟୀକରଣ ରଖି ନାହାନ୍ତି। ଏହା ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ଆମେରିକା ତୁଷ୍ଟିକରଣ ସହ ଯୋଡ଼ିଛି କଂଗ୍ରେସ।

କଂଗ୍ରେସ ପ୍ରଶ୍ନ କରିଛି ଯେ ଅଧିକ ମୂଲ୍ଯରେ ୟୁପିଆଇ ଟ୍ରାଞ୍ଜାକ୍ସନରେ ଟ୍ୟାକ୍ସ ଲାଗିବ କି ? କେତେ ଲାଗିବ ? ସରରକାର ତାହା ସ୍ପଷ୍ଟ କରନ୍ତୁ। ତେବେ ଏହି ପ୍ରକ୍ରିୟାରେ ଡିଜିଟାଲ ପେମେଣ୍ଟକାରୀଙ୍କୁ ଦେୟ ଦେବାକୁ ବାଧ୍ୟ କରାଯାଉଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ସେକ୍ଟରକୁ ଆମେରିକା କମ୍ପାନୀଗୁଡ଼ିକ ପାଇଁ ଖୋଲି ଦିଆଯାଉଛି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ତେବେ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ସରକାର ଯେଉଁ ନିୟମ ଲାଗୁ କରିଛନ୍ତି, ଏଥିରେ ବି ଦ୍ୱନ୍ଦ୍ୱ ରଖାଯାଇଛି। ଏହି ନିୟମ କେବଳ ମାର୍ଚ୍ଚାଣ୍ଡାଇଜ୍(ସମୁଦ୍ରପଥରେ ବ୍ୟବାସୟ) ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହୋଇଛି କି ସାଧାରଣ ଟ୍ରାଞ୍ଜାକ୍ସନରେ ନିୟମ ଲାଗୁ ହେବ ତାହା ସ୍ପଷ୍ଟ ହୋଇ ନାହିଁ।

ରାହୁଲ ଗାନ୍ଧୀ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି “ବର୍ତ୍ତମାନ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟିକ ୟୁପିଆ କାରବାର ଉପରେ ଏମଡିଆର (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍) ଲାଗୁ କରାଯାଇପାରିବ। ଯଦିଓ ଏହି କାରବାରଗୁଡ଼ିକ ସମୁଦାୟ କାରବାର ସଂଖ୍ୟାର ମାତ୍ର ୫ ପ୍ରତିଶତ ଅଟେ, ତଥାପି ୟୁପିଆଇର ମୋଟ କାରବାର ମୂଲ୍ୟରେ ଏହାର ଅଂଶ ପ୍ରାୟ ୬୫ ପ୍ରତିଶତ ରହିଛି।"

ସେ ଆହୁରି ମଧ୍ୟ କହିଲେ, "ସରକାର କହୁଛନ୍ତି ଯେ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। କିନ୍ତୁ ଦୋକାନୀଙ୍କ ଉପରେ ଲଗାଯାଉଥିବା ଶୁଳ୍କ ଶେଷରେ କେଉଁଠାରୁ ଆସିବ? ତାହା ସାମଗ୍ରୀର ମୂଲ୍ୟ ସହିତ ଯୋଡ଼ା ହେବ ଏବଂ ସିଧାସଳଖ ଗ୍ରାହକଙ୍କ ପକେଟରୁ ହିଁ ଆଦାୟ ହେବ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକୀୟ ପେମେଣ୍ଟ କମ୍ପାନୀଗୁଡ଼ିକ ଦୀର୍ଘ ଦିନ ଧରି ଭାରତର 'ଜିରୋ-ଏମଡିଆର୍' (zero-MDR) ନୀତିର ବିରୋଧ କରିଆସୁଥିଲେ ଏବଂ ସରକାର ବର୍ତ୍ତମାନ ଏହାକୁ ସେହି ଦିଗରେ ପରିବର୍ତ୍ତନ କରିବା ପାଇଁ ବାଟ ଖୋଲିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଲେ, "ଆମେରିକା ସହ ବାଣିଜ୍ୟିକ ଚୁକ୍ତି ଭଳି, ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଆମେରିକୀୟ ଚାପ ଆଗରେ ମୁଣ୍ଡ ନୁଆଁଉଛନ୍ତି।"

କଂଗ୍ରେସ ସଂଚାର ବିଭାଗ ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ବରିଷ୍ଟ ନେତା ଜୟରାମ ରମେଶ ଅଭିଯୋଗ କରି କହିଛନ୍ତି "ଠିକ୍ ଯେପରି ଆମେ ୬ ଅଗଷ୍ଟ ୨୦୨୬ରେ ଚେତାବନୀ ଦେଇଥିଲୁ - ଯାହା ଉପରେ ସ୍ୱୟଂ ମାନ୍ୟବର ଅର୍ଥମନ୍ତ୍ରୀ ପ୍ରତିକ୍ରିୟା ଦେବାକୁ ଉଚିତ୍ ମନେ କରିଥିଲେ - ମୋଦୀ ସରକାର ବର୍ତ୍ତମାନ ସଂସଦରେ ଜୋରଜବରଦସ୍ତ ପାରିତ କରାଯାଇଥିବା ନୂଆ ଆଇନଗୁଡ଼ିକୁ ବ୍ୟବହାର କରି ୟୁପିଆଇ ପାଇଁ ଶୁଳ୍କ ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ କରୁଛନ୍ତି।"

Also Read- ଏବେ କେବଳ 'Hello' ଲେଖି ଜାଣନ୍ତୁ PF ବାଲାନ୍ସ ଓ କ୍ଲେମ୍ ଷ୍ଟାଟସ୍, EPFO ଆରମ୍ଭ କଲା ହ୍ୱାଟସ୍ଆପ୍ ସେବା

ସଂଶୋଧିତ 'ଦେୟ ଓ ସମାଧାନ ବ୍ୟବସ୍ଥା ଆଇନ, ୨୦୦୭' (Payment and Settlement Systems Act, 2007) ର ଉଲ୍ଲେଖ କରି ସେ କହିଲେ ଯେ, ନୂଆ ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କ ଓ ସେବା ପ୍ରଦାନକାରୀମାନଙ୍କୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (UPI) କାରବାର ଉପରେ ଶୁଳ୍କ ଆଦାୟ କରିବାରୁ ବାରଣ କରାଯାଇଛି, କିନ୍ତୁ ଏହି ସୀମାଠାରୁ ଅଧିକ ମୂଲ୍ୟର କୌଣସି କାରବାର ପାଇଁ "କୌଣସି ସ୍ପଷ୍ଟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇନାହିଁ"।

ରମେଶ ଆହୁରି କହିଛନ୍ତି "ଆମ ସମସ୍ତଙ୍କୁ ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ, ସେଥିପାଇଁ ସ୍ପଷ୍ଟ ଭାବେ ପରିସ୍ଥିତି ପ୍ରସ୍ତୁତ କରାଯାଉଛି। ଆସନ୍ତାକାଲି ହୁଏତ ଆଉ ଏକ ବିଜ୍ଞପ୍ତି ମାଧ୍ୟମରେ ସେହି ସୀମା (କ୍ୟାପ୍) ମଧ୍ୟ ବଦଳାଇ ଦିଆଯାଇପାରେ। କାରଣ ଆଇନରେ ଏନେଇ ଆଉ କୌଣସି ଗ୍ୟାରେଣ୍ଟି ନାହିଁ। ଏପରିକି ସରକାର ଦୈନିକ ବ୍ୟକ୍ତିଗତ (person-to-person) କାରବାର ଉପରେ ମଧ୍ୟ ଶୁଳ୍କ ଲାଗୁ କରିପାରନ୍ତି।"

ସେ ମୋଦୀ ସରକାରଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି "ମୋଦୀ ସରକାର ପୁଣିଥରେ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ପାଳନ କରିବାରେ ଫେଲ୍ ମାରିଛନ୍ତି। ଏବଂ ବ୍ୟବହାରକାରୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଡିଜିଟାଲ ପେମେଣ୍ଟ ଖୋଲିବା ପାଇଁ ଏସବୁ କରାଯାଉଛି କି?" ବୋଲି ପ୍ରଶ୍ନ କରିଛନ୍ତି ଡୟରାମ ରମେଶ।