ନୂଆଦିଲ୍ଲୀ: ନୋବେଲ୍‌ ଶାନ୍ତି ପାଇଁ ଚିତ୍କାର କରି କରି ଶେଷରେ ନିରାଶ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଚଳିତ ବର୍ଷ ଅନ୍ତର୍ଜାତୀୟ ଅପରାଧ ଅଦାଲତ ବା ଆଇସିସିର ପୂର୍ବତନ ବିଚାରପତି ନାଭି ପିଲ୍ଲେଙ୍କୁ ଏହି ପୁରସ୍କାର ମିଳିଛି। ଏନେଇ ଘୋଷଣା ହେବାର କିଛି ଘଣ୍ଟା ପରେ ଟ୍ରମ୍ପ ବଡ଼ ପଦାକ୍ଷେପ ଗ୍ରହଣ କରିଛନ୍ତି । ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ 'ଆଇସିସି' ଉପରେ କଠୋର ପ୍ରତିବନ୍ଧକ ଲଗାଇଛି। ଆମେରିକା ନାଗରିକଙ୍କ ବିରୋଧରେ ଆଇସିସି ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିପାରିବ, ସେଥିପାଇଁ ଏହି କଟକଣା ଲଗାଯାଇଛି ।

ଏନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୂଚନା ଦେଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ନେଦରଲ୍ୟାଣ୍ଡର ହେଗଠାରେ ଅବସ୍ଥିତ ଏହି ଅଦାଲତର ଆର୍ଥିକ ଉତ୍ସ ବନ୍ଦ ହେବ । ଏପରିକି ଏହାର କାର୍ଯ୍ୟକାରିତା ପ୍ରଭାବିତ ହେବାର ଆଶଙ୍କା ବଢ଼ିଯାଇଛି । ପୂର୍ବରୁ ଆଇସିସିର କେତେକ ନିଷ୍ପତ୍ତିକୁ ଟ୍ରମ୍ପ ଖୋଲାଖୋଲି ବିରୋଧ କରୁଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଓ୍ବାରେଣ୍ଟ ଜାରି କରିଥିଲା । ଏହାକୁ ସମାଲୋଚନା କରିଥିଲେ ଆମେରିକା ରାଷ୍ଟ୍ରପତି ।

ଏହା ପୂର୍ବରୁ ଆମେରିକା ଅଦାଲତର ବିଚାରପତି ଓ ପ୍ରସିକ୍ୟୁଟରଙ୍କ ଉପରେ ବ୍ୟକ୍ତିଗତ ପ୍ରତିବନ୍ଧକ ଲଗାଇଥିଲା । ଏବେ ସମ୍ପୂର୍ଣ୍ଣ ସଂସ୍ଥା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ଆମେରିକାର ଏହି ପଦକ୍ଷେପ ପରେ ଯୁଦ୍ଧ ଅପରାଧ ଓ ମାନବତା ବିରୋଧୀ ଅପରାଧର ତଦନ୍ତ ବାଧାପ୍ରାପ୍ତ ହେବ ।  ୧୨୫ଟି ସଦସ୍ୟ ଦେଶ ବିଶିଷ୍ଟ ଏହି ସଂସ୍ଥାକୁ ନେଇ ଆମେରିକା ଓ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇପାରେ।

ଅନ୍ୟପକ୍ଷରେ, ୮୫ ବର୍ଷୀୟା ଆଇନଜୀବୀ ତଥା ଜାତିସଂଘର ପୂର୍ବତନ ମାନବାଧିକାର ମୁଖ୍ୟ ନାଭି ପିଲ୍ଲେଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଆଇସିସି ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ପୁରସ୍କାର ଗ୍ରହଣ କରିବା ପରେ ଜର୍ମାନୀରେ ନାଭି ପିଲ୍ଲେ  କହିଛନ୍ତି, ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ଦୁର୍ବଳ କରିବା ଦ୍ୱାରା ବିଶ୍ୱ ପୁଣି ଥରେ ଆଇନ ବଦଳରେ କ୍ଷମତାର ପ୍ରଭାବ ଆଡ଼କୁ ଗତି କରିବାର ଭୟ ବଢ଼ିବ । ତେବେ ଆମେରିକାର ଏହି ପଦକ୍ଷେପ ବିଶ୍ବରେ କେଉଁ ସ୍ଥିତି ସୃଷ୍ଟି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।