ନୂଆଦିଲ୍ଲୀ: ନୋବେଲ୍ ଶାନ୍ତି ପାଇଁ ଶୁକ୍ରବାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ଆଇନ ବିଶାରଦ ଏବଂ ମାନବାଧିକାର କର୍ମୀ ନଭନେଥେମ୍ "ନାଭି" ପିଲ୍ଲେଇଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ୨୦୨୬ର ବିଜେତା ଭାବରେ ଘୋଷଣା କରାଯାଇଛି । ନୋବେଲ୍ ଶାନ୍ତି କମିଟି ନଭାନେଥେମ୍ ନାଭି ପିଲ୍ଲାଇଙ୍କୁ ଅନ୍ତର୍ଜାତୀୟ ଆଇନରେ ତାଙ୍କ ଅବଦାନ ପାଇଁ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛି । ନୋବେଲ ଜୁରି ଶୁକ୍ରବାର ନରୱେର ଓସଲୋରେ ଏହି ପୁରସ୍କାର ଘୋଷଣା କରିଛନ୍ତି । ନୋବେଲ୍ ଶାନ୍ତିର ସ୍ୱପ୍ନ ଦେଖୁଥିବା ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ପରି ଏଥର ବି ନିରାଶ ହୋଇଛନ୍ତି ।

 

ଭାରତୀୟ ତାମିଲ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ପିଲ୍ଲେ ଦକ୍ଷିଣ ଆଫ୍ରିକାର ହାଇକୋର୍ଟର ପ୍ରଥମ କୃଷ୍ଣକାୟ ମହିଳା ବିଚାରପତି ହୋଇଥିଲେ । ୮୫ ବର୍ଷୀୟ ଏହି ପ୍ରସିଦ୍ଧ ଆଇନ ବିଶାରଦ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଜାତିସଂଘ ମାନବାଧିକାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ବିଚାରପତି ଏବଂ ରୱାଣ୍ଡା ପାଇଁ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ମଧ୍ୟ ଥିଲେ ।

ଦକ୍ଷିଣ ଆଫ୍ରିକୀୟ ନାଗରିକ ପିଲ୍ଲେଇ ୧୯୬୭ ମସିହାରେ ତାଙ୍କ ଜନ୍ମସ୍ଥାନ ନାଟାଲରେ ଆଇନ ଅଭ୍ୟାସ କରିବାରେ ପ୍ରଥମେ ମହିଳା ହୋଇଥିଲେ । ପରବର୍ତ୍ତୀ କିଛି ବର୍ଷ ଧରି, ସେ ବର୍ଣ୍ଣବୈଷମ୍ୟ ପୀଡ଼ିତଙ୍କ ପାଇଁ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ସେ କ୍ୱାଜୁଲୁ-ନାଟାଲ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକ ଏବଂ ପରେ ଡର୍ବାନ-ୱେଷ୍ଟଭିଲ୍ ବିଶ୍ୱବିଦ୍ୟାଳୟର ପରିଷଦର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।

 

୧୯୯୫ ମସିହାରେ ବର୍ଣ୍ଣବୈଷମ୍ୟବାଦର ଅନ୍ତ ପରେ ପିଲ୍ଲେଇଙ୍କୁ ଦକ୍ଷିଣ ଆଫ୍ରିକାର ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ସେହି ବର୍ଷ ସେ ଜାତିସଂଘ ସାଧାରଣ ସଭା ଦ୍ୱାରା ରୱାଣ୍ଡା ପାଇଁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ବିଚାରପତି ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୮ ସେପ୍ଟେମ୍ୱର ୧ରେ ତାଙ୍କୁ ମାନବାଧିକାର ପାଇଁ ଜାତିସଂଘ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରାଯାଇଥିଲା ।

ନୋବେଲ ପୁରସ୍କାର କମିଟି ନିଜ ଏକ୍ସ ଆକାଉଣ୍ଟରେ ଲେଖିଛି, "ନାଭି ପିଲ୍ଲେଇ ଆମ ସମୟର ଅନ୍ତର୍ଜାତୀୟ ଆଇନଗତ ନୀତିଗୁଡ଼ିକର ଜଣେ ମହାନ ପକ୍ଷକାର । ତାଙ୍କର ଚମତ୍କାର କ୍ୟାରିଅର ଆମକୁ ବିଶ୍ୱ ସ୍ତରରେ ଆଇନର ଶାସନକୁ ସମର୍ଥନ, ସୁଦୃଢ଼ ଏବଂ ବିସ୍ତାର କରିବାର ଆବଶ୍ୟକତାକୁ ସ୍ମରଣ କରାଏ ।"

ବିଜେତାଙ୍କ ନାମ ଘୋଷଣା କରି ନୋବେଲ କମିଟି ଲେଖିଛି, "ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଇନର ଶାସନ ହେଉଛି ଶାନ୍ତି ସୁନିଶ୍ଚିତ କରିବା ଏବଂ ଅହିଂସାମୂଳକ ଭାବରେ ବିବାଦର ସମାଧାନ କରିବା ପାଇଁ ଆମେ ପ୍ରତିଷ୍ଠିତ ବ୍ୟବସ୍ଥାର ମୂଳଦୁଆ । ଏହି ବର୍ଷର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରି, ନରୱେଜିଆନ ନୋବେଲ କମିଟି ସାରା ବିଶ୍ୱକୁ ଏହି କଥା ମନେ ପକାଇ ଦେଉଛି ଯେ ଶାନ୍ତି ପାଇଁ ନ୍ୟାୟ ଅତ୍ୟନ୍ତ ଜରୁରି ।"

ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ କରିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ନାଭି ପିଲ୍ଲେଇଙ୍କ ନ୍ୟାୟ ଏବଂ ମାନବିକ ମର୍ଯ୍ୟାଦା ପ୍ରତି ପ୍ରତିବଦ୍ଧତା ଆଶା ଏବଂ ପ୍ରେରଣାର ଉତ୍ସ । ନାଭି ପିଲ୍ଲେଇ ଅଧିକୃତ ପାଲେଷ୍ଟାଇନୀ ଅଞ୍ଚଳରେ ଜାତିସଂଘ ତଦନ୍ତ କମିଶନର ଅଧ୍ୟକ୍ଷତା କରିଥିଲେ । ଗାଜାରେ ଇସ୍ରାଏଲ ନରସଂହାର କରିଛି ବୋଲି ଏହି କମିଟିର ତାର ନିଷ୍କର୍ସରେ କହିଥିଲା । ଇସ୍ରାଏଲ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲା ।