କଟକ ୨୧।୧୦: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ରାଜ୍ୟବ୍ୟାପୀ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହେଉଛି । ରାଜଧାନୀ ଭୁବନେଶ୍ବର ଓ ଐତିହାସିକ ସହର କଟକ ସମେତ ସାରା ଓଡ଼ିଶାର ପୂଜା ମଣ୍ଡପଗୁଡ଼ିକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି ।

ମା’ ଦୁର୍ଗାଙ୍କ ଦଶଦିନିଆ ପୂଜା ଆରାଧନା ପରେ ଆଜି ମା’ଙ୍କ ମେଲାଣି ନେବାର ଶେଷ ଦିନ । ଜଗତଜନନୀ ମା’ଙ୍କ ଅନ୍ତିମ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳୁଛି । ସକାଳୁ ଜୟ ଦୁର୍ଗା ଧ୍ବନୀ, ମନ୍ତ୍ରପାଠ ଓ ଘଣ୍ଟ-ଶଙ୍ଖର ନାଦରେ ଗଗନ-ପବନ ମୁଖରିତ ହୋଇଉଠିଛି । ମଣ୍ଡପ ଗୁଡ଼ିକରେ ମା’ଙ୍କ ସିନ୍ଦୂର ଖେଳ ଏବଂ ବିଶେଷ ପୂଜାର୍ଚ୍ଚନା କରାଯିବ ।

ବିଜୟା ଦଶମୀର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି 'ରାବଣପୋଡ଼ି' ଉତ୍ସବ । ସନ୍ଧ୍ୟା ସମୟରେ ଅସୁରରାଜ ରାବଣର ପ୍ରତିମା ଦହନ କରାଯିବ । ଏହା ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଭୁବନେଶ୍ବରର ୯ଟି ସ୍ଥାନରେ ଏବଂ କଟକର ବାଲିଯାତ୍ରା ପଡ଼ିଆ ସମେତ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ରାବଣପୋଡ଼ି ଓ ଆତସବାଜିର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Also Read:- ରାଜ୍ୟର ଆଇନଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍, ପୋଲିସ ଅଧିକାରୀଙ୍କ ସହ ଆଲୋଚନା

ତେବେ ଗୁରୁବାର ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା । ଶାନ୍ତି ଶୃଙ୍ଖଳାର ସହ ଭସାଣି ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି । ଶାନ୍ତି କମିଟି ଓ ପୂଜା କମିଟି ସହ ଆଲୋଚନା କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ତୀକ୍ଷ୍ଣ ନଜର ରହିଛି । ଡିଜେକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ବିବାଦ ଥିବା ସାହି ମାନଙ୍କ ମେଢ଼ ମଧ୍ୟରେ ଦୂରତା ରଖାଯାଇଥିବା କହିଛନ୍ତି ଡିଜିପି ।

Watch Video: