ପୁରୀ୧୦।୭:ଜୁଲାଇ ୧୦ ତାରିଖରେ ରାଜସ୍ଥାନର ସିକ୍କରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ଲାଗିଲା ରୋକ୍। ସିକ୍କର ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ସିକ୍କର ଜିଲ୍ଲାପାଳ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନ ସଂସ୍କୃତି ଓ ପରମ୍ପରା ସହ କୌଣସି ବୁଝାମଣା କରାଯିବ ନାହିଁ।

ରାଜସ୍ଥାନର ସିକ୍କର ଜିଲ୍ଲାରେ ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଏବଂ ଶ୍ରୀ ଖାଟୁ ଶ୍ୟାମ ମଣ୍ଡଳ ଦ୍ବାରା ଆୟୋଜିତ ହେବାକୁ ଥିବା "ଅଦିନିଆ ରଥଯାତ୍ରା" ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଶକ୍ତ କଟକଣା ଲଗାଯାଇଛି। ଜୁଲାଇ ୧୦ ତାରିଖରେ ପ୍ରସ୍ତାବିତ ଏହି ରଥଯାତ୍ରାକୁ ରୋକିବା ପାଇଁ ସିକ୍କର ଜିଲ୍ଲା ମାଜିଷ୍ଟ୍ରେଟ୍ ସେଠାକାର ଏସ୍ପିଙ୍କୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି।

Also Read:- ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହର ପରିଚୟ ଖୋଜୁଛି ପୋଲିସ, ଗତ ୫ ମାସରେ କାଠଯୋଡ଼ିରୁ ମିଳିଲାଣି ୫ ମୃତଦେହ

ପୁରୀ ଜିଲ୍ଲାପାଳ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ମୁଖ୍ୟ ପ୍ରଶାସକଙ୍କ ପତ୍ର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସଂଗଠନ ଗୁଡ଼ିକ ଦ୍ବାରା ଆୟୋଜିତ ରଥଯାତ୍ରା ଏବଂ ସୋସିଆଲ ମିଡିଆରେ କରାଯାଉଥିବା ପ୍ରଚାର ସନାତନ ହିନ୍ଦୁ ଶାସ୍ତ୍ର, ପଞ୍ଜିକା ଏବଂ ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀର ପରମ୍ପରା ବିରୋଧୀ ଅଟେ। ଧାର୍ମିକ ଭାବନାକୁ ଆଘାତରୁ ବଞ୍ଚାଇବା ସହ ଜିଲ୍ଲାରେ ଶାନ୍ତି ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ସିକ୍କର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ମୋଦୀ ଅଫିସିଆଲ୍ ଚିଠି ଜରିଆରେ ପୋଲିସକୁ ତୁରନ୍ତ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏଥିସହ ଦାନ୍ତାରାମଗଡ଼ର ସବ୍-ଡିଭିଜନାଲ ଅଫିସର (SDO)ଙ୍କୁ ମଧ୍ୟ ଏହି ନିର୍ଦ୍ଦେଶର କପି ପଠାଯାଇ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଯେକୌଣସି ଉତ୍ସବ ଆୟୋଜନ କରିବା ସମୟରେ ସମସ୍ତ ସଂଗଠନ ଶାସ୍ତ୍ରୀୟ ନୀତି ଓ ପାରମ୍ପରିକ ପଞ୍ଜିକାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି।