କଟକ ୧୦।୭: ମୃତ ମହିଳାଙ୍କ ପରିଚୟ ଖୋଜୁଛି ପୋଲିସ । ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ତ ମିଳିଲା ହେଲେ ଏବେଯାଏଁ ମିଳିନି ପରିଚୟ । ମହିଳା ଜଣଙ୍କ କିଏ, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, କିଏ ତାଙ୍କ ମୃତଦେହ ଏଠାରେ ପକାଇଛି ଇତ୍ୟାଦିକୁ ନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବା ସହ ପରିଚୟ ମିଳିବ ବୋଲି ଆଶା କରାଯାଉଛି ।

ସୂୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ କାଠଯୋଡିରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ଏଯାଏ ପୋଲିସ ସମ୍ପୃକ୍ତ ମହିଳାଙ୍କର ପରିଚୟ ପାଇପାରି ନାହିଁ କି ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପୋଲିସ ଏ ନେଇ ଖୋଳତାଡ଼ ଜାରି ରଖିଛି ।

Also Read:- ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ମାମଲା, ନ୍ୟାୟ ଦାବିରେ ରାସ୍ତାରୋକ

ସେପଟେ କାଠଯୋଡିରୁ ନିୟମିତ ବ୍ୟବଧାନରେ ମୃତଦେହ ମିଳିବା ଘଟଣା ଏବେ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ ୫ ମାସ ଭିତରେ କାଠଯୋଡିରୁ ୫ଟି ମୃତଦେହ ମିଳିସାରିଲାଣି । ସେଥିମଧ୍ୟରୁ ୩ଟି ମୃତଦେହ ମହିଳାଙ୍କର ହୋଇଥିବା ବେଳେ ଦୁଇଟି ମୃତଦେହ ପୁରୁଷଙ୍କର । ତେବେ ପୋଲିସ କୌଣସି ଗୋଟିଏ ବି ମୃତଦେହର ଚିହ୍ନଟ କରିପାରି ନାହିଁ । ପାଞ୍ଚଟି ଯାକ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ଓ ସମସ୍ତଙ୍କୁ ହତ୍ୟା କରାଯାଇଥିବାର ସ୍ପଷ୍ଟ ପାରିପାର୍ଶ୍ୱିକ ପ୍ରମାଣ ମିଳିଥିଲା ।