ନରଣପୁର: କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀଶ୍ରୀବଳଦେବଜିଉଙ୍କର ଅଚଳାଚଳ ସମ୍ପତ୍ତି। ଏହି ସମ୍ପଭିକୁ ବେଆଇନ ଭାବେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଦଖଲ କରି ରଖୁଛନ୍ତି। ଏପରିକି କେନ୍ଦୁଝରରେ ଅନେକ ଦଲାଲ ସକ୍ରିୟ ହୋଇ ବଳଦେବଜିତ୍ତଙ୍କ ଜମି ଚଞ୍ଚକତା କରି ବିକ୍ରି କରିଥିବା ନଜରକୁ ଆସିଛି। ଏତେ ସମ୍ପତ୍ତି ଥାଇ ମଧ୍ୟ ଆଜି ବଳଦେବଜିଉଙ୍କ ରୀତିନୀତି କାର୍ଯ୍ୟ ମନ୍ଦିର ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଇଚ୍ଛା ଓ ଆଗ୍ରହ ଉପରେ ନିର୍ଭର କରୁଛି।

ସବୁ ଯେମିତି ପ୍ରଭୁ ଶ୍ରୀବଳଦେବଜିଉଙ୍କ ଇଚ୍ଛାରେ ନୁହେଁ ବରଂ ମନ୍ଦିର ଦାୟିତ୍ବରେ ଥିବା କର୍ମଚାରୀଙ୍କ ଇଚ୍ଛାରେ ହେଉଛି ବୋଲି ପୁରୁଣା ସହର ଲୋକେ ଅଭିଯୋଗ କରୁଛନ୍ତି। କେନ୍ଦୁଝରର ରଥ ସାରା ବିଶ୍ଵରେ ସର୍ବୋଚ୍ଚ ମାନ୍ୟତା ପାଇ ଗିନିଜ ବ୍ଲକ ଅଫ ୱାର୍ଲ୍ସ ରେକର୍ଡରେ ସ୍ଥାନିତ ହୋଇ ସାରିଛି। ହେଲେ ଏହି ମନ୍ଦିରର ଶୀର୍ଷରେ ଲାଗିଥିବା ନେତ ଚିରାଫଟା ଅବସ୍ଥାରେ ମାସ ମାସ ଧରି ରହିଥିବା ବେଳେ ମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସୁନଥିବା ପୁରୁଣା ସହରର ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି।

ରଥ ମୁଖ୍ୟ ମହାରଣାଙ୍କ ସୂଚନା ଅନୁସାରେ, ମନ୍ଦିର ଉପରେ ଲାଗିଥିବା ଲାଠି ମଧ୍ୟ ଭାଙ୍ଗି ଯାଇଛି। ନେତ ଆଉ ଫର ଫର ହୋଇ ଉଡିବ କ'ଣ ଚାରି ପାଞ୍ଚ ବର୍ଷ ହେବ ଲାଠି ପରିବର୍ତ୍ତନ ହୋଇ ନାହିଁ। ନୂଆ ଧ୍ଵଜ ଲଗାଇବା ପାଇଁ ବାରମ୍ବାର କହିବା ପରେ ମଧ୍ୟ ତାହାକୁ ପରିବର୍ତନ କରା ଯାଉନାହିଁ । ନିକଟରେ ଚନ୍ଦନ ଯାତ୍ରା ଚାପ ଖେଳ ବେଳେ ଦଦରା ଡଙ୍ଗାରେ ପ୍ରଭୁ ଚାପ ଖେଳିବାକୁ ବାଧ୍ୟ ହେଲେ। ଡଙ୍ଗାରୁ ଜଣେ ସେବକ ବାଲ୍ଟି ଧରି ବାହାରକୁ ପାଣି ବାହୁଥୁଲା ଓ ବିପଦସଙ୍କୁଳ ପରିସ୍ଥିତିରେ ପ୍ରଭୁ ଓ ତାଙ୍କ ସେବକ ଚାପଖେଳ ସମ୍ପନ୍ନ କରୁଥିଲେ । ଏହା ଅନେକ ଭକ୍ତଙ୍କୁ ବ୍ୟଥିତ କରିଥିଲା । ତାପରେ ମଧ୍ୟ ଦେବୋତ୍ତର ବିଭାଗ ଚେତିବାର ଦେଖା ଯାଉନାହିଁ । ଲୋକଙ୍କ ଆକ୍ରୋଶକୁ ମଧ୍ୟ ଖାତିର ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା ଅଧୂବକ୍ତା ଅଶୋକ କୁମାର ଦାସ କହିଛନ୍ତି।

ତେବେ ନେତ ପରିବର୍ତ୍ତନ ବାବଦରେ ଉପଜିଲ୍ଲାପାଳଙ୍କୁ ଅବଗତ କରା ଯିବାପରେ ସେ ତୁରନ୍ତ ସମାଧାନର ବାଟ ବାହାର କରିବା ପାଇଁ ଆଲୋଚନା କରିବେ ବୋଲି କହିଥିଲେ । ସେପଟେ ମନ୍ଦିର ଚୂଡ଼ାରେ ଅନେକ ବାଘୁଆ ମହୁଫେଣା ରହିଥିବାରୁ ନୂଆ ସେବକ ମନ୍ଦିର ଉପରକୁ ଚଢି ନେତ ବାନ୍ଧିବାକୁ ରାଜି ହେଉ ନାହାନ୍ତି । ଏହି ଦ୍ବନ୍ଦ୍ବ ଭିତରେ ଅଟକିଛି ନେତ ବନ୍ଧା।

ଏ ବିଷୟରେ ପଚାରିବାର କେନ୍ଦୁଝର ଉପଜିଲ୍ଲାପାଳ ଉମାଶାଙ୍କର ଦଳେଇ କହିଛନ୍ତି, କିଛି ବିଶୃଙ୍ଖଳା ରହିଛି ଯାହାର ସମାଧାନ କରାଯାଇ ଖୁବ୍ଶୀଘ୍ର ନେତ ବନ୍ଧା କାର୍ଯ୍ୟ ସମ୍ପନ୍ନ କରାଯିବ। ଆଗକୁ ରଥଯାତ୍ରା ଆସୁଥିବାରୁ ଭକ୍ତଙ୍କ ଭାବାବେଗକୁ ଦେଖ୍ ତୁରନ୍ତ ଲାଠି ପରିବର୍ତ୍ତନ ସହ ନେତ ବନ୍ଧାଯିବା ପାଇଁ ମନ୍ଦିର ପ୍ରଶାସନ ଦୃଷ୍ଟି ଦେଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା ବ୍ରାହ୍ମଣ ମହାସଭାର ବିଭୂତି ଭୂଷଣ ଦାଶ ମତ ଦେଇଛନ୍ତି।