ପୁରୀ ୨୯।୧: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ବାର ନିକଟ ପରିକ୍ରମା ମାର୍ଗରେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ମୃତ ଭକ୍ତ ଜଣକ ହେଉଛନ୍ତି ଅଗରତାଲା ନର୍ଥ ତ୍ରୁପୁରାର ୭୨ ବର୍ଷୀୟ ଅମିତ ରଞ୍ଜନ କର । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅମିତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅମିତଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ପରିବାର ଲୋକଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ଅମିତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଉତ୍ତର ଦ୍ବାର ନିକଟ ପରିକ୍ରମା ମାର୍ଗରେ ବସିଥିଲେ । ହଠାତ ତାଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ସେହିଠାରେ ହିଁ ସେ ଟଳି ପଡ଼ିଥିଲେ । ତେବେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମୃତଦେହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।