ବଡ଼ବିଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ସେହିଭଳି ସ୍କୁଟିରେ ବସିଥିବା ଅନ୍ୟ ଜଣେ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସୋମବାର ଚମ୍ପୁଆ ଥାନା ଏନ୍ ଏଚ୍ ୫୨୦ ରାଜପଥର ରିମୁଳି ବାଇପାସ୍ ନିକଟ ଜାମୁନାଳିଆ ଛକଠାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  

ମିଳିଥିବା ସୂଚନା ଅନୁସାରେ, ଛକଠାରେ ଥିବା ଏକ ଢାବା  ସମ୍ମୁଖରେ ରାସ୍ତା କଡ଼ରେ ଏକ ହାଇୱା ଟ୍ରକ୍ ଛିଡ଼ା ହୋଇ ରହିଥିଲା । ହେଲେ ଏହି ଟ୍ରକକୁ ପଛପଟୁ ଦ୍ରୁତଗତିରେ ଆସି ଏକ ସ୍କୁଟି ପିଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଟିଟି ଟ୍ରକରେ ଲାଖି ରହିଯାଇଥିଲା ଏବଂ ସ୍କୁଟି ଉପରେ ହିଁ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ।  ଆଉ ସ୍କୁଟି ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ମୃତକ ବଡ଼ବିଲ ଅଞ୍ଚଳର ରବିନା ଚାତ୍ତାର ଏବଂ ଗୁରୁତର ଆହତ ଯୁବକ ସନ୍ତୋଷ ନାଇଡୁ ବୋଲି ଜଣାପଡ଼ିଛି।

Also Read: ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ଖସିପଳାଉଥିଲେ, ୨ ଲୁଟେରାଙ୍କୁ ଧରି ନିର୍ଧୁମ ପିଟିଲେ ଲୋକେ​​​​​​​

ତେବେ ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୁରୁତର ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ସ୍କୁଟି ଏବଂ ହାଇୱା ଟ୍ରକକୁ ପୋଲିସ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।