ପିପିଲି ୯।୧୧: ଦୀର୍ଘ ୪୫ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ । ନୂଆ ରୂପ ପାଇବ ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳ ବିଶ୍ୱନାଥ ମୁଣ୍ଡିଆ । ମୁଣ୍ଡିଆର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର ଆଜି ଶୁଭ ଶିଳାନ୍ୟାସ କରାଯାଇଛି । ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଶିଳାନ୍ୟାସ ଉତ୍ସବରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

Also Read:-ଫୁଟବଲ୍ ଫାଇନାଲରେ ଚେୟାର ଫିଙ୍ଗାଫୋପଡ଼ା, ପଡ଼ିଆ ଭିତରକୁ ଧସେଇ ପଶିଲେ ଦର୍ଶକ

ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ପକ୍ଷରୁ ହୋଇଆସୁଥିବା ଦାବି ପୂରଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପରେ ବିଶ୍ୱନାଥ ମୁଣ୍ଡିଆ ଉପରକୁ ଯାନବାହନ ଯାତାୟାତ ପାଇଁ ପକ୍କା ରାସ୍ତା ନିର୍ମାଣ, ଆଲୋକୀକରଣ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଯାତ୍ରୀଙ୍କ ପାଇଁ ବିଶ୍ରାମଗୃହ, ପୁରାତନ ପାହାଚର ନବୀକରଣ ଏବଂ ଆକର୍ଷଣୀୟ ଲୁହା ବାଡ଼ ନିର୍ମାଣ ଆଦି କାର୍ଯ୍ୟ ସାମିଲ ରହିଛି। ଏହି ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯାତାୟାତ ସହ ରହଣି କ୍ଷେତ୍ରରେ ଅଧିକ ସୁବିଧା ମିଳିପାରିବ। ଏଥିସହ ବିଶ୍ୱନାଥ ମୁଣ୍ଡିଆ ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।