ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀ ନଗର ନିଗମର ୫ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି। ନିଲମ୍ବିତ ହୋଇଥିବା ସମସ୍ତ ଅଧିକାରୀ ସାଉଥ ଜୋନର। ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ବାହାର କରାଯାଇଥିବା ବେଳେ ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟି ସାରିଛି।

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଡେପୁଟୀ କମିଶନର ରାକେଶ କୁମାର, ଏସଇ ରଣବୀର ସିଂ, EE(ବିଲ୍ଡିଂ) ଲଳିତ କୁମାର ଗୋଏଲ, AE(ବିଲ୍ଡିଂ) ସୁନୀଲ ଚୌହ୍ଵାନ, ଜୁନିୟର ଇଞ୍ଜିନିୟର ଆଶିଷ କୁମାର। ଆଦେଶରେ କୁହାଯାଇଛି ଯେ, ସମସ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ୫ ଅଧିକାରୀ ଚାକିରିରୁ ନିଲମ୍ବିତ ରହିବେ। ଏମସିଡି ଭିଜିଲାନ୍ସ ବିଭାଗ ଅଲଗା ଅଲଗା ନିଲମ୍ବିତ ଅର୍ଡର ଜାରି କରିଛନ୍ତି।

Also Read: ଟଳିଗଲା ବଡ଼ ଦୁର୍ଘଟଣା: ୩୬,୦୦୦ ଫୁଟ୍ ଉଚ୍ଚରେ ସରିଗଲା ତେଲ

ନିଲମ୍ବିତ ଅଧିକାରୀଙ୍କ କଣ ଥିଲା ଦାୟିତ୍ଵ

MCD ର ବିଲ୍ଡିଂ ବିଭାଗର ମୁଖ୍ୟ କାମ ହେଉଛି ବେଆଇନ ନିର୍ମାଣ ଉପରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ବିନା ଅନୁମତି କିମ୍ବା ନକ୍ସା ବିରୋଧରେ କାମ ଚାଲିଥିବା ସମୟରେ କ୍ଷେତ୍ର ପରିଦର୍ଶନ କରିବା ଜୁନିୟର ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସିଧାସଳଖ ଦାୟିତ୍ୱ। ସେହିପରି ଅଞ୍ଚଳର ଆଞ୍ଚଳିକ ତଦାରଖ ପାଇଁ EE, SE ଓ ପ୍ରଶାସନିକ ସ୍ତରରେ ଡେପୁଟି କମିଶନର ଦାୟୀ। ଏହି କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତଦାରଖ ନକରିବା ଯୋଗୁଁ ଏହି ଅଫିସରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

MCD କମିଶନରଙ୍କ ସୂଚନା

ସତ୍ୟ ନିକେତନ ଘଟଣାକୁ ନେଇ MCD କମିଶନର ସଞ୍ଜୀବ ଖିରୱାର କହିଛନ୍ତି ଯେ, "ଏହି ଦୁର୍ଘଟଣାରେ ୭ ଜଣଙ୍କ ପ୍ରାଣହାନୀ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିଲ୍ଡିଂର ପାଖ କୋଠାଟି ମଧ୍ୟ ଦୁର୍ବଳ ହୋଇଯାଇଥିବାରୁ ତାହାକୁ ମଜବୁତ୍ କରାଯାଇଛି ଏବଂ ଆଗାମୀ ୧-୨ ଦିନ ମଧ୍ୟରେ ତାହାକୁ ଯୋଜନାବଦ୍ଧ ଭାବେ ଭଙ୍ଗାଯିବ।

Also Read: ଷଣ୍ଢର ମୂର୍ତ୍ତି ଧରି ଉତ୍ସବ ମନାଉଥିଲେ ଲୋକେ, ବାଣ ଗୋଦାମରେ ଲାଗିଗଲା ନିଆଁ : ୧୦ ମୃତ

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ବିଲ୍ଡିଂଟି ୧୯୭୦ ମସିହାର ହୋଇଥିବା ବେଳେ ପୂର୍ବରୁ ଏହା ବିରୋଧରେ କୌଣସି ଅଭିଯୋଗ ଆସିନଥିଲା କିମ୍ବା କୌଣସି ନୋଟିସ୍ ଦିଆଯାଇନଥିଲା। କୋଠାର ମାଲିକ ଗତବର୍ଷ ପ୍ରପର୍ଟି ଟ୍ୟାକ୍ସ ଦେଇଥିବା ରେକର୍ଡରୁ ଜଣାପଡ଼ିଛି। ପୋଲିସ ବର୍ତ୍ତମାନ କୋଠା ମାଲିକଙ୍କୁ ଖୋଜୁଛି।