କୋଚି: ଆକାଶମାର୍ଗରେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ। ସୋମବାର କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌  ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ କୋଚି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ତେବେ ଏହାକୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।

୩୬,୦୦୦ ଫୁଟ୍‌ ଉଚ୍ଚରେ ଜଣାପଡ଼ିଲା ସମସ୍ୟା

ସୂଚନା ଅନୁସାରେ, ବୋଇଙ୍ଗ ୭୩୭ ବିମାନ IX 415 କୋଚିରୁ ଉଡ଼ାଣ ଭରିବାର କିଛି ସମୟ ପରେ ପ୍ରାୟ ୩୬,୦୦୦ ଫୁଟ୍‌ ଉଚ୍ଚତାରେ ଥିବାବେଳେ ବିମାନର ଇଞ୍ଜିନ୍‌ ୧ରେ ତେଲ କମିଯାଉଥିବା ନେଇ ପାଇଲଟ୍‌ ସଙ୍କେତ ପାଇଥିଲେ। ପରିସ୍ଥିତିର ଗୁରୁତ୍ୱକୁ ବୁଝି ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ATC) ସହ ଯୋଗାଯୋଗ କରିଥିଲେ ଏବଂ ବିମାନକୁ କୋଚି ଆଡ଼କୁ ମୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

Also Read: ଦିଲ୍ଲୀ ବିଲ୍ଡିଂ ଧସିବା ଘଟଣାରେ ଭଗ୍ନାବଶେଷ ତଳୁ ଆସିଲା ଛାତ୍ରଙ୍କ SOS ଭିଡିଓ !

ପାଇଲଟ୍‌ଙ୍କ ସୂଚନା ପରେ କୋଚି ବିମାନବନ୍ଦରରେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଥିଲା। ଶେଷରେ ପାଇଲଟ୍‌ଙ୍କ ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ' ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।

୫୦ ମିନିଟ୍ ଉଡ଼ି ଚାଲିଲା ବିମାନ

୩୬ ହଜାର ଫୁଟ୍ ଉଚ୍ଚରେ ଉଡ଼ାଣ ଭରୁଥିବା ବିମାନରେ ତେଲ କମିବାର ସଙ୍କେତ ମିଳିବା ପରେ ଇଞ୍ଜିନ ୧କୁ ବନ୍ଦ କରାଯାଇଥିଲା। ବଡ଼ କଥା ସେତେବେଳକୁ ବିମାନଟି ଉଡ଼ାଣ ଭରିବାର ୫୦ ମିନିଟ୍ ହୋଇ ସାରିଥିଲା। ଏହା ପରେ ବିମାନକୁ ଫେରାଇ ନେବାକୁ ନିଷ୍ପତ୍ତି ହୋଇଥିଲା ଏବଂ କୋଚି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

Also Read: ଲୋପ ପାଇଯିବେ ମଣିଷ ! ଆଉ ମାତ୍ର ଏତିକି ବର୍ଷ...ମିଶିଯିବେ ସବୁ ମହାଦେଶ

ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟିର କାରଣ ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଘଟଣା ଘଟିଛି।

ସମାନ ଘଟଣା

ନିକଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ବାରଣାସୀରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ବାଧ୍ୟ ହୋଇ ପାଇଲଟ୍ ବିମାନକୁ ଲକ୍ଷ୍ମୌ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଇଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଥିବା ଏୟାର ଲାଇନ ପକ୍ଷରୁ କୁହାଯାଇଥିଲା।