ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟ ସାକେତ୍ ସୈଦୁଲଅଜାଇବ୍ ଶନିବାର କୋଠା ଭୂଶୁଡି ପଡିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଦିଲ୍ଲୀ ଏମସିଡିର ଦୁଇଜଣ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୈଦୁଲଅଜାଇବରେ ଏକ ପାଞ୍ଚ ମହଲା କୋଠା ଭୂଶୁଡିପଡିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ଦିଲ୍ଲୀ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରବିବାର ପୂର୍ବାହ୍ନରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଏହି ଘଟଣା ପାଇଁ ଦାୟି ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରିଥିଲେ। ଏହା ଛଡା ମୁଖ୍ୟମନ୍ତ୍ରୀ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ଯାଞ୍ଚ ଆଦେଶ ମଧ୍ୟ ଦେଇଛନ୍ତି। ଏହି ଘଟଣା ପରେ ରାଜଧାନୀ ଦିଲ୍ଲୀରେ ଥିବା ପୁରୁଣା ଦଦରା ଘର ଗୁଡିକର ଯାଞ୍ଚ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମନ୍ତୁଦ ଘଟଣାକୁ ନେଇ ଏମସିଡି କନିଷ୍ଠ ଯନ୍ତ୍ରୀ (ଜେଇ) ଅମନ ଜୈନ ଓ ସହାୟକ ଯନ୍ତ୍ରୀ (ଏଇ) ସୁଦେଶ ସିଂହ ଚୌହାନଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘଟଣାସ୍ଥଳ ପରିଦର୍ଶନ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

କୋଠା ଭୁଶୁଡିପଡିବା ଯୋଗୁ ପ୍ରାଣ ହରାଇଥିବା ୪ ଜଣଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ରବି, ନଲିନ, କପିଲ ଓ ପାର୍ବତୀ ଓଝା। ପଞ୍ଚମ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି। ରବି କିର୍ଗିଜସ୍ତାନରୁ ଏମବିବିଏସ୍ ଡିଗ୍ରି ହାସଲ କରିଥିଲେ ଓ ଏବେ ପିଜି ପାଇଁ ପ୍ରସ୍ତୁତି କରୁଥିଲେ। ସେ ସାଙ୍ଗମାନଙ୍କ ସହ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିବା ବେଳେ କୋଠା ଭୂଶୁଡି ପଡିଥିଲା।