ବେଜିଂ : ବର୍ତ୍ତମାନ ଚୀନରେ AI କ୍ଷେତ୍ରରେ ନିବେଶ ବଢ଼ୁଛି, ଟେକ୍ନୋଲୋଜି ଆଧାରିତ ଶିଳ୍ପ ଦ୍ରୁତ ଗତିରେ ବିକଶିତ ହେଉଛି। ହେଲେ ଏହାର ପ୍ରଭାବ ଯୁବପିଢ଼ିଙ୍କ ଚାକିରି ବଜାରରେ ଦେଖିବାକୁ ମିଳୁନାହିଁ । ଚୀନରେ ଯୁବ ବେକାରି ହାର ପୁଣି ବଢ଼ି ୧୮.୯ ପ୍ରତିଶତରେ ପହଞ୍ଚିଛି । ରେକର୍ଡ ସଂଖ୍ୟକ ଗ୍ରାଜୁଏଟ୍ ଚାକିରି ବଜାରକୁ ପ୍ରବେଶ କରିବା ସହ AI ଯୋଗୁଁ ପାରମ୍ପରିକ ଏଣ୍ଟ୍ରି-ଲେଭଲ୍ ଚାକିରି ଉପରେ ବଢ଼ୁଥିବା ଚାପ ଏବେ ଚୀନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଚୀନରେ ଯୁବପିଢ଼ିଙ୍କ ଚାକିରି ସଙ୍କଟ ଆହୁରି ଗଭୀର ହେଉଛି। ଅଗଷ୍ଟ ୨୦୨୬ରେ ୧୬ରୁ ୨୪ ବର୍ଷ ବୟସର, ଶିକ୍ଷାର୍ଥୀଙ୍କୁ ବାଦ ଦେଇଥିବା ଯୁବ ଶ୍ରମଶକ୍ତିର ସହରାଞ୍ଚଳ ବେକାରି ହାର ୧୮.୯ ପ୍ରତିଶତରେ ପହଞ୍ଚିଛି। ଜୁଲାଇରେ ଏହି ହାର ୧୭.୯ ପ୍ରତିଶତ ଥିଲା। ଚୀନର ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ, ନୂଆ ପଦ୍ଧତିରେ ତଥ୍ୟ ପ୍ରକାଶ ପରେ ଏହା ସର୍ବୋଚ୍ଚ ସ୍ତର ମଧ୍ୟରୁ ଗୋଟିଏ।

ଚଳିତ ବର୍ଷ ପ୍ରାୟ ୧୨.୭ ନିୟୁତ ବିଶ୍ୱବିଦ୍ୟାଳୟ ଗ୍ରାଜୁଏଟ୍ ଚାକିରି ବଜାରକୁ ପ୍ରବେଶ କରିଛନ୍ତି। ଏହା ଫଳରେ ପୂର୍ବରୁ ଚାପରେ ଥିବା ଯୁବ ନିଯୁକ୍ତି ବଜାରରେ ପ୍ରତିଯୋଗିତା ଆହୁରି ବଢ଼ିଛି। ଚୀନର ଅର୍ଥନୀତିରେ ଦୁର୍ବଳ ଘରୋଇ ଚାହିଦା ଏବଂ ଧୀମା ଗତିର ଆର୍ଥିକ ପରିସ୍ଥିତି ମଧ୍ୟ ନିଯୁକ୍ତି ଉପରେ ପ୍ରଭାବ ପକାଉଛି। ଏହା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIର ଦ୍ରୁତ ବ୍ୟବହାର ଯୁବପିଢ଼ିଙ୍କ ଚାକିରି ନେଇ ନୂଆ ଚିନ୍ତା ସୃଷ୍ଟି କରିଛି । ବିଶେଷକରି ଏଣ୍ଟ୍ରି-ଲେଭଲ୍ କାମରେ AI କେତେକ କାର୍ଯ୍ୟକୁ ସ୍ୱୟଂଚାଳିତ କରିପାରିବାରୁ ନୂଆ ଗ୍ରାଜୁଏଟ୍ମାନଙ୍କ ପାଇଁ ଆରମ୍ଭିକ ଚାକିରି ସୁଯୋଗ ଉପରେ ପ୍ରଶ୍ନ ଉଠୁଛି । ତେବେ ୧୮.୯% ବେକାରି ହାରର ସମ୍ପୂର୍ଣ୍ଣ ବୃଦ୍ଧିକୁ କେବଳ AI ପାଇଁ ଦାୟୀ କରାଯାଇପାରିବ ନାହିଁ। ମୁଖ୍ୟତଃ ୨୫ରୁ ୨୯ ବର୍ଷ ବୟସର ଯୁବକ-ଯୁବତୀଙ୍କ ବେକାରି ହାର ଅଗଷ୍ଟରେ ୭.୫%କୁ ବଢ଼ିଛି, ଯାହା ଜୁଲାଇରେ ୭.୨% ଥିଲା। ସେପଟେ ୩୦ରୁ ୫୯ ବର୍ଷ ବୟସର ଶ୍ରମଶକ୍ତିର ବେକାରି ହାର ୩.୯%ରେ ସ୍ଥିର ରହିଛି ।

ଚୀନ ଅଧିକାରୀମାନେ ଅଗଷ୍ଟରେ ବେକାରି ବଢ଼ିବାର ମୁଖ୍ୟ କାରଣ ଭାବେ ବହୁ ସଂଖ୍ୟକ ନୂଆ ଗ୍ରାଜୁଏଟ୍ଙ୍କ ଶ୍ରମ ବଜାରରେ ପ୍ରବେଶକୁ ଦର୍ଶାଇଛନ୍ତି। ତଥାପି ଏହି ଚିତ୍ରଟି କେବଳ ନକାରାତ୍ମକ ନୁହେଁ । ଚୀନରେ AI ଆଧାରିତ ନୂଆ ବ୍ୟବସାୟ ଓ ଷ୍ଟାର୍ଟଅପ୍ରେ ଯୁବପିଢ଼ି ମଧ୍ୟ ପ୍ରବେଶ କରୁଛନ୍ତି। କେତେକ ଯୁବ ଉଦ୍ୟୋଗୀ AI ଟୁଲ୍ ବ୍ୟବହାର କରି କମ୍ ଲୋକଙ୍କ ସହ ଛୋଟ ବ୍ୟବସାୟ ଆରମ୍ଭ କରୁଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍ ଚୀନରେ AI ନିବେଶ ବଢ଼ୁଥିବା ବେଳେ ଯୁବ ନିଯୁକ୍ତି ବଜାର ଏକ ବିପରୀତ ଚିତ୍ର ଦେଖାଉଛି। ଗୋଟିଏ ପଟେ ନୂଆ ଟେକ୍ନୋଲୋଜି ଓ ନୂଆ ଚାକିରିର ସମ୍ଭାବନା, ଅନ୍ୟପଟେ ପାରମ୍ପରିକ ଏଣ୍ଟ୍ରି-ଲେଭଲ୍ କାମ ଉପରେ ଚାପ। ତେବେ ଆଗାମୀ ଦିନରେ AI କିପରି ଚୀନର ଯୁବ ନିଯୁକ୍ତି ବଜାରକୁ ବଦଳାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।