ଭୁବନେଶ୍ୱର,୨/୧୧ : ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’। ସୋମବାର ସୁଦ୍ଧା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ । ସୋମବାର ବିଳମ୍ବିତ ରାତି ଓ ମଙ୍ଗଳବାର ଭୋର୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ମାଡ଼ ହେବ। ଯଦିଓ ଓଡ଼ିଶାରେ ବାତ୍ୟା ପ୍ରଭାବରେ ବିଶେଷ ଜୋର୍ ପବନ ବହିବନି, ତଥାପି ଭୀଷଣ ବର୍ଷିବ। ତୁହାକୁ ତୁହା ବର୍ଷା ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ବୁଡ଼ାଇପାରେ। ବନ୍ୟା ବିତ୍ପାତରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପୁଣି ଥରେ ନୂଆ ବିପଦ ମାଡ଼ି ଆସୁଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କହୁଛି, ଆନ୍ଧ୍ର ଉପକୂଳର ନେଲ୍ଲୋର ଓ ନରସାପୁର ମଝିରେ ‘ମୁରାସୁ’ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ। ପବନର ଝଟକା ୧୨୦ କିମି ପର୍ଯ୍ୟନ୍ତ ଛୁଇଁପାରେ। ଲ୍ୟାଣ୍ଡଫଲ୍ ପରେ ଭୀଷଣ ବାତ୍ୟାର ତୀବ୍ରତା ଦୁର୍ବଳ ହୋଇ ବାତ୍ୟାକୁ ଖସିପାରେ। ବାତ୍ୟାର ବାହ୍ୟବଳୟ ମାଲକାନଗିରି ଓ କୋରାପୁଟ ଭିତରେ ଘଷି ହୋଇ ଯିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି।

ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ ଦେଇଛି। ସୋମବାର ଗଜପତି ଓ ଗଞ୍ଜାମ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷିବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ଅଧିକ ବର୍ଷା ହୋଇପାରେ। ମଙ୍ଗଳବାର (୩ ତାରିଖ) ଓ ବୁଧବାର (୪ ତାରିଖ) ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କା ଅଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଅଞ୍ଚଳରେ ଦୁଇ ଦିନ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଝଟକା ପବନ ଘଣ୍ଟାକୁ ୭୦ କିମି ଛୁଇଁପାରେ। ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଭାରି ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭୟ ରହିଛି। ଆମେରିକାର ଜଏଣ୍ଟ ଟାଇଫୁନ ୱାଣ୍ଡିଂ ସେଣ୍ଟର (ଜେଟିଡବଲୁସି ) ଆକଳନ ସତ ହେଲେ ସ୍ଥଳଭାଗରେ ପ୍ରବେଶ ବେଳେ ପବନ ବେଗ ୧୩୦ କିମି ରହିପାରେ, ଝଟକା ୧୪୮ କିମି ଛୁଇଁବା ଆଶଙ୍କା ରହିଛି। ।

Also Read :- ମହାଦେବ ବେଟିଂ ନେଟୱର୍କର କିଙ୍ଗପିନ ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଆଣିଲା ସିବିଆଇ

ଜେଟିଡବଲୁସି ମଡେଲକୁ ଆଧାର କରି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨ ତାରିଖ ରାତି ୨ଟାରୁ ୩ ତାରିଖ ସକାଳ ସାଢ଼େ ୫ଟା ଭିତରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଅତିକ୍ରମ ପରେ ଆନ୍ଧ୍ରପ୍ରଦେଶର ଭିତର ଅଞ୍ଚଳରେ ପବନର ବେଗ କିମି ୮୩ କିମି ରହିବ। ବାତ୍ୟାର ବାହାର ପାର୍ଶ୍ବର ବର୍ଷା ମେଘ ଓଡ଼ିଶା ଆଡ଼କୁ ବ୍ୟାପିଲେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ । ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଛତ୍ରପୁର, ବ୍ରହ୍ମପୁର ଓ ଚିକିଟି ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। କିନ୍ତୁ ଓଡ଼ିଶାରେ ବାତ୍ୟା ବଳୟର କ୍ଷତିକାରକ ପବନ ପହଞ୍ଚିବାର ସମ୍ଭାବନା କମ୍। ଦକ୍ଷିଣ ଉପକୂଳରେ ଝଟକା ପବନ ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ ବୋଲି ସେ କହିଛନ୍ତି ।