ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଆଉ ଶୁଭିବନି ନାରା, ଶୁଭିବନି ଆନ୍ଦୋଳନର ପଦଧ୍ଵନୀ। ଯେଉଁଠି ହକ୍ ଏବଂ ଅଧିକାରର ଲଢେଇ ପାଇଁ ବିକ୍ଷୋଭକାରୀଙ୍କ ସମାଗମ ହେଉଥିଲା, ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା, ସେଠି ଏବେ କେବଳ ନିରବତାର ଚିତ୍ର ଦେଖିବାକୁ ମିଳିବ। ନା ଶୁଭିବ ନେତାଙ୍କ ଗର୍ଜନ ନା ଶବ୍ଦଭେଦୀ ଭାଷଣ। ନା ସରକାରୀ ବିରୋଧୀ ପ୍ଲା କାର୍ଡ ଦେଖିବାକୁ ମିଳିବ। ଜନ୍ତର ମନ୍ତରରେ ଏବେ କେବଳ ଦେଖିବାକୁ ମିଳିବ ଶୂନଶାନର ଚିତ୍ର। ଆଉ ଦେଖିବାକୁ ମିଳିବନି ଛାତ୍ର ନେତାଙ୍କ ଗହଳି ଏବଂ ଆନ୍ଦୋଳନ।

ରାଜଧାନୀ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଜନ୍ତର ମନ୍ତରରେ କଣ ଆଉ ପ୍ରଦର୍ଶନ କରି ହେବ ? ଏହି ପ୍ରଶ୍ନ ପ୍ରତ୍ୟେକ ଆନ୍ଦୋଳନକାରୀଙ୍କ ମନରେ ଉଙ୍କି ମାରୁଛି। ଆଉ ଏହାର ଉତ୍ତର ମିଳି ଯାଇଛି। ଏବେ ଜନ୍ତର ମନ୍ତରରେ ଆଉ କୌଣସି ପ୍ରକାରର ଆନ୍ଦୋଳନ, ଧାରଣା ପ୍ରଦର୍ଶନ କିମ୍ବା ଅନଶନ ହୋଇ ପାରିବ ନାହିଁ। ଦିଲ୍ଲୀ ପୋଲିସ ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଭାବେ ମିଳିଥିବା ପ୍ରଦର୍ଶନ ସ୍ଥଳର ମାନ୍ୟତାକୁ ପ୍ରତ୍ୟାହାର କରି ନେଇଛି। ସୋମବାର ଜାରି ଏକ ଆଦେଶରେ ଏହାର ସୂଚନା ଦିଆଯାଇଛି। ଏହା ସହିତ ରାଜଧାନୀରେ ବିରୋଧ ପ୍ରଦର୍ଶନ, ଧାରଣା ପାଇଁ ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିବା କହିଛି ଦିଲ୍ଲୀ ପୋଲିସ।

Also Read: ମାଗଣା ଜଳଖିଆକୁ ନେଇ ପ୍ରଦର୍ଶନକାରୀଙ୍କ ନାରାବାଜି, ‘ଏକ ଚାଏ, ଦୋ ସମୋସା... ଦିଲ୍ଲୀ ପୋଲିସ ପର ପୂରା ଭରୋସା’

ଇତିହାସ ପାଲଟିଯିବ ଜନ୍ତର ମନ୍ତର

ରାଜଧାନୀରେ ଦଶନ୍ଧି ଧରି ବିରୋଧ ପ୍ରଦର୍ଶନ ଏବଂ ଜନ ଆନ୍ଦୋଳନର ମୂକ ସାକ୍ଷୀ ରହିଥିବା ଜନ୍ତର ମନ୍ତର ଏବେ ଇତିହାସ ପାଲଟିଯିବ। ଦିଲ୍ଲୀ ପୋଲିସ ଏକ ଐତିହାସିକ ଏବଂ ବଡ଼ ପ୍ରଶାସନିକ ନିଷ୍ପତ୍ତି ନେଇ ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଧାରଣାସ୍ଥଳ ତାଲିକାରୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଛି। ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ଦ୍ଵାରା ଜାରି ଷ୍ଟାଣ୍ଡିଂ ଆଇଡି ନମ୍ବର L&O/48/2026 ଅନୁସାରେ, ଏବେ ଜନ୍ତର ମନ୍ତର ବଦଳରେ ରାଜଧାନୀରେ ପ୍ରଦର୍ଶନ ପାଇଁ ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନକୁ ମଞ୍ଜୁରୀ ଦିଆଯାଇଛି।

ଏହି ତିନି ସ୍ଥାନକୁ ମିଳିଲା ମଞ୍ଜୁରୀ

ସରକାରୀ ଆଦେଶ ମୁତାବକ. କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦ୍ଵାରା ଗଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କମିଟିର ସୁପାରିଶ କ୍ରମେ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାରକୁ ବଜାୟ ରଖିବା ପାଇଁ ତିନୋଟି ସ୍ଥାନକୁ ଅଧିସୂଚିତ କରାଯାଇଛି।

୧ – ରାମଲୀଲା ମଇଦାନ(ସେଣ୍ଟ୍ରାଲ ଦିଲ୍ଲୀ)

୨ – ବୁରାଡ଼ି ଗ୍ରାଉଣ୍ଡ(ଉତ୍ତର ଦିଲ୍ଲୀ)

୩ – ସିବିଡି ଗ୍ରାଉଣ୍ଡ, କଡ଼କଡ଼ଡୁମା(ପୂର୍ବ ଦିଲ୍ଲୀ)

ସୂଚନାଯୋଗ୍ୟ, ଅକ୍ଟୋବର ୧୦ରେ କକରୋଚ ଜନତା ପାର୍ଟି ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହେଲେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ପକ୍ଷରୁ ଯେଉଁଭଳି ଭାବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା, ବ୍ୟାରିକେଡିଂ ସହ ୩୦ ହଜାରରୁ ଉର୍ଦ୍ଧ୍ଵ ପୋଲିସ ବଳ ମୁତୟନ କରାଗଲା ତାହା ବେଶ ଆଶ୍ଚର୍ଯ୍ୟଚକିତ କରିବା ଭଲି ଥିଲା।

Also Read: ଅଭିଜିତ ଦୀପକେଙ୍କୁ ଧରିବା ପାଇଁ ବିମାନ ଭିତରକୁ କେମିତି ପହଞ୍ଚିଲା ପୋଲିସ ? ଜବାବ ମାଗିଲା ଏୟାର ଇଣ୍ଡିଆ

ସୂଚନାଯୋଗ୍ୟ, ଜନ୍ତର ମନ୍ତର ସଂସଦ ଭବନ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟର ବହୁ ନିକଟତର। ଏହି କାରଣରୁ ଏଠାରେ ହେଉଥିବା ପ୍ରଦର୍ଶନରେ ପୂରା ସେଣ୍ଟ୍ରାଲ ଦିଲ୍ଲୀର ଯାତାୟାତ ଏବଂ ସୁରକ୍ଷା ଗ୍ରୀଡ଼ ଗୁରୁତର ଭାବେ ପ୍ରଭାବିତ ହେଉଥିଲା। ଦିଲ୍ଲୀ ପୋଲିସର ଏହି ନୂଆ ଆଦେଶ ପତ୍ର ଏବେ ସମସ୍ତ ପୋଲିସ କମିଶନର, ଯୁଗ୍ମ କମିଶନର ଏବଂ ଜିଲ୍ଲା ଡିସିପିକୁ ପଠାଇ ଦିଆଯାଇଛି। ଏହି ନିଷ୍ପତ୍ତି ପରେ ଏବେ ଲୁଟିୟନ୍ସ ଦିଲ୍ଲୀ ସଂପୂର୍ଣ୍ଣ ଭାବେ ରାଜନୈତିକ ସଭା ଏବଂ ପ୍ରଦର୍ଶନରୁ ମୁକ୍ତ ହୋଇଯିବ।