ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିୱାଲଙ୍କ ଦ୍ୱାରା ରୁଜୁ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ)କୁ ନୋଟିସ୍ ଜାରି କରିଛନ୍ତି। ଏହି ଆବେଦନରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କୁ ହଟାଇବାକୁ ନିବେଦନ କରାଯାଇଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ। ତେବେ ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ ନ୍ୟାୟାଳୟ ଜଷ୍ଟିସ୍ ଶର୍ମାଙ୍କୁ ହଟାଇବାର ଆବେଦନକୁ ରେକର୍ଡକୁ ନେଇଛନ୍ତି ଓ ଅପରପକ୍ଷଙ୍କୁ ଆବେଦନର ଅଗ୍ରୀମ ସୂଚନା ଦିଆଯାଇଛି। ଏଥିରେ ତାଙ୍କୁ ୭ ଏପ୍ରିଲ ମଙ୍ଗଳବାର ସୁଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେଜରିୱାଲଙ୍କ ଅନୁରୋଧ
ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.କେ. ଉପାଧ୍ୟାୟ ପ୍ରଥମେ କେଜରିୱାଲଙ୍କ ନିବେଦନକୁ ଖାରଜ କରିଦେଇଥିଲେ, ଯେଉଁଥିରେ ସେ ସିବିଆଇ ଆବେଦନ ଉପରେ ଶୁଣାଣିକୁ ଜଷ୍ଟିସ୍ ଶର୍ମାଙ୍କ ଇଜଲାସରୁ କୌଣସି ଅନ୍ୟ ବିଚାରପତିଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଥିଲେ। ହେଲେ କେଜରିୱାଲ ଏଥିରେ ସ୍ପଷ୍ଟ କରିଥିଲେ ଯେ ଏହି ମାମଲାରୁ ନିଜକୁ ପୃଥକ କରିବାକୁ ନିଷ୍ପତ୍ତି ସମ୍ପର୍କିତ ବିଚାରପତିଙ୍କୁ ନେବାକୁ ପଡିବ। କେଜରିୱାଲ ଓ ଆମ ଆଦମୀ ପାର୍ଟି ନେତା ମନିଷ ସିସୋଦିଆ ମାର୍ଚ୍ଚ ୧୧ ତାରିଖରେ ଦେଇଥିବା ରିପ୍ରେଜେଣ୍ଟେସନରେ କହିଥିଲେ ଯେ ମାମଲାରେ ଜଷ୍ଟିସ୍ ଶର୍ମାଙ୍କ ଶୁଣାଣି ନିରପେକ୍ଷ ହେବ ନାହିଁ। ତେବେ ଏହା ପୂର୍ବରୁ ଟ୍ରାୟଲ କୋର୍ଟ ଫେବୃଆରୀ ୨୭ ତାରିଖ ଦିନ କେଜରିୱାଲ, ସିସୋଦିଆ ଓ ୨୧ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଦେଇଥିଲେ।

ସିବିଆଇର ସ୍ଥିତି
କୋର୍ଟ ସିବିଆଇକୁ ତାଗିଦ କରି କହିଥିଲେ ଯେ ତା ମାମଲା ବିଚାରବିଭାଗୀୟ ଯାଞ୍ଚରେ ବିଫଳ ହୋଇଛି ଓ ଅବିଶ୍ୱସନୀୟ ପ୍ରମାଣିତ ହୋଇଛି। ତେବେ ଟ୍ରାୟଲ କୋର୍ଟଙ୍କ ରାୟ ବିରୋଧରେ ସିବିଆଇ ଦ୍ୱାରା ଦାଖଲ ଅପିଲ ଉପରେ ମାର୍ଚ୍ଚ ୯ ତାରିଖ ଦିନ ସବୁ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରି ଜଷ୍ଟିସ୍ ଶର୍ମା କହିଥିଲେ ଯେ ଚାର୍ଜ ଫ୍ରେମ ପର୍ଯ୍ୟାୟରେ ନିମ୍ନ କୋର୍ଟର କିଛି ଟିପ୍ପଣୀ ଓ ନିଷ୍କର୍ସ ତ୍ରୁଟିପୂର୍ଣ୍ଣ ଲାଗୁଛି। ଏହା ଛଡା ଜଷ୍ଟିସ୍ ଶର୍ମାଙ୍କ ପୀଠ ମଦ ନୀତି ମାମଲାରେ ସିବିଆଇ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରିବା ଲାଗି ନିମ୍ନ କୋର୍ଟଙ୍କ ସୁପାରିଶ ଉପରେ ରୋକ ଲଗାଇ ଦେଇଥିଲେ।

ଆବେଦନ ଉପରେ ନିଜେ ବିତର୍କ କରିବେ କହିଲେ କେଜରିୱାଲ
ସୋମବାର ଶୁଣାଣି କାଳରେ କେଜରିୱାଲ କୋର୍ଟରେ ନିଜ ଆଇନଗତ ଅଧିକାର ଉପଯୋଗ କରିବାକୁ ଦାବି କରିଥିଲେ। କହିଥିଲେ ପିଟିସନର ରୂପେ ବ୍ୟକ୍ତିଗତଭାବେ ଇ-ଫାଇଲିଂ ପାଇଁ ତାଙ୍କୁ ଅନୁମତି ମିଳିବ ନାହିଁ। ଏଥିଲାଗି ମୋତେ କୋର୍ଟରୁ ଅନୁମତି ନେବାକୁ ପଡିବ। ତେବେ ମୋ ପାଖରେ ଏହାର ହାର୍ଡ କପି ଅଛି। ମୁଁ ଆଜି ଅଥବା ଅନ୍ୟ କୌଣସି ତାରିଖରେ ବିତର୍କ କରିବାକୁ ପ୍ରସ୍ତୁତ। ମୁଁ ଏହି ଆବେଦନ ଉପରେ ନିଜେ ବିତର୍କ କରିବି, ମୋ ଆଇନଗତ ଅଧିକାର ଉପଯୋଗ କରିବି।

ଜାଣନ୍ତୁ ସୋଲିସେଟର ଜେନରାଲ କହିଲେ କଣ?
କେଜରିୱାଲଙ୍କ ଏହି ଦାବିରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। କହିଛନ୍ତି କିଛି ଲୋକେ ସେମାନଙ୍କ କ୍ୟାରିୟର ସାମ୍ବିଧାନିକ ସଂସ୍ଥାଙ୍କ ଉପରେ ଅଭିଯୋଗ କରି ଚଳାଉଛନ୍ତି। ସେ କହିଛନ୍ତି ଯେ ଯଦି କେଜରିୱାଲ ନିଜେ ବିତର୍କ କରିବାକୁ ଚାହୁଁଛନ୍ତି ତେବେ ସେ ତାଙ୍କ ଓକିଲଙ୍କୁ ହଟାଇ ଦିଅନ୍ତୁ ଓ ବିନା ଆଇନଗତ ସହାୟତାରେ ସବୁ ଶୁଣାଣିରେ ବିତର୍କ କରନ୍ତୁ। ଏହି ଅବସରରେ ମେହେଟ୍ଟା ମାମଲାକୁ ଜାତୀୟ ରଜଧାନୀର ସବୁଠୁ ବଡ଼ ଦୁର୍ନୀତି ବୋଲି କହି ତ୍ୱରିତ ଶୁଣାଣି ନିବେଦନ କରିଥିଲେ। ଏଥିରେ କୋର୍ଟ କେଜରିୱାଲଙ୍କ ଦାବି ଉପରେ ସିବିଆଇକୁ କାଲି ସୁଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read..ଦିଲ୍ଲୀ ମଦଦୁର୍ନୀତି ମାମଲା: ସୋମବାର ହାଇକୋର୍ଟରେ ହାଜର ହେବେ କେଜରିୱାଲ, ନିଜେ ରଖିବେ ନିଜର ତର୍କ