ନୂଆଦିଲ୍ଲୀ ୦୨।୦୭; ଯଦି ଆପଣଙ୍କ ଫୋନରେ ଏମିତି କିଛି ଆପ ଅଛି। ଯାହା ଆପଣ କେବେ ବ୍ୟବହାର ହିଁ କରିନାହାନ୍ତି, ତେବେ ଏହାକୁ ହଟେଇବାର ସମୟ ଆସିଯାଇଛି । ସାଇବର ସିକ୍ୟୁରିଟି ଏକ୍ସପର୍ଟଙ୍କ କହିବା ଅନୁସାରେ ଫୋନରେ ଆପସ୍ ରଖିବା କେବଳ ଷ୍ଟୋରେଜ ବଢେଇବା ତାହା ନୁହେଁ, ବରଂ ଏହା ଆପଣଙ୍କ ନିଜସ୍ୱ ବ୍ୟକ୍ତିଗତ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । କାରଣ ଏହି ଆପଗୁଡିକ ଅନେକ ସମୟରେ କ୍ୟାମେରା, ମାଇକ୍ରୋଫୋନ୍, ଲୋକେସନ୍, କଣ୍ଟାକ୍ଟ, ଫଟୋ ଭଳି ଜିନିଷରେ ଆକସେସ୍ ନେଇ ରଖିଥାଏ ଏବଂ ବ୍ୟାକଗ୍ରାଉଣ୍ଡରେ ଏସବୁ କାମ କରିଥାଏ । 

ତେବେ ଯଦି ସେହି ଆପ୍‌ ପରେ କୌଣସି ସୁରକ୍ଷା ତ୍ରୁଟି ଦେଖାଯାଏ କିମ୍ବା ଡାଟା ଲିକ୍ ହୁଏ।  ତେବେ ଆପଣଙ୍କ ବ୍ୟକ୍ତିଗତ ସୂଚନା, ଫଟୋ ଓ ଭିଡିଓ ମଧ୍ୟ ବିପଦରେ ପଡ଼ିପାରେ। ଏହାଛଡ଼ା ଏଭଳି ଆପଗୁଡ଼ିକ ଫୋନର ବ୍ୟାଟେରି ଅଧିକ ସରିଥାଏ। ମୋବାଇଲ୍ ଡାଟା ବ୍ୟବହାର କରନ୍ତି ଏବଂ ଫୋନର ଗତିକୁ ମଧ୍ୟ ଧୀର କରିଦିଅନ୍ତି । କେତେକ ଆପ୍ ଆପଣ ବ୍ୟବହାର ନକରିଲେ ମଧ୍ୟ ଲୋକେସନ୍ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିପାରନ୍ତି । ଫୋନରେ ଅଧିକ ସ୍ଥାନ ଖାଲି ରଖିବା ପାଇଁ ମଧ୍ୟ ପୁରୁଣା ଆପ୍ ହଟାଇବା ଆବଶ୍ୟକ। ବର୍ତ୍ତମାନ ଅନେକ ଆପ୍‌ର ଷ୍ଟୋରେଜ ୧ GB କିମ୍ବା ତାଠାରୁ ଅଧିକ ହୋଇଥାଏ। ସେଗୁଡ଼ିକୁ ହଟାଇଲେ ନୂଆ ଫଟୋ, ଭିଡିଓ ଓ ଜରୁରୀ ଫାଇଲ୍ ପାଇଁ ଅଧିକ ସ୍ଥାନ ମିଳିଥାଏ । ଯଦି ଭବିଷ୍ୟତରେ ସେହି ଆପ୍‌ ଆବଶ୍ୟକ ପଡେ ତେବେ iPhoneର Offload App ଏବଂ Androidର App Archiving ଫିଚର ବ୍ୟବହାର କରିପାରିବେ । ଏଥିରେ ଆପ୍ ହଟିଯାଏ କିନ୍ତୁ ଆପଣଙ୍କ ଜରୁରୀ ଡାଟା ସୁରକ୍ଷିତ ରହେ । 

ବିଶେଷଜ୍ଞମାନଙ୍କ ପରାମର୍ଶ ହେଉଛି ପ୍ରତି ତିନି ମାସରେ ଥରେ ନିଜ ଫୋନର ଆପ୍ ତାଲିକା ଯାଞ୍ଚ କରନ୍ତୁ। ଯେଉଁ ଆପ୍‌ରେ ଆଉ ଆବଶ୍ୟକତା ନାହିଁ ସେଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ । ସବୁଠାରୁ ବଡ କଥା ଯଦି ସେହି ଆପ୍‌ରେ ଆପଣଙ୍କ ଆକାଉଣ୍ଟ ଅଛି ତେବେ ପ୍ରଥମେ ଲଗ୍ଆଉଟ୍ କରନ୍ତୁ ଏବଂ ଆଉ କେବେ ବ୍ୟବହାର କରିବେ ନାହିଁ ବୋଲି ଭାବୁଥିଲେ ଆକାଉଣ୍ଟକୁ ମଧ୍ୟ ସ୍ଥାୟୀଭାବେ ଡିଲିଟ୍ କରିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ କମ୍ପାନୀର ସର୍ଭରରେ ଅନାବଶ୍ୟକ ଭାବେ ରହିବ ନାହିଁ ଏବଂ ପ୍ରାଇଭେସି ଅଧିକ ସୁରକ୍ଷିତ ରହିବ ।