କଣାସ : ଦୀର୍ଘ ୪୦ ବର୍ଷ ଧରି ଚାଷ ହୋଇପାରୁନି ଜମି । ଜମିରେ ଚାଷ ନାହିଁ, ହେଲେ ଚାଷୀଙ୍କ ନାଁରେ ଆସୁଥିଲା ଜଳ କର। ବର୍ଷ ପରେ ବର୍ଷ ଅଭିଯୋଗ କରି ଥକିଗଲେ ଚାଷୀ। ହେଲେ ଶୁଣୁନଥିଲା ପ୍ରଶାସନ। ଶେଷରେ ୪୦ ବର୍ଷ ପରେ ଚାଷୀଙ୍କ ଜମିରେ ପହଞ୍ଚିଲେ ତହସିଲଦାର।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବାତଳ ଗାଁର ଶତାଧିକ ଚାଷୀଙ୍କ ଜମିରେ ଦୀର୍ଘ ୪୦ ବର୍ଷ ଧରି ଲାଗି ରହିଛି ଜଳବନ୍ଦୀ ସମସ୍ୟା। ଜମିରୁ ପାଣି ନିଷ୍କାସନ ପାଇଁ ନାହିଁ ବାଟ। ଫଳରେ ଚାଷ ଜମି ପାଲଟିଛି ଘାସ ଓ ଦଳର ଜଙ୍ଗଲ। ବର୍ଷ ବର୍ଷ ଧରି ଏହି ସମସ୍ୟା ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଚାଷୀ। ହେଲେ ସମସ୍ୟାର ସମାଧାନ ହୋଇ ନଥିଲା।

ଏପଟେ ଚାଷ କରି ପାରୁ ନଥିଲେ ଚାଷୀ। ଫଳରେ ଚାଷ ଜମି ସେମିତି ପଡ଼ି ରହିଥିଲା। ଯାହା ଫଳରେ ଚାଷୀଙ୍କ ଉପରେ ଜଳ କର ଆଦାୟ ହେଉଥିଲା। ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଉ ନଥିଲେ। କିନ୍ତୁ ୪୦ ବର୍ଷ ପରେ ଏବେ ବଦଳିବ ଚିତ୍ର। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଡେଲାଙ୍ଗ ତହସିଲଦାର ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀ ବାତଳ ଗାଁରେ ପହଞ୍ଚିଛନ୍ତି। ପ୍ରାୟ ୫ ଘଣ୍ଟା ଧରି ଚାଷୀଙ୍କ ସହ ପ୍ରତ୍ୟେକ ଜମି ବୁଲି ଦେଖିଛନ୍ତି ତହସିଲଦାର। ସମସ୍ୟାର ସମାଧାନ ପାଇଁ ଜଳସମ୍ପଦ ବିଭାଗ ସହ ମିଶି ହୋଇଛି ଜଏଣ୍ଟ ଭେରିଫିକେସନ।

​​​​​​​

୪୦ ବର୍ଷର ଅବହେଳା ପରେ ଏବେ ଚେତିଛି ପ୍ରଶାସନ। ଚାଷୀଙ୍କ ଜମିରେ ପହଞ୍ଚି ସବୁ ସମସ୍ୟା ବୁଝିଛନ୍ତି। ଏବେ ଚାଷୀଙ୍କ ଆଶା ୪୦ ବର୍ଷର ଦୁଃଖର ହେବ ଅନ୍ତ। ଜଳ ନିଷ୍କାସନର ବାଟ ଖୋଲିବ ପୁଣି ଜମିକୁ ଫେରିବ ଚାଷ। ସେପଟେ ଜଏଣ୍ଟ ଭେରିଫିକେସନ ପରେ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।

Also Read- Athagarh accident news : ଚାନ୍ଦବାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା , କଲେଜ ଛାତ୍ରୀଙ୍କୁ ଚାପିଦେଲା ହାଇୱା