ଆଠଗଡ଼: ଆଠଗଡ଼ ଚାନ୍ଦବାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଲେଜ ଛାତ୍ରୀଙ୍କୁ ଚାପିଦେଲା ହାଇୱା। କ୍ଲାସ୍ ସାରି ଘରକୁ ଫେରୁଥିବା ବେଳେ ଚାନ୍ଦବାଲି ଛକ ନିକଟରେ ଦୁଇଜଣ କଲେଜ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇ ଥିବାବେଳେ, ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରୀଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତକ ଆଠଗଡ଼ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ। ତାଙ୍କ ଘର ଢେଙ୍କାନାଳର ଦେଓପଡ଼ା ଗାଁରେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଠଗଡ଼ ବିଧାୟକଙ୍କ ସମେତ କଲେଜ ପିଲା ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। କ୍ଷତି ପୂରଣ ସହିତ ଛକରେ ଟ୍ରାଫିକ ପୋଲିସ୍ ନିୟୋଜନ କରାଯିବା ନେଇ ଦାବି ହୋଇଛି।

Also Read-ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁର-କଟକ ଏନଏଚ-୫୫ ସଂପ୍ରସାରଣ ପାଇଁ କଲେ ଦାବି

ସୂଚନାନୁସାରେ, ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟତ କରିଥାଏ। ଏହି ରାସ୍ତା ଖୁଣ୍ଟୁଣୀ 55 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହା ସହ ପୁରୁଣା କଟକ ଓ ସମ୍ବଲପୁର ରାସ୍ତାକୁ ବି ସଂଯୋଗ କରୁଛି। ସେଥିପାଇଁ ହାଲୁକା ଯାନଠୁ ନେଇ ଭାରି ଯାନ ବିଭିନ୍ନ ସମୟରେ ଯାତାୟତ କରିଥାନ୍ତି। ସ୍କୁଲ କଲେଜ ପିଲାମାନେ ବି ଏହି ରାସ୍ତା ଯା ଆସ କରନ୍ତି। ଟ୍ରାଫିକ ପୋଷ୍ଟ ଅଛି କିନ୍ତୁ ଟ୍ରାଫିକ ପୋଲିସ୍ ନାହାନ୍ତି । ସେଥିପାଇଁ ମନ ଇଚ୍ଛା ଭାରି ଯାନ ଯାତାୟତ କରେ। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକ। ଆଉ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଆଉ ଏ ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ପୋଲିସ୍ ଓ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି।