ସୋର ୧୨।୫: ନ୍ୟାୟ ଦାବିରେ ସାଇକେଲରେ ବୁହାହେଲା ଶବ । ୧୫ କି.ମି. ସାଇକେଲରେ ବୁହା ହୋଇ ଥାନାକୁ ଗଲା ମୃତଦେହ l ଘର ଛାତପକାକୁ କେନ୍ଦ୍ରକରି ଦୁଇ ମହିଳାଙ୍କୁ ଆକ୍ରମଣ କରାଯାଇଥିଲା । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଘର ଛାତପକା ସହ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଗଣ୍ଡଗୋଳ ଫଳରେ ମାନସ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ କଟୁରୀରେ ଆକ୍ରମଣ କରିଥିଲେ l ଫଳରେ ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କର ଭଉଣୀ କମଳା ସେଠୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶକୁନ୍ତଳା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l

Also Read:- Police Encounter at Jharsuguda: ପୋଲିସ ଗୁଳିରେ ଦୁଇ ଅପରାଧୀ ଆହତ, ଭୁଜାଲି ମାଡ଼ରେ ନେଇଥିଲେ ଜଣଙ୍କ ଜୀବନ

ଗତ ୧୦ ତାରିଖରେ କମଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଖଇରା ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି କମଳାଙ୍କ ପରିବାର ଲୋକ । ନିଜ ଗାଁ ହରିପୁର ଠାରୁ ଦୀର୍ଘ ୧୫ କି.ମି. ରାସ୍ତା ସାଇକେଲରେ କମଳାଙ୍କ ମୃତଦେହ ବାନ୍ଧି ଖଇରା ଥାନା ପର୍ଯ୍ୟନ୍ତ ଆଣିଥିଲେ l

ସାଇକେଲରେ ମୃତଦେହ ବୁହାଇବା ଘଟଣା ବେଶ୍ ହୃଦୟ ବିଦାରକ । ଏଭଳି ଘଟଣା ଦେଖି ଖଇରା ପୋଲିସ ରାସ୍ତାକୁ ଯାଇ ମୃତଦେହ ଆମ୍ବୁଲାନ୍ସରେ ନେବା ପାଇଁ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପରିବାର ଲୋକ ତାଙ୍କ ଜିଦ୍‌ରେ ଅଟଳ ଥିଲେ l ନ୍ୟାୟ ଦାବିରେ ଏହି ପ୍ରତିବାଦ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ।