ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ୨୦୨୬ରେ ଟିମର ଦ୍ଵିତୀୟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଶନିବାର ଠିକ୍ ମୁକାବିଲା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ବାହାରି ଯାଇଛନ୍ତି। ପାଣ୍ଡ୍ୟାଙ୍କ ସ୍ଥାନରେ ଦଳର ଷ୍ଟାର ବ୍ୟାଟର ତଥା ଭାରତକୁ ବିଶ୍ଵକପ୍ ଜିତାଇଥିବା ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳର ଦାୟିତ୍ଵ ସମ୍ଭାଳିଛନ୍ତି। ହାର୍ଦ୍ଦିକ ନିଜର ଫିଟନେସ୍ ସମସ୍ୟା କାରଣରୁ ମ୍ୟାଚରୁ ବାହାରି ଯାଇଛନ୍ତି। ତେଣୁ ମୁମ୍ବାଇର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାକୁ ପଡ଼ିଛି।

ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମୁକାବିଲା ଠିକ୍ ପୂର୍ବରୁ ହାର୍ଦ୍ଦିକ ବାହାରି ଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କୁ ଚକିତ କରିଥିଲା। ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ହାର୍ଦ୍ଦିକଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନାହିଁ। ଏହି କାରଣରୁ ସେ ମ୍ୟାଚ୍ ପାଇଁ ଫିଟ୍ ନାହାନ୍ତି। ଏହି ମ୍ୟାଚରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ତଥା ଅଲରାଉଣ୍ଡର ମିଚେଲ୍ ସାଣ୍ଟନରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

Also Read: ଭୁଲ୍ ରିପିଟ୍, ପଞ୍ଜାବଙ୍କ କ୍ୟାପଟେନ୍ଙ୍କ ଉପରେ ଲାଗିବ ବ୍ୟାନ୍!

ଏହା ବ୍ୟତୀତ ଚୂଡ଼ାନ୍ତ ଏକାଦଶରେ ଦ୍ରୁତ ବୋଲର ଦୀପକ ଚହର ଓ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କର୍ବିନ ବୋଶଙ୍କୁ ସୁଯୋଗ ମିଳିଛି। ଏହି ଦୁଇ ଖେଳାଳିଙ୍କୁ ଟ୍ରେଣ୍ଟ ବୋଲ୍ଡ ଓ ସ୍ପିନର ଆଲ୍ଲା ଗଜନଫରଙ୍କ ସ୍ଥାନରେ ସ୍ଥାନ ମିଳିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଦଳରେ କୌଣସି ପରିବର୍ତ୍ତନ କରି ନାହିଁ। ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍ ଜିତିଥିବା ଚୂଡ଼ାନ୍ତ ଏକାଦଶ ଉପରେ ଦଳ ପ୍ରବନ୍ଧକ ଭରସା କରିଛନ୍ତି। ଏହି ମ୍ୟାଚରେ ଟସ୍ ଜିତି ଦିଲ୍ଲୀ ଅଧିନାୟକ ଅକ୍ଷର ପଟେଲ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇର ଏକାଦଶ

ରୋହିତ ଶର୍ମା, ରିୟାନ ରିକଲଟନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ନମନ ଧୀର, ଶେରଫେନ ରଦରଫୋର୍ଡ, ମିଚେଲ୍ ସାଣ୍ଟନର, କର୍ବିନ ବୋଶ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଯଶପ୍ରୀତ ବୁମରା।

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ

କେଏଲ ରାହୁଲ, ପଥୁନ ନିଶଙ୍କା, ନୀତିଶ ରାଣା, ଅକ୍ଷର ପଟେଲ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ ମିଲର, ବିପରଜ ନିଗମ, ଲୁଙ୍ଗି ଏନଗିଡି, କୁଲଦୀପ ଯାଦବ, ଟି ନଟରାଜନ, ମୁକେଶ କୁମାର।