ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ(ଡିୟୁଏସୟୁ) ନିର୍ବାଚନ ଲାଗି ଗୁରୁବାର ତାରିଖ ଘୋଷଣା ହୋଇଛି। ଏ ନେଇ ଜାରି ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୧୮ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୯ରେ ଫଳାଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ସହିତ ଡିୟୁ ପରିସରରେ ଛାତ୍ର ସଙ୍ଗଠନ ଓ ସମ୍ଭାବିତ ଛାତ୍ରନେତାଙ୍କ ସକ୍ରିୟତା ବଢିବା ଆରମ୍ଭ ହୋଇଯାଇଛି। ଡିୟୁ ପ୍ରଶାସନ ଖୁବ୍ ଶୀଘ୍ର ନୋମିନେସନ, କ୍ୟାମ୍ପେନ, ଭୋଟଗ୍ରହଣ ଓ ଭୋଟ ଗଣନା ସମେତ ନିର୍ବାଚନ ପ୍ରକ୍ରିୟାର ବିସ୍ତୃତ କାର୍ଯ୍ୟକ୍ରମ ଜାରି କରିବେ।

ନିର୍ବାଚନ କାର୍ଯ୍ୟକ୍ରମ ଅନୁସାରେ ସେପ୍ଟେମ୍ବର ୧୮ ତାରିଖରେ ଛାତ୍ର ଭୋଟ ମାଧ୍ୟମରେ ସେମାନଙ୍କ ପ୍ରତିନିଧି ନିର୍ବାଚନ କରିବେ। ଏହାର ପରଦିନ ଅର୍ଥାତ ସେପ୍ଟେମ୍ବର ୧୯ ତାରିଖରେ ଭୋଟ ଗଣନା ପରେ ଫଳାଫଳ ଜାରି କରାଯିବ। ତାରିଖ ଘୋଷଣା ହେବା ପରେ ଛାତ୍ର ସଙ୍ଗଠନଙ୍କ ନିକଟରେ ପ୍ରଚାର ଓ ଛାତ୍ରଙ୍କ ନିକଟକୁ ପହଞ୍ଚିବା ପାଇଁ ଏବେ ମାତ୍ର ଆଉ ୩୫ ଦିନ ସମୟ ଅଛି। ଏଣୁ ଆଗାମୀ ଦିନରେ କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ବାଚନ ଗତିବିଦ୍ଧି ବଢିବ ବୋଲି ଅନୁମାନ କରାଯାଉଛି।

ବିସ୍ତୃତ କାର୍ଯ୍ୟକ୍ରମ ଜାରି ହେବା ପରେ ପ୍ରାର୍ଥୀପତ୍ର ଦାଖଲ ତାରିଖ, ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା, ପ୍ରଚାର ସମୟସୀମା ଓ ଭୋଟଦାନ ସମ୍ପର୍କିତ ନିୟମ ସ୍ପଷ୍ଟ ହୋଇଯିବ। ଏହା ସହିତ ବିଶ୍ୱବିଦ୍ୟାଳୟର ନିର୍ବାଚନ ଆଚରଣ ସଂହିତା ଅନୁସାରେ ଛାତ୍ର ସଙ୍ଗଠନଙ୍କ ପ୍ରଚାର ଓ ଅନ୍ୟ ଗତିବିଦ୍ଧି ନିମନ୍ତେ ଗାଇଡଲାଇନ ଜାରି ହେବ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଛାତ୍ର ସଙ୍ଗଠନ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏବେ ସଙ୍ଗଠନମାନେ ଫ୍ରେସର୍ସଙ୍କୁ ନିଜର ଉପଲବ୍ଧି ଜଣାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।

ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ପ୍ରଥମ ଦିନରୁ ‘ୱେଲକମ ଫ୍ରେସର୍ସ’ ଅଭିଯାନ ହାତକୁ ନିଆଯାଇଛି। ସେହି ପରି କଂଗ୍ରେସ ଛାତ୍ର ସଂଗଠନ ଏନଏସୟୁଆଇ ମଧ୍ୟ ଡିୟୁ ରେ ସକ୍ରିୟ ରୂପେ ନଜର ଆସୁଛି। କଲେଜ ୟୁନିଟ୍ ମାଧ୍ୟମରେ ନୂଆ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ କରାଯାଉଛି। ଖାସ କରି ଦିଲ୍ଲୀ ବାହାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଓ ପିଜି ଖୋଜିବାରେ ସହାୟତା କରାଯାଉଛି। ଏବେ ଛାତ୍ର ସଙ୍ଗଠନମାନେ ଛାତ୍ର ସହାୟତା ଓ ସଙ୍ଗଠନ ଆଧାରିତ ଗତିବିଦ୍ଧି ଉପରେ ଜୋର ଦେଉଛନ୍ତି।

ଏହା ଛଡା ନିର୍ବାଚନ କାଳରେ ପୋଷ୍ଟର, ବ୍ୟାନର ଓ ଅନ୍ୟ ପ୍ରଚାର ସାମଗ୍ରୀ, ବାହନ ବ୍ୟବହାର ଓ ସଭା ସମେତ ବିଭିନ୍ନ ଗତିବିଦ୍ଧିକୁ ନେଇ ବିଶ୍ୱବିଦ୍ୟାଳୟର ଗାଇଡଲାଇନ ଲାଗୁ ରହିବ। ପ୍ରଶାସନ ନିକଟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ସହିତ ପରିସରରେ ଶିକ୍ଷା ଗତିବିଦ୍ଧି ଓ ଯାତାୟାତ ବ୍ୟବସ୍ଥା ସ୍ୱଭାବିକ ରଖିବା ଅହ୍ୱାନପୂର୍ଣ୍ଣ ହେବ ବୋଲି କୁହାଯାଉଛି।