କଟକ: ଓଡ଼ିଶା ବନ୍ଦ ଡାକରା ସତ୍ତ୍ବେ ବୁଧବାର ହେବାକୁ ଥିବା ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ (D.El.Ed) ପରୀକ୍ଷା ସ୍ଥଗିତ ହେବ ନାହିଁ । ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପରୀକ୍ଷା ହେଉଛି। ମୋଟ ୬୪ ଟି କେନ୍ଦ୍ରରେ ୧୨ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦର ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା, ଚଳିତ ମାସ ୩ରୁ ୧୬ ପର୍ଯ୍ୟନ୍ତ ଚାଲିବ। ବୁଧବାର ୮ ଅକ୍ଟୋବରରେ FC-୧ (C/E) ପେପର୍ ପରୀକ୍ଷା ହେବ। ପରୀକ୍ଷା ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ବନ୍ଦ ପାଳନ ଯୋଗୁଁ ପରୀକ୍ଷାର୍ଥୀମାନେ ଯାତାୟାତରେ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସକାଳ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପରାମର୍ଶ ଦେଇଛି ।