ଭୁବନେଶ୍ୱର, ୧୮/୧୦ : ମାସ ଶେଷବେଳକୁ ବାତ୍ୟା ଆସିପାରେ। ବିଭିନ୍ନ ମଡେଲ୍ ଦେଖାଉଛନ୍ତି, ଆସନ୍ତା ୨୯-୩୦ ତାରିଖବେଳକୁ ବାତ୍ୟା ଉପକୂଳ ଛୁଇଁପାରେ। ଶକ୍ତିଶାଳୀ ରୂପରେ ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ମଧ୍ୟ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି।

ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ। ତୀବ୍ରତା, ସମ୍ଭାବ୍ୟ ଗତିପଥ ନେଇ ସ୍ପଷ୍ଟ କହି ହେବନି। ତଥାପି ବିଭିନ୍ନ ମଡେଲର ବାତ୍ୟା ପୂର୍ବାନୁମାନ ଓ ଅକ୍ଟୋବର ସଂଯୋଗ ବଢ଼ାଇଛି ଡର। ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି, ସମୁଦ୍ର ଜଳପତ୍ତନର ତାପମାତ୍ରା ଅଧିକ ରହିଥିବାବେଳେ ଏହା ବାତ୍ୟା ଗଠନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ।

ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଛି, ୨୧ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ। କିନ୍ତୁ, ବିଭିନ୍ନ ଆନ୍ତର୍ଜାତିକ ପାଣିପଗ ମଡେଲର ତାଜା ପୂର୍ବାନୁମାନ ହେଲା, ବଙ୍ଗୋପସାଗରରେ ଚଳିତ ମାସ ଶେଷବେଳକୁ ଏକ ବାତ୍ୟା ଆସିପାରେ। ଆନ୍ତର୍ଜାତିକ ମଡେଲ୍ ଇସିଏମଡବଲୁଏଫ୍ ଅନୁସାରେ ସମ୍ଭାବ୍ୟ ବାତ୍ୟ ଆସନ୍ତା ୨୯-୩୦ ତାରିଖବେଳକୁ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ। ସମ୍ଭବତଃ ପାରାଦୀପ ପାଖାପାଖି ବାୟୁମଣ୍ଡଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ରହିବା ଅନୁମାନ କରାଯାଉଛି। ସମ୍ଭାବ୍ୟ । ସମ୍ଭାବ୍ୟ ଚିତ୍ରରୁ ବାତ୍ୟାର କେନ୍ଦ୍ରସ୍ଥଳରେ ଦର୍ଶାଯାଇଥିବା ବାୟୁମଣ୍ଡଳୀୟ ଚାପରୁ ଏହା ଅତି ଭୀଷଣ ବାତ୍ୟା (ଏକୃଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ରୂପ ନେବା ସମ୍ଭାବନା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ୨୨ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ତ୍ତିବଳୟ ହୋଇପାରେ। ଏହା ଘନୀଭୂତ ହୋଇ ଶକ୍ତିଶାଳୀ ବାତ୍ୟା ରୂପ ନେଇପାରେ। ୩୦ ତାରିଖବେଳକୁ ଏହା ସ୍ଥଳଭାଗରେ ପ୍ରବେଶ କରିପାରେ। ମାତ୍ର ଏହା କେବଳ ପ୍ରାକ୍ ଆକଳନ। ଏବେଠାରୁ ସମ୍ଭାବ୍ୟ ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ସ୍ଥାନ ନେଇ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ । ଜିଏସଏସ ମଡେଲ୍ ବାତ୍ୟା ସମ୍ଭାବନା ଦର୍ଶାଉଥିଲେ ମଧ୍ୟ ଏହାର ଗତିପଥ ବାଂଲାଦେଶକୁ ମୁହାଁଇବା ନେଇ ଆକଳନ କରିଛି। ଜିଏଫଏସର ଏଆଇ ମଡେଲ୍ ଅନୁସାରେ ଏହା ଆନ୍ଧ୍ର ଆଡ଼କୁ ଯାଇପାରେ ୨୮-୨୯ବେଳକୁ।

Also Read :- କୋଲକାତା ଦୁର୍ଗାପୂଜା ମଣ୍ଡପ ଭୁଶୁଡିବା ଘଟଣାରେ ୧୮ ମୃତ୍ୟୁ, ୪୦ ଆହତ

ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି, ୨୪ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ୨୦ ତାରିଖବେଳକୁ ଏ ନେଇ ଅଧିକ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ। ତେବେ ବର୍ତ୍ତମାନ ସ୍ଥିତିରେ ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କିଛି ବି ସ୍ପଷ୍ଟ କରିନାହିଁ। କିଛି ମଡେଲ୍ ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ। ଆଉ କିଛି ଏଆଇ ମଡେଲ୍ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ। ଆଣ୍ଡାମାନରେ ଲଘୁଚାପ ହେଲେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଧିକ ରହିଛି।

ଅନ୍ୟପଟେ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ । ତଥାପି କିଛି କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ରବିବାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁରର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୧୯, ୨୦, ୨୧ ଓ ୨୨ ତାରିଖରେ ବର୍ଷା ସମ୍ଭାବନା ଆହୁରି କମ୍। କେବଳ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ଅସରାଏ ହାଲୁକା ବର୍ଷା ହୋଇପାରେ।