ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଓପନର୍ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଖୁବ ଗର୍ଜିଛି । କିୱି ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଅନ୍ତର୍ଜାତୀୟ କ୍ରିକେଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଭାରତର ବାମହାତୀ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିବା ସହ ଭାରତର ବିଜୟରେ ନାୟକ ହୋଇଛନ୍ତି । ଅଭିଷେକ ଶର୍ମା ମାତ୍ର ୩୫ ବଲରେ ଟି-୨୦ ଇଣ୍ଟରନ୍ୟାସନାଲରେ ନିଜର ଚତୁର୍ଥ ଶତକ ପୂରଣ କରିଛନ୍ତି ।

ଭାରତୀୟ ଟିମ୍ ଆଜିର ମ୍ୟାଚ୍‌ରେ ୧୯୯ର ବିଜୟ ଲକ୍ଷ୍ୟ ପିଛା କରିବା ପାଇଁ ଓହ୍ଲାଇଥିଲା । ପ୍ରଥମ ବଲରୁ ଅଭିଷେକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦ୍ୱିତୀୟ ଇନିଂସର ପ୍ରଥମ ବଲରେ ଛକା ମାରି ସେ ତାଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହାପରେ ଚୌକା ଏବଂ ଛକାର ଝଡ଼ ଲଗାଇଥିଲେ । ଅଭିଷେକ ଏବଂ ବୈଭବ ମିଶି ପ୍ରଥମ ଓଭରରେ ହିଁ ୨୬ ରନ୍ ମାରିଥିଲେ । ଏହାପରେ ଏହି ଯୋଡ଼ି ପାଞ୍ଚ ଓଭରରେ ହିଁ ଟିମ୍ ଇଣ୍ଡିଆ ସ୍କୋର ୧୦୦ରେ ପହଞ୍ଚାଇଥିଲେ ।

 

ଅଭିଷେକ ଶର୍ମା ୧୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ବି ଘରୋଇ ଟିମର ବୋଲରଙ୍କୁ ପ୍ରହାର କରିବା ଜାରି ରଖିଥିଲେ । ଇନିଂସର ଅଷ୍ଟମ ଓଭରରେ ବୈଭବ ଆଉଟ୍ ହେବା ପରେ ଅଭିଷେକ ଟିକିଏ ଧିମେଇ ଯାଇଥିଲେ । ପ୍ରଥମେ ଜଣାପଡ଼ୁଥିଲା ଯେ ସେ ସବୁଠାରୁ କମ ବଲରେ ଶତକ ପୂରଣ କରିବାର ନିଜ ରେକର୍ଡକୁ ଭାଙ୍ଗି ପୁଣି ନୂଆ ରେକର୍ଡ କରିବେ । ଉଲ୍ଲେଖଯୋଗ୍ୟ ଯେ ଅଭିଷେକ ଶର୍ମା କିଛି ମାସ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ୩୦ରେ ଶତକ ମାରିଥିଲେ ।

ଅଭିଷେକ ଆଜିର ମ୍ୟାଚରେ ୩୫ ବଲରେ ଶତକ ପୂରଣ କରିଥିଲେ । ସେ ୩୮ ବଲରୁ ୧୧୩ ରନ୍ କରି ଆଉଟ୍ ହୋଇଥିଲେ । ଆଜିର ଇନିଂସରେ ଅଭିଷେକଙ୍କ ବ୍ୟାଟରୁ ୯ ଚୌକା ଏବଂ ୧୧ ଛକା ବାହାରିଥିଲା । ଇଣ୍ଟରନ୍ୟାସନାଲ୍ ଟି-୨୦ କ୍ରିକେଟରେ ଅଧିକ ଶତକ ହାସଲ କରିବା ତାଲିକାରେ ଅଭିଷେକ ଏବେ ରୋହିତ୍ ଏବଂ ମ୍ୟାକ୍ସୱେଲଙ୍କ (୫ ଶତକ) ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।