ନୂଆଦିଲ୍ଲୀ: ମଙ୍ଗଳବାର ୱେଲିଂଟନରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଆଜି ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ବ୍ୟାଟିଂ କରିଛନ୍ତି। ଦୁଇ ବ୍ୟାଟରଙ୍କର ଏଭଳି ବିସ୍ଫୋରକ ବ୍ୟାଟିଂ ପାଇଁ କ୍ରିକେଟ ଏକ୍ସପର୍ଟମାନଙ୍କର ତାରିଫର ସୁଅ ଛୁଟିଛି। ଏହି ଦୁଇ ଖେଳାଳି ବ୍ୟାଟିଂର ଏମିତି ପରାକାଷ୍ଠା ଦେଖାଇଛନ୍ତି ଯେ ଯାହା ପାଇଁ ଭାରତ ଆଜି ୩ଟି ବିଶ୍ୱ ରେକର୍ଡ କରିଛି।

ଓପନିଂ କରିବାକୁ ଆସିଥିବା ଅଭିଷେକ ଓ ବୈଭବ ଆରମ୍ଭରୁ ହିଁ ଆକ୍ରମଣାତ୍ମ ଶୈଳୀରେ ବ୍ୟାଟିଂ କରିଥିଲେ। ୧୯୯ ରନର ଟାର୍ଗେଟ ପିଛା କରୁଥିବା ଏହି ଯୋଡ଼ି କିୱି ଟିମର କୌଣସି ବୋଲରଙ୍କୁ ଫୁରସତ ଦେଇ ନଥିଲେ। ଯିଏ ବୋଲିଂ କରିବାକୁ ଆସିଲେ ଖାଲି ଛାକ, ଚୌକା ଖାଇ ଫେରିଲେ।

ପଡ଼ିଆରେ ଅଭିଷେକ ଶର୍ମାଙ୍କର ଆଜି ରୌଦ୍ର ରୂପ ଦେଖିବାକୁ ମିଳିଥିଲା। ମାତ୍ର ୧୫ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଅଭିଷେକ। ବୈଭବ ଓ ଅଭିଷେକଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଭାରତୀୟ ଟିମ୍ ୨.୨ ଓଭରରେ ୫୦ ରନ ପୂରଣ କରିଥିଲା। ଯାହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଦଳଗତ ୫୦ ରନର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି।

Also Read- ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର, ଟି-୨୦ ଇଣ୍ଟରନ୍ୟାସନାଲରେ ଅଭିଷେକ ଶର୍ମାଙ୍କ ଚତୁର୍ଥ ଶତକ

ତା’ଠାରୁ ବଡ଼ ରେକର୍ଡ ହେଲା ଭାରତ ଏହି ଫର୍ମାଟରେ ଦ୍ରୁତତମ ଦଳଗତ ୧୦୦ ରନ ସଂଗ୍ରହ କରି ନୂଆ ରେକର୍ଡ କରିଛି। ଏହା ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏତେ କମ୍ ଓଭରରେ କେହି ଏମିତି ଦ୍ରୁତ ଶତକ ହାସଲ କରି ନଥିଲେ। ତେବେ ଟେଷ୍ଟ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟରେ ଭାରତର ୫୦ ରନ୍ ସବୁଠାରୁ ଦ୍ରୁତତମ ଦଳଗତ ୫୦ ରନ୍। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ୨.୪ ଓଭରରେ (ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ) ଓ ଦକ୍ଷିଣ ଆଫ୍ରିକା (ୱେଷ୍ଟଇଣ୍ଡିଜ ବିପକ୍ଷରେ) ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ।

ହେଲେ ଟି-୨୦ ଖେଳୁଥିବା ସମସ୍ତ ଦେଶମାନଙ୍କ ମଧ୍ୟରେ ପୂର୍ବରୁ ପାପୁଆ ନ୍ୟୁଗିନି(ଭନତୁ ବିପକ୍ଷରେ) ଏବଂ ରୋମାନିଆ(ସର୍ବିଆ ବିପକ୍ଷରେ) ଦ୍ରୁତ ଦଳଗତ ୫୦ ରନ୍ ପୂରା କରିସାରିଛନ୍ତି। ଏବେ ଭାରତ ସେମାନଙ୍କ ରେକର୍ଡର ସମକକ୍ଷ ହୋଇଛି। ଆସନ୍ତୁ ଦ୍ରୁତତମ ଅର୍ଦ୍ଧଶତକ ତାଲିକା ଉପରେ ଟିକେ ନଜର ପକାଇବା

ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ପୂରଣ କରିଥିବା ଟିମ୍ (ଓଭର ଅନୁସାରେ)

୨.୨ ଓଭର - ପାପୁଆ ନ୍ୟୁ ଗିନି ବନାମ ଭନତୁ (ପୋର୍ଟ ମୋର୍ସବି, ୨୦୧୯)
୨.୨ ଓଭର - ରୋମାନିଆ ବନାମ ସର୍ବିଆ (ସୋଫିଆ, ୨୦୨୧)
୨.୨ ଓଭର - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ୱେଲିଂଟନ୍, ୨୦୨୬)
୨.୩ ଓଭର - ଫିଲିପାଇନ୍ସ ବନାମ ଇଣ୍ଡୋନେସିଆ (ବାଲି, ୨୦୨୩)
୨.୪ ଓଭର - ନ୍ୟୁଜିଲ୍ୟାଣ୍ଡ ବନାମ ସ୍କଟଲ୍ୟାଣ୍ଡ (ଦ ଓଭାଲ୍, ୨୦୦୯)
୨.୪ ଓଭର - ନ୍ୟୁଜିଲ୍ୟାଣ୍ଡ ବନାମ ଇଂଲଣ୍ଡ (ଅକଲ୍ୟାଣ୍ଡ, ୨୦୧୯)
୨.୪ ଓଭର - ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟ ଇଣ୍ଡିଜ (ସେଞ୍ଚୁରିଅନ୍, ୨୦୨୩)

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ରୁତ ଅର୍ଦ୍ଧଶତକ କରି ବିଶ୍ୱରେକର୍ଡ ସହ ସମକକ୍ଷ ହେବା ପରେ ଭାରତ ଏକ ନୂଆ ବିଶ୍ୱ ରେକର୍ଡ କରିଥିଲା। ଆଜିର ମ୍ୟାଚ୍‌ରେ ଭାରତ ମାତ୍ର ୫ ଓଭର (୩୦ ବଲ୍)ରେ ୧୦୦ ପୂରା କରି ଫର୍ମାଟ୍‌ରେ ଦ୍ରୁତତମ ଶତକ ହାସଲ କରିଥିବା ପ୍ରଥମ ଦେଶ ହୋଇଥିଲା। ଏହା ପୂର୍ବରୁ ଏହି ରେକର୍ଡ ରୋମାନିଆ ନାଁରେ ଥିଲା। ୨୦୨୧ରେ ରୋମାନିଆ ସର୍ବିଆ ବିପକ୍ଷରେ ମାତ୍ର ୩୨ ବଲ୍ (୫.୨ ଓଭର) ୧୦୦ ରନ୍ କରିଥିଲା। ସେହିପରି ଟେଷ୍ଟ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ନାଁରେ ପୂର୍ବରୁ ଏହି ରେକର୍ଡ ଥିଲା। ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୫.୩ ଓଭରରେ ୧୦୦ ରନ୍ ପୂରା କରିଥିଲା।

T20I ରେ ଦ୍ରୁତତମ ଦଳଗତ ଶତକ

୫.୦ ଓଭର - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ୱେଲିଂଟନ୍, ୨୦୨୬)
୫.୨ ଓଭର - ରୋମାନିଆ ବନାମ ସର୍ବିଆ (ସୋଫିଆ, ୨୦୨୧)
୫.୩ ଓଭର - ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟ ଇଣ୍ଡିଜ (ସେଞ୍ଚୁରିଅନ୍, ୨୦୨୩)
୫.୩ ଓଭର - ଅଷ୍ଟ୍ରେଲିଆ ବନାମ ସ୍କଟଲ୍ୟାଣ୍ଡ (ଏଡିନବର୍ଗ, ୨୦୨୪)
୫.୫ ଓଭର - ଜିମ୍ବାୱେ ବନାମ ଗାମ୍ବିଆ (ନାଇରୋବି, ୨୦୨୪)
୫.୫ ଓଭର - ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା (ଓଲ୍ଡ ଟ୍ରାଫର୍ଡ, ୨୦୨୫)

ମଙ୍ଗଳବାର ଆଉ ଏକ ବିଶ୍ୱ ରେକର୍ଡ କରିଛି ଭାରତ। ପାୱାର ପ୍ଲେରେ ସର୍ବାଧିକ ସ୍କୋର କରିଥିବା ପ୍ରଥମ ଟିମ୍ ହୋଇଛି ଭାରତ। ପ୍ରଥମ ୬ ଓଭରରେ ଭାରତ ସ୍କୋର ବୋର୍ଡରେ ୧୧୮ ରନ୍ ଲଗାଇଥିଲା। ଯାହା ପୂର୍ବରୁ କୌଣସି ଦଳ କରିପାରି ନାହାନ୍ତି। ଏହା ପୂର୍ବରୁ ପାୱାର ପ୍ଲେରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ ରୋମାନିଆ ନାଁରେ ଥିଲା। ଦଳ ୨୦୨୧ରେ ସର୍ବିଆ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରଥମ ପାୱାର ପ୍ଲେରେ ୧୧୬ ରନ୍ କରିଥିଲା।

ପୁରୁଷ T20Iରେ ୧-୬ ଓଭର ମଧ୍ୟରେ ସର୍ବାଧିକ ସ୍କୋର କରିଥିବା ଦଳ

୧୧୮/୦ - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, (ୱେଲିଂଟନ୍, ୨୦୨୬)
୧୧୬/୦ - ରୋମାନିଆ ବନାମ ସର୍ବିଆ, ସୋଫିଆ, ୨୦୨୧ (୫.୪ ଓଭର)
୧୧୩/୧ - ଅଷ୍ଟ୍ରେଲିଆ ବନାମ ସ୍କଟଲ୍ୟାଣ୍ଡ, ଏଡିନବର୍ଗ, ୨୦୨୪
୧୦୩/୧ - ଜିମ୍ବାୱେ ବନାମ ଗାମ୍ବିଆ, ନାଇରୋବି (RSC), ୨୦୨୪
୧୦୨/୦ - ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟ ଇଣ୍ଡିଜ୍, ସେଞ୍ଚୁରିଅନ୍, ୨୦୨୩
୧୦୦/୦ - ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଓଲ୍ଡ ଟ୍ରାଫର୍ଡ, ୨୦୨୫
୧୦୦/୦ - ଭାରତ ବନାମ ଆଫଗାନିସ୍ତାନ, ଦିଲ୍ଲୀ, ୨୦୨୬