ଭୁବନେଶ୍ୱର ୨୮।୧୦ : ବାତ୍ୟା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ୍ରେ ରାଜ୍ୟ ସରକାର। ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ଜାରି ରହିଛି ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପାଖାପାଖି ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ୧ ହଜାର ୯୫୫ଟି ମେରାଇନ୍ ଫିସିଂ ବୋଟ୍ ଏବଂ ଚିଲିକାର ୭ ହଜାର ୧୮୮ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ମାଲକାନଗିରି, ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଭଳି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇଛି। ବିଭିନ୍ନ ଜିଲ୍ଲାର ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି ପ୍ରଶାସନ। ଲୋକଙ୍କୁ ସୁରକ୍ଷିତ ରଖିବା ସହ କ୍ଷୟକ୍ଷତିକୁ କମ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ସୁଦ୍ଧା ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନଥିବା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଆସନ୍ତାକାଲିଠାରୁ ବାତ୍ୟାର ପ୍ରଭାବ କମିବା ନେଇ ଆଶା ପ୍ରକାଶ କରାଯାଇଛି।

ସେହିପରି ବାତ୍ୟା ମୁକାବିଲା ପାଇଁ ମୋଟ ୩୧୩ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୬୦ଟି ଓଡ୍ରାଫ୍, ୯ଟି ଏନଡିଆରଏଫ୍ ଏବଂ ୨୪୪ଟି ଅଗ୍ନିଶମ ଓ ଜରୁରୀକାଳୀନ ଟିମ୍ ସାମିଲ ଅଛନ୍ତି। ସେହିପରି ଲୋକଙ୍କୁ ଆଶ୍ରୟ ଦେବା ପାଇଁ ୨୦୩୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ଏଥିରେ ୧୪୧ଟି ସ୍ଥାୟୀ ଓ ୧୯୨୬ଟି ଅସ୍ଥାୟୀ ଆଶ୍ରୟସ୍ଥଳ ରହିଛି। ଆଶ୍ରୟସ୍ଥଳଗୁଡ଼ିକରେ ଆବଶ୍ୟକ ରିଲିଫ୍ ସାମଗ୍ରୀ, ପାନୀୟ ଜଳ ଓ ଜରୁରୀ ଚିକିତ୍ସା ସେବା ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଉଛି।

Also Read:-ଲ୍ୟାଣ୍ଡଫଲ୍ ବେଳେ ୧୫୦ କିମିର ପବନ ଝଟକା : ଆଜି ଓଡ଼ିଶାକୁ ବଡ଼ ବିପଦ, ଏହି ସବୁ ଜିଲ୍ଲା ସାବଧାନ !

ଅନ୍ୟପଟେ, ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ପୂର୍ବ ସୂଚନା ଅନୁସାରେ, ୪୦୭୨ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୮୯୮ ଜଣଙ୍କୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଜରୁରୀ ଔଷଧ, ଚିକିତ୍ସା ଉପକରଣ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରଖାଯାଇଛି। ମାଲକାନଗିରି, ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟାଜନିତ ପାଣିପାଗର ପ୍ରଭାବ ଅନୁଭୂତ ହେଉଛି। ପାଣିପାଗ ବିଭାଗର ପୂର୍ବ ସତର୍କତା ଅନୁସାରେ, କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଥିଲା। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ନଦୀ, ନାଳ ଓ ଜଳଭଣ୍ଡାରର ଜଳସ୍ତର ଉପରେ ନଜର ରଖାଯାଉଛି।

ବାତ୍ୟା ପରେ ରାସ୍ତାରୁ ଗଛ ହଟାଇବା, ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ ଏବଂ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରଖାଯାଇଛି। ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗ ରଖି ସ୍ଥିତିର ସମୀକ୍ଷା କରାଯାଉଛି। ଏବେ ସୁଦ୍ଧା ବଡ଼ ଧରଣର କ୍ଷୟକ୍ଷତିର ରିପୋର୍ଟ ମିଳିନଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତାକାଲିଠାରୁ ବାତ୍ୟାର ପ୍ରଭାବ କମିବା ନେଇ ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ।

Watch Video:-