ଭୁବନେଶ୍ୱର ୨୮।୧୦ : ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଅର୍ଣ୍ଣବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ୨ଟାରୁ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା, ଏବେ ଏହି ପ୍ରକ୍ରିୟା ଶେଷ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ମାଲକାନଗିରି ଜିଲ୍ଲାରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିପାରେ । ଯାହାଫଳରେ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

Also Read:-କୋରାପୁଟରେ ତୁହାକୁ ତୁହା ବର୍ଷା, ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ସେହିପରି ଏବେ ଗଞ୍ଜାମ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି। ଗଜପତି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ମୋହନା ବ୍ଲକରେ ୧୮୨ ମିଲିମିଟର, ପାରଳାଖେମୁଣ୍ଡିରେ ୧୪୦ ମିଲିମିଟର ଏବଂ ଗଞ୍ଜାମ ବ୍ଲକରେ ୧୬୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ହାରାହାରି ୨୩ ମିଲିମିଟର ବର୍ଷା ହୋଇଛି।  ମାଲକାନଗିରିରେ ପହଞ୍ଚିବା ପରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। 

ଏପର୍ଯ୍ୟନ୍ତ ୮ଟି ଜିଲ୍ଲାରୁ ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷାର ସ୍ଥିତି ଓ ପରିମାଣକୁ ଦେଖି ଆବଶ୍ୟକ ସ୍ଥଳେ ଅଧିକ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ଏହାସହ ୨୨୦୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ତ୍ତମାନ ୩୨୪ଟି ଆଶ୍ରୟସ୍ଥଳୀରେ ଲୋକମାନେ ରହୁଛନ୍ତି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବାତ୍ୟାର ପ୍ରଭାବ ଓ ବର୍ଷାର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।

Watch Video:-