କନ୍ଧମାଳ: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅକଭାନ୍’। ସମ୍ଭାବ୍ୟ ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲାରେ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବିଶେଷକରି ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି।

ଜିଲ୍ଲାରେ ୧୪୨ଟି ଭୂସ୍ଖଳନ ସମ୍ଭାବିତ ସ୍ଥାନ ଚିହ୍ନଟ କରାଯାଇଛି। ବିପଦ ଆଶଙ୍କା ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ୧୦ ହଜାରରୁ ଅଧିକ ଲୋକଙ୍କୁ ରଖିବା ପାଇଁ ଯୋଜନା ରହିଛି। ଇତିମଧ୍ୟରେ ୨୪୮୫ରୁ ଅଧିକ ଲୋକଙ୍କ ସହ ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀ ଓ ମା’ ଗୃହରେ ରଖାଯାଇଛି।

Also Read: ସାମୁଦ୍ରିକ ବାତ୍ୟା ‘ଅକଭାନ୍’ ପାଇଁ ଆଲର୍ଟ, ଚିଲିକାରେ ଫେରି ସେବା ଉପରେ ଲାଗିଲା କଟକଣା

ଜରୁରୀକାଳୀନ ପରିସ୍ଥିତିରେ ଯେପରି ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇପାରିବ, ସେଥିପାଇଁ ଜିଲ୍ଲାରେ ୧୩ଟି ଅଗ୍ନିଶମ ବାହିନୀ, ୩ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯାଇଛି। ଦାରିଙ୍ଗବାଡ଼ି, ରାଇକିଆ ଓ ଟିକାବାଲିରେ ଓଡ୍ରାଫ୍ ଟିମ୍ ରହିଥିବା ବେଳେ ଜି. ଉଦୟଗିରିରେ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯାଇଛି।

ସେହିପରି ଜରୁରୀକାଳୀନ ସ୍ଥିତିରେ ଆକାଶମାର୍ଗରୁ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାର ୭୩ଟି ସ୍ଥାନକୁ ସମ୍ଭାବ୍ୟ ହେଲିପ୍ୟାଡ୍ ଭାବେ ଚିହ୍ନଟ କରାଯାଇଛି। ଅନ୍ୟପଟେ ବାତ୍ୟା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟି ଓ ଗାଜଲବାଡ଼ି ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

Also Read: ବାତ୍ୟା ପାଇଁ ଜରୁରୀ ନିଷ୍ପତ୍ତି, ୧୮ରୁ ୨୨ ଯାଏଁ ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଡ୍ୟୁଟି ନିର୍ଦ୍ଦେଶ

ଜିଲ୍ଲାପାଳ ବେଦ ଭୂଷଣ କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ସହ ଜରୁରୀକାଳୀନ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ବାତ୍ୟାର ପ୍ରଭାବକୁ ନେଇ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଥିବା ବେଳେ ଲୋକଙ୍କୁ ସତର୍କ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।