ନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ଭିଡିଓକନ ଲୋନ ମାମଲାରେ ବମ୍ବେ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ଵସ୍ତି। ଅଦାଲତ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ୨୦୨୩ ମେ ୧୫ରେ ଦିଆଯାଇଥିବା ମଞ୍ଜୁରୀକୁ ଅବୈଧ୍ୟ ଦର୍ଶାଇ ରଦ୍ଦ କରିଛନ୍ତି। ବୁଧବାର ଜଷ୍ଟିସ ମିଲିନ୍ଦ ଯାଧବଙ୍କ ଜଣିକିଆ ପୀଠ ମାମଲାର ଶୁଣାଣି କରି କହିଛନ୍ତି, ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେଇଥିବା ଅଧିକାରୀ ନିଜ ବିବେକକୁ ସଠିକ ଭାବେ ବ୍ୟବହାର କରି ନାହାନ୍ତି। ଉପଲବ୍ଧ ଦସ୍ତାବିଜ ଓ ତଥ୍ୟ ଉପରେ ଉଚିତ୍ ବିଚାର ମଧ୍ୟ କରି ନାହାନ୍ତି।

ଚନ୍ଦା କୋଚର ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ମିଳିଥିବା ମଞ୍ଜୁରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ICICI ବ୍ୟାଙ୍କ ତାଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ ଦେବା ସମୟରେ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟାର ପାଳନ କରି ନାହିଁ। ଏହି ମାମଲାରେ ସିବିଆଇ ୨୦୨୨ ଡିସେମ୍ବରରେ ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ଗିରଫ କରିଥିଲା। ହେଲେ ୨୦୨୩ ଜାନୁଆରୀରେ ଦୁହିଁଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା।

Also Read: ଭାରତରେ ଆପଲର ରାଜୁତି ଶେଷ: ନମ୍ବର-୧ ହେଲା ସାମସଙ୍ଗ, ଭିଭୋ ମାର୍କେଟ ଡାଉନ

କ'ଣ କହିଲେ ହାଇକୋର୍ଟ

ହାଇକୋର୍ଟ କହିଛନ୍ତି, ରେକର୍ଡରେ ଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ୨୦୨୩ ମେ’ ୧୫ ତାରିଖରେ ଜାରି ହୋଇଥିବା ବିବାଦୀୟ ମଞ୍ଜୁରୀ ଆଦେଶ ବେଆଇନ। ଏହାକୁ ରଦ୍ଦ କରାଯିବା ଉଚିତ। କାରଣ, ଯେଉଁ କର୍ତ୍ତୃପକ୍ଷ ଏହି ମଞ୍ଜୁରୀ ଦେଇଥିଲେ, ସେ ଏଥିପାଇଁ ଆଇନଗତ ଭାବେ କ୍ଷମତାପ୍ରାପ୍ତ ନଥିଲେ। ଏଥିସହ ମଞ୍ଜୁରୀ ଦେବା ପୂର୍ବରୁ ଉପସ୍ଥାପିତ ତଥ୍ୟ ଓ ଦସ୍ତାବିଜ୍ଗୁଡ଼ିକୁ ଠିକ୍ ଭାବେ ଅନୁଧ୍ୟାନ ମଧ୍ୟ କରାଯାଇନଥିଲା। ଏପରିକି ଆବଶ୍ୟକୀୟ ତଥ୍ୟର ଅଭାବ ଥିବା ସତ୍ତ୍ଵେ ମଞ୍ଜୁରୀ ଦିଆଯାଇଥିଲା। ଏହି ମଞ୍ଜୁରୀ ଆଦେଶ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତେଣୁ ଏହା ଆଇନଗତ ଭାବେ ଅବୈଧ ଏବଂ ଶୂନ୍ୟ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଭିଡିଓକନ ମାମଲା କଣ ?

ଏହି ପୂରା ମାମଲା ୨୦୧୨ରେ ICICI ବ୍ୟାଙ୍କ ତରଫରୁ ଭିଡିଓକନ ଗ୍ରୁପକୁ ଦିଆଯାଇଥିବା ୩ ହଜାର ୨୫୦ କୋଟି ଲୋନ ସହ ସଡ଼ିତ। ସେହି ସମୟରେ ଚନ୍ଦା କୋଚ୍ ବ୍ୟାଙ୍କର ଥିଲେ ସିଇଓ। ସିବିଆଇ ଅଭିଯୋଗ କରିଥିଲା ଯେ, ଋଣ ପ୍ରଦାନରେ ଅନିୟମିତତା ହୋଇଛି। ଲୋନ ମଞ୍ଜୁରୀ ଦେବା ବଦଳରେ କୋଚର ଦମ୍ପତ୍ତିକୁ ଭିଡିଓକନ ତରଫରୁ ବ୍ୟକ୍ତିଗତ ଭାବେ ଲାଭ ମିଳିଥାନ୍ତା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, ଲୋନ ମଞ୍ଜୁରୀ ବଦଳରେ ଭିଡିଓକନ ଗ୍ରୁପ ଚନ୍ଦା କୋଚରଙ୍କ ସ୍ଵାମୀଙ୍କ କମ୍ପାନି ନ୍ୟୁ ରିନ୍ୟୁଏବଲରେ ନିବେଶ କରିଥିଲା। ପରବର୍ତ୍ତୀ ସମୟରେ ଏହି ଲୋନ ଏନପିଏ ହୋଇ ଯାଇଥିଲା।

Also Read: ଗତ ୫ ଦିନରେ ୮ ହଜାର ଟଙ୍କା ଶସ୍ତା ହେଲାଣି ସୁନା: ରୁପା କମିଛି ୧୬ ହଜାର ଟଙ୍କାରୁ ଅଧିକ

ପ୍ରିଭେନସନ ଅଫ କରପ୍ସନ ଆକ୍ଟ ଆଧାରରେ ବ୍ୟାଙ୍କ କର୍ମଚାରୀଙ୍କୁ କିଛି ମାମଲାରେ ଲୋକ ସେବକ ବିବେଚନା କରାଯାଏ। ଏମିତିରେ ସେମାନଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ସକ୍ଷମ ଅଧିକାରୀଙ୍କ ମଞ୍ଜୁରୀର ଆବଶ୍ୟକତା ପଡ଼ିଥାଏ। ହେଲେ ବମ୍ବେ ହାଇକୋର୍ଟ ଏହି ମଞ୍ଜୁରୀକୁ ଅବୈଧ୍ୟ ଦର୍ଶାଇଛନ୍ତି। କିନ୍ତୁ କୋର୍ଟଙ୍କ ଏହି ନିଷ୍ପତ୍ତିରେ ଚନ୍ଦା କୋଚର ଦମ୍ପତି ପୂରା ମାମଲାରେ ଦୋଷମୁକ୍ତ ହୋଇ ନାହାନ୍ତି। ଅଦାଲତ କେବଳ ଅଭିଯୋଗକାରୀ ପକ୍ଷଙ୍କ ମଞ୍ଜୁରୀକୁ ରଦ୍ଦ କରିଛନ୍ତି, ସମସ୍ତ ଅଭିଯୋଗରେ ନିର୍ଦ୍ଦୋଷ ଘୋଷିତ କରି ନାହାନ୍ତି।