ମୁମ୍ବାଇ: ଭାରତୀୟ ଏଭିଏସନ କ୍ଷେତ୍ରରେ ଟାଟା ଗ୍ରୁପ ଏୟାଲାଇନ୍ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ନେତୃତ୍ୱରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। କମ୍ପାନୀର ଚିଫ୍ ଫାଇନାନ୍ସିଆଲ ଅଫିସର (ସିଏଫଓ) ଦୀପକ ରଜାୱତଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ କରାଯାଇଛି। ସେ ୧ ଡିସେମ୍ବର ୨୦୨୬ରୁ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କର ନିଯୁକ୍ତି ଏପରି ସମୟରେ ହୋଇଛି ଯେତେବେଳେ ଏୟାରଲାଇନ ନିଜ ନେଟୱାର୍କ ଓ ସଞ୍ଚାଳନ ସମ୍ପ୍ରସାରଣ କରିବା ଦିଗରେ ଅଗକୁ ବଢୁଛି।

ଏଭିଏସନ ଓ ଆର୍ଥିକ ପ୍ରବନ୍ଧନ କ୍ଷେତ୍ରରେ ଦୀପକ ରଜାୱତଙ୍କ ୨ ଦଶନ୍ଧୀରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ଏୟାରଲାଇନର ଆର୍ଥିକ ବ୍ୟାପାର ସମେତ କମର୍ସିଆଲ ଅପରେସନସ୍ ଓ ରଣନୈତିକ ଯୋଜନା ସହିତ ମଧ୍ୟ ଜଡିତ। ଏଣୁ ତାଙ୍କ ନିଯୁକ୍ତିକୁ କମ୍ପାନୀ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ପରିବର୍ତ୍ତନ ମନେ କରାଯାଉଛି। ଦୀପକ ରଜାୱତ ମୁମ୍ବାଇ ୟୁନିଭର୍ସିଟିରୁ ସ୍ନାତକ ଉତୀର୍ଣ୍ଣ ହୋଇଛନ୍ତି। ଏହା ପରେ ସେ ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଇଣ୍ଡିଆ(ଆଇସିଏଆଇ)ରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଯୋଗ୍ୟତା ହାସଲ କରିଥିଲେ। ପରେ ସେ ଆର୍ଥିକ କ୍ଷେତ୍ରରେ ତାଙ୍କ କ୍ୟାରିୟର ସନ୍ଧାନ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡେଲୋଏଟ୍ ଓ କେପିଏମଜି ଭଳି ସଂସ୍ଥାରେ କାମ କରିଥିଲେ। ଏହା ପରେ ସେ ଟାଟା ଗ୍ରୁପ ସହ ଯୋଡି ହୋଇଥିଲେ। କର୍ପୋରେଟ ଫାଇନାନ୍ସ ଓ ବିଜନେସ୍ ପ୍ଲାନିଂ କ୍ଷେତ୍ରରେ ଦାୟିତ୍ୱ ତୁଲାଇଥିଲେ।

ଏଭିଏସନ କ୍ଷେତ୍ର ସହ ଦୀପକ ରଜାୱତଙ୍କ ସମ୍ପୃକ୍ତି ଭିସ୍ତାରା ଏୟାରଲାଇନ୍ସରୁ ହୋଇଥିଲା। ସେ ଏୟାରଲାଇନ୍ସ ଆରମ୍ଭ ସମୟରୁ ଏଥିରେ ଜଡିତ ଥିଲେ ଓ କର୍ପୋରେଟ ପ୍ଲାନିଂ, ଫାଇନାନ୍ସ ଓ ଏୟାରକ୍ରାଫ୍ଟ ସମ୍ପର୍କିତ ବ୍ୟାପାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସମୟ ସହିତ ଏୟାରଲାଇନ୍ସରେ ତାଙ୍କର ଦାୟିତ୍ୱ ମଧ୍ୟ ବଢିବଢି ଚାଲିଥିଲା ଓ ସେ ଭିସ୍ତାରାର ଚିଫ୍ କମର୍ସିଆଲ ଅଫିସର ହୋଇଥିଲେ। ଏହି ପଦବୀରେ ଅବସ୍ଥାପିତ ଥିବା ବେଳେ ତାଙ୍କ କାମ କେବଳ ବିତ୍ତିୟ ପ୍ରବନ୍ଧନରେ ସୀମିତ ନଥିଲା । ସେ ରେଭିନ୍ୟୁ ମ୍ୟାନେଜମେଣ୍ଟ, ନେଟୱାର୍କ ପ୍ଲାନିଂ, ସେଲସ୍ ଓ ଡିଷ୍ଟ୍ରିବ୍ୟୁସନ, ପାର୍ଟନରସିପ୍, ମାର୍କେଟିଂ, ବ୍ରାଣ୍ଡିଂ ଓ ଗ୍ରାହକ ଅନୁଭବ ଭଳି କ୍ଷେତ୍ର ସହ ମଧ୍ୟ ଜଡିତ ହୋଇଥିଲେ।

ନଭେମ୍ବର ୨୦୨୪ରେ ଏୟାର ଇଣ୍ଡିଆ ଓ ଭିସ୍ତାରା ମର୍ଜର ପୂର୍ବରୁ ଟାଟା ଗ୍ରୁପ ତାଙ୍କ ଏୟାରାଲଇନ ବିଜନେସ୍ ର ଶୀର୍ଷ ପ୍ରବନ୍ଧନରେ ପରିବର୍ତ୍ତନ କରିଥିଲେ। ଏହି ସମୟରେ ଦୀପକ ରଜାୱତଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ସିଏଫଓ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ ଭିସ୍ତାରର ସିଏଫଓ ପଦବୀରେ ଅବସ୍ଥାପିତ ଥିଲେ। ରଜାୱତଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗ୍ରୁପ ସିଏଫଓ ପଦବୀ ସହିତ ଷ୍ଟ୍ରାଟେଜିକ୍ ଇନିସିଏଟିଭ ଓ ପ୍ରକଳ୍ପରେ ସହଯୋଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏବେ ପାଖାପାଖି ୨ ବର୍ଷ ପରେ ତାଙ୍କୁ ସେହି ଏୟାରଲାଇନର ଟପ୍ ଏଗଜ୍ୟୁକୁଟିଭ ଦାୟିତ୍ୱ ପ୍ରଦାନ କରାଯାଇଛି।