ବ୍ରହ୍ମଗିରି : ସାମୁଦ୍ରିକ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଆଲର୍ଟରେ ପ୍ରଶାସନ। ଚିଲିକାରେ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ସାତପଡ଼ା-ଜହ୍ନିକୁଦା ଜଳପଥରେ ଫେରି ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ନଭେମ୍ବର ୧୮ତାରିଖ ଅପରାହ୍ନ ୩ଟା ୩୦ରୁ ନଭେମ୍ବର ୨୧ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଫେରି ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ୧୮ ନଭେମ୍ବରର ସ୍ୱତନ୍ତ୍ର ପାଣିପାଗ ବୁଲେଟିନ୍ ଅନୁଯାୟୀ, ଘୂର୍ଣ୍ଣିଝଡ଼ ‘ଅକ୍ଭାନ’ ପ୍ରଭାବରେ ପୁରୀ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଓ ୟେଲୋ ଚେତାବନୀ ଜାରି ହୋଇଛି । ପୂର୍ବରୁ ଜିଲ୍ଲାପାଳଙ୍କ ୧୭ ନଭେମ୍ବରର ନିର୍ଦ୍ଦେଶ ଅନୁସାରେ ୧୯ ଓ ୨୦ ତାରିଖରେ ଫେରି ସେବା ବନ୍ଦ ରଖିବାକୁ କୁହାଯାଇଥିଲା । ତେବେ ପାଣିପାଗର ପରିବର୍ତ୍ତିତ ସ୍ଥିତି, ପବନର ବେଗ ବୃଦ୍ଧି ଓ ଚିଲିକାରେ ଉଚ୍ଚ ଜଳତରଙ୍ଗ ଆଶଙ୍କାକୁ ଦୃଷ୍ଟିରେ ରଖି ସିଡିଏ ପକ୍ଷରୁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଫେରି ଚାଳକ ଓ କର୍ମଚାରୀଙ୍କୁ ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜିଲ୍ଲା ପ୍ରଶାସନ, ପୁଲିସ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳପଥ ପରିବହନ ବିଭାଗର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ, ନଭେମ୍ବର ୨୧ ତାରିଖ ସକାଳ ୮ଟା ୩୦ ପରେ ଆପେ ଆପେ ଫେରି ସେବା ଆରମ୍ଭ ହେବ ନାହିଁ। ପାଣିପାଗ, ଜଳସ୍ଥିତି ଓ ନୌଚଳାଚଳ ପରିସ୍ଥିତିର ସମୀକ୍ଷା ପରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଲେ ହିଁ ଡଙ୍ଗା ଚଳାଚଳ ସ୍ୱାଭାବିକ ହେବ।

ସୂଚନାନୁସାରେ, ବଦଳିଛି ବାତ୍ୟାର ଗତିପଥ। ଓଡ଼ିଶା ମୁହାଁ ହୋଇ ଗତି କରୁଛି ବାତ୍ୟା। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ଡିଜି। ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆସନ୍ତା ୨୦ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ଥିବାବେଳେ କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଏହାର ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଆଉ ଅଧିକ ତୀବ୍ର ହେବାର ସମ୍ଭାବନା ନାହିଁ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିପାରେ। ବିଶେଷକରି ନଭେମ୍ବର ୧୯ ଓ ୨୦ ତାରିଖରେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ସବୁଠାରୁ ଅଧିକ ରହିପାରେ। ନଭେମ୍ବର ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ହେବାର ଆଶଙ୍କା ରହିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଇଛି।

 Also Read- ବାତ୍ୟା ପାଇଁ ଜରୁରୀ ନିଷ୍ପତ୍ତି, ୧୮ରୁ ୨୨ ଯାଏଁ ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଡ୍ୟୁଟି ନିର୍ଦ୍ଦେଶ