ନୂଆଦିଲ୍ଲୀ: ତିନିଥର ଆଇପିଏଲ ଚାମ୍ପିଅନ୍ ଦଳ କୋଲକାତା ନାଇଟ୍ ରାଇଡର୍ସର ମାଲିକାନାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଫ୍ରାଞ୍ଚାଇଜର ସହ-ମାଲିକ ଏବଂ ଅଭିନେତ୍ରୀ ଜୁହି ଚାୱଲାଙ୍କ ସ୍ୱାମୀ ଜୟ ମେହେଟ୍ଟା ଦଳରେ ତାଙ୍କ ଅଂଶଧନର ଅଧା ବିକ୍ରି କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଜୟ ମେହେଟ୍ଟା ତାଙ୍କର ୪୫ ପ୍ରତିଶତ ଅଂଶଧନର ୨୨.୫ ପ୍ରତିଶତ ଆମେରିକୀୟ ନିବେଶ ପରିଚାଳନା କମ୍ପାନି ଆରେସ୍ ମ୍ୟାନେଜମେଣ୍ଟକୁ ବିକ୍ରି କରିବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇଙ୍ଗଲିସ୍ ପ୍ରିମିୟର ଲିଗ୍ କ୍ଲବ୍ ଚେଲ୍ସି ଏଫସି ଏବଂ ଏନଏଫଏଲ୍ ଦଳ ମିଆମି ଡଲଫିନ୍ସର ମାଲିକାନା ଏହି କମ୍ପାନି ପାଖରେ ରହିଛି ।

କେକେଆର୍‌ର ଭାଲ୍ୟୁଏସନ୍ ୧୬,୬୩୪ କୋଟି ଟଙ୍କା !

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଜୟ ମେହେଟ୍ଟା ଏବଂ ଆରେସ୍ ମ୍ୟାନେଜମେଣ୍ଟ ମଧ୍ୟରେ ହୋଇଥିବା ଚୁକ୍ତି ପ୍ରାୟ ୩,୭୩୦ କୋଟି ଟଙ୍କାରେ ହେବ ବୋଲି ଆଶା କରାଯାଉଛି । ଏହି ଚୁକ୍ତି ଅନୁଯାୟୀ କୋଲକାତା ନାଇଟ୍ ରାଇଡର୍ସର ମୋଟ ମୂଲ୍ୟ ୧.୭୮ ବିଲିୟନ ଡଲାର (୧୬, ୬୩୪ କୋଟି ଟଙ୍କା) ହୋଇଛି । ଏହି ମୂଲ୍ୟ ଅନ୍ୟ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସହିତ ସମାନ । ରାଜସ୍ଥାନ ରୟାଲ୍ସ ୧୫,୬୬୦ କୋଟି ଟଙ୍କା ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬,୬୬୦ କୋଟି ଟଙ୍କା ରହିଛି ।

ଶାହାରୁଖ ଖାନଙ୍କ ପାଖରେ ୫୫% ଅଂଶଧନ, ବିସିସିଆଇ ପାଇବ ୨୦୦ କୋଟି ଟଙ୍କା 

ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ କେକେଆରରେ ୫୫ ପ୍ରତିଶତର ଅଂଶଧନ ଅଛି, ଯାହାକୁ ସେ ନିଜ ପାଖରେ ରଖିବେ । ୨୦୦୭ ମସିହାରେ ଶାହରୁଖ ଖାନ, ଜୁହି ଚାୱଲା ଏବଂ ଜୟ ମେହେଟ୍ଟା କୋଲକାତା ନାଇଟ୍ ରାଇଡର୍ସ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଫ୍ରାଞ୍ଚାଇଜ୍ କିଣିଥିଲେ ।

ଏହା ଜୟ ମେହେଟ୍ଟା ଏବଂ ଆରେସ୍ ମ୍ୟାନେଜମେଣ୍ଟ ମଧ୍ୟରେ ଏକ ସମ୍ପୂର୍ଣ୍ଣ ନଗଦ ଚୁକ୍ତି ହେବ ବୋଲି ରିପୋର୍ଟ କରାଯାଇଛି । ତେବେ ଏହି ଆଲୋଚନା ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ଅଛି । ଏହି ଚୁକ୍ତି ପାଇଁ ବିସିସିଆଇ ଠାରୁ ଆନୁଷ୍ଠାନିକ ଅନୁମୋଦନ ଆବଶ୍ୟକ ହେବ । ବିସିସିଆଇ ନୂତନ ମାଲିକଙ୍କୁ ନେଇ ସମ୍ପୂର୍ଣ୍ଣ ତଦନ୍ତ କରିବ । ନିୟମ ଅନୁଯାୟୀ, ବିସିସିଆଇ କାରବାର ମୂଲ୍ୟର ୫ ପ୍ରତିଶତ ପାଇବ । ଏହି ଡିଲ୍ ଚୂଡ଼ାନ୍ତ ହେଲେ ବୋର୍ଡକୁ ପ୍ରାୟ ୨୦୦ କୋଟି ମିଳିବ ।

୨୦୨୨ ମସିହାରେ ସିଭିସି କ୍ୟାପିଟାଲ୍ ଗୁଜରାଟ ଟାଇଟାନ୍ସକୁ ଅଧିଗ୍ରହଣ କରିବା ପରଠାରୁ ଆଇପିଏଲ୍ ପ୍ରତି ଆମେରିକୀୟ କମ୍ପାନିଗୁଡ଼ିକର ଆଗ୍ରହ ବୃଦ୍ଧି ପାଇଛି । ଆରସିବିରେ ବ୍ଲାକଷ୍ଟୋନ୍ ଏବଂ ବୋଲ୍ଟ ଭେଞ୍ଚର୍ସ ଭଳି ଆମେରିକୀୟ କମ୍ପାନି ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍ ଏବଂ ଟାଇମ୍ସ ଗ୍ରୁପର ନିବେଶକ ମଧ୍ୟ ଅଛନ୍ତି । ତେବେ ଆରେସ୍ ମ୍ୟାନେଜମେଣ୍ଟ କ୍ରିକେଟ୍ ପାଇଁ ନୂଆ ନାଁ ନୁହେଁ । କେନ୍ ଇଣ୍ଟରନ୍ୟାସନାଲ୍ ସହିତ ଦି ହଣ୍ଡରେଡର ନଟିଂହାମ୍-ଭିତ୍ତିକ ଫ୍ରାଞ୍ଚାଇଜ୍, ଟ୍ରେଣ୍ଟ ରକେଟ୍ସର ସହ-ମାଲିକ ।