କଟକ: ରବିବାରଠାରୁ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ଓଡ଼ିଶା ଟି-୨୦ ଲିଗ୍ ୨୦୨୬ ରେ ଟାଇଟଲ୍ ବଜାୟ ରଖିବା ପାଇଁ ପ୍ରସ୍ତୁତ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ 'କଟକ ପାନ୍ଥର୍ସ' ଦଳ ଓଡ଼ିଶାର ଦୁଇ ପ୍ରମୁଖ ତଥା ଅତ୍ୟନ୍ତ ଅଭିଜ୍ଞ କୋଚ୍‌ଙ୍କ ମାର୍ଗଦର୍ଶନରେ ନିଜକୁ ଆହୁରି ଶକ୍ତିଶାଳୀ କରିଛି। ପ୍ରସିଦ୍ଧ ମସଲା ପ୍ରତିଷ୍ଠାନ 'ଭାରତ ମସଲା' (ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍) ମାଲିକାନାରେ ଥିବା କଟକ ପାନ୍ଥର୍ସ ଦଳ ସହିତ ମୁଖ୍ୟ କୋଚ୍ ଭାବେ ପ୍ରଭଞ୍ଜନ ମଲ୍ଲିକ ଏବଂ ସହକାରୀ କୋଚ୍ ଭାବେ ଦୀପକ ମଙ୍ଗରାଜ କାର୍ଯ୍ୟ କରୁଛନ୍ତି। ଉଭୟ ଦିଗ୍ଗଜ ପ୍ରଶିକ୍ଷକ ଦଳ ସହିତ ଲଗାତାର ରହି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବର୍ତ୍ତମାନ ପ୍ରଭଞ୍ଜନ ମଲ୍ଲିକ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଦୀପକ ମଙ୍ଗରାଜ ଓଡ଼ିଶା ସିନିୟର ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶା କ୍ରିକେଟ୍ ପ୍ରଶାସନର ଦୁଇ ଶୀର୍ଷ ପ୍ରଶିକ୍ଷକ ଏକାଠି କଟକ ପାନ୍ଥର୍ସ ଡଗ୍ଆଉଟ୍ରେ ଉପସ୍ଥିତ ରହି ଖେଳାଳିଙ୍କୁ ଦିଗ୍‌ଦର୍ଶନ ଦେବା ଫଳରେ ଦଳ ମଧ୍ୟରେ ଅଦ୍ଭୁତପୂର୍ବ ଆତ୍ମବିଶ୍ୱାସ ଓ ବୃତ୍ତିଗତ ଦକ୍ଷତା ପ୍ରକାଶ ପାଇଛି।

ଦୁଇ ପ୍ରଶିକ୍ଷକଙ୍କ ଉପସ୍ଥିତି ସମ୍ପର୍କରେ ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍ (ଭାରତ ମସଲା)ର ପରିଚାଳନା ନିର୍ଦ୍ଦେଶକ ତଥା କଟକ ପାନ୍ଥର୍ସର ମାଲିକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି, “ପ୍ରଭଞ୍ଜନ ମଲ୍ଲିକ ଓ ଦୀପକ ମଙ୍ଗରାଜଙ୍କ ଭଳି ଦିଗ୍ଗଜ କ୍ରିକେଟର ଆମ କଟକ ପାନ୍ଥର୍ସ ଦଳ ସହ ରହି ଖେଳାଳିମାନଙ୍କୁ ପ୍ରସ୍ତୁତ କରୁଥିବା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଉଭୟ ବର୍ତ୍ତମାନ ଓଡ଼ିଶାର ସିନିୟର ପୁରୁଷ ଓ ମହିଳା ଦଳର ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ସେମାନଙ୍କର ଉପଯୁକ୍ତ ମାର୍ଗଦର୍ଶନ ଓ ପ୍ରଶିକ୍ଷଣ ଯୋଗୁଁ ଆମ ପିଲାମାନେ ପଡ଼ିଆରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ଏବଂ କଟକର ଗୌରବକୁ ବଜାୟ ରଖିବେ।”

Also Read: ନି ଷ୍ଟ୍ରାଇକର ସଚିନ ବେହେରା ପୁଣି ଥରେ ରଚିଲେ ନୂଆ ଇତିହାସ, ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ

ଦଳର ମନୋବଳ ଉପରେ ମତ ରଖି କଟକ ପାନ୍ଥର୍ସର ଅଧିନାୟକ ବିପ୍ଳବ ସାମନ୍ତରାୟ କହିଛନ୍ତି: “ପ୍ରଭଞ୍ଜନ ଭାଇ ଏବଂ ଦୀପକ ଭାଇ ଲଗାତାର ଭାବେ କ୍ୟାମ୍ପ୍ରେ ଆମ ସହିତ ରହି କାମ କରୁଛନ୍ତି, ଯାହା ସମଗ୍ର ଦଳକୁ ଏକ ବିରାଟ ଶକ୍ତି ଓ ଆତ୍ମବିଶ୍ୱାସ ପ୍ରଦାନ କରିଛି। ଉଭୟଙ୍କ ପାଖରେ ବିଶାଳ ଅନୁଭୂତି ରହିଛି। ଅଭ୍ୟାସ ଅଧିବେଶନ ଓ ଅଭ୍ୟାସ ମ୍ୟାଚ୍ ସମୟରେ ସେମାନଙ୍କ ତୀକ୍ଷ୍ଣ ମାର୍ଗଦର୍ଶନ ଆମ ପିଲାମାନଙ୍କୁ ଟାଇଟଲ୍ ଡିଫେଣ୍ଡ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଛି।”

ସୂଚନାଥାଉକି, ଫ୍ଲଡଲାଇଟ୍‌ରେ ଖେଳାଯିବାକୁ ଥିବା ରୋମାଞ୍ଚକର ଉଦଘାଟନୀ ମ୍ୟାଚରେ କଟକ ପାନ୍ଥର୍ସ ସମ୍ବଲପୁର ୱାରିୟର୍ସକୁ ଭେଟିବ। ଏହି ମ୍ୟାଚଟି ସନ୍ଧ୍ୟା ୭:୩୦ରୁ ଆରମ୍ଭ ହେବ । ଗତ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍‌ରେ ସମ୍ବଲପୁର ୱାରିୟର୍ସକୁ ପରାସ୍ତ କରି କଟକ ପାନ୍ଥର୍ସ ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା । ତେଣୁ ଆସନ୍ତାକାଲିର ମ୍ୟାଚ୍ ଗତ ଫାଇନାଲ୍‌ର ଏକ ପୁନରାବୃତ୍ତି ହୋଇଥିବାରୁ ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।